Categories: ଜାତୀୟ

ବାବୁଙ୍କ କୁକୁର ପାଇଁ ଖେଳାଳିଙ୍କୁ ଷ୍ଟାଡିୟମ ମନା

ନୂଆଦିଲ୍ଲୀ, ୨୭ା୫:ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ତ୍ୟାଗରାଜ ଷ୍ଟାଡିୟମରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ କୁକୁର ଚାଲିବା ପାଇଁ କିଛି ମାସ ହେଲା ଖେଳାଳି ଓ କୋଚମାନଙ୍କୁ ସନ୍ଧ୍ୟାରେ ବାହାରିଯିବାକୁ ବାଧ୍ୟ କରାଯାଉଥିବା ଖବର ଚର୍ଚ୍ଚାକୁ ଆସିଛି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦିଲ୍ଲୀ ମୁଖ୍ୟ ସଚିବ (ରାଜସ୍ବ) ସଞ୍ଜୀବ ଖିରଓ୍ବାର ତାଙ୍କ କୁକୁରକୁ ଚଲାଇବାକୁ ନେଉଥିବାରୁ ପ୍ରତି ସନ୍ଧ୍ୟାରେ ଖେଳାଳିଙ୍କୁ ଷ୍ଟାଡିୟମ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଉଥିଲା। ସେ ସେଠାରେ କୁକୁରକୁ ଅଧଘଣ୍ଟାଏ ଧରି ଚଲାଉଥିଲେ।
ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଦିଲ୍ଲୀ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମସ୍ତ ସରକାରୀ ଷ୍ଟାଡିୟମଗୁଡ଼ିକ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ନିର୍ଦ୍ଦେଶ ଦେବା ସହ ଖେଳାଳିମାନେ ସେ ପର୍ଯ୍ୟନ୍ତ ସେଠାରେ ଟ୍ରେନିଂ ନେଇପାରିବେ ବୋଲି କହିଛନ୍ତି।
ଜଣେ କୋଚଙ୍କ ଅଭିଯୋଗ ମୁତାବକ, ପୂର୍ବରୁ ରାତି ୮ରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଖେଳାଳିଙ୍କୁ ଟ୍ରେନିଂ ଦିଆଯାଉଥିଲା। କିନ୍ତୁ ଆଇଏଏସ୍‌ ଅଫିସର ଜଣକ ତାଙ୍କ କୁକୁର ଚଲାଇବାକୁ ଆଣୁଥିବାରୁ ସେମାନଙ୍କୁ ସନ୍ଧ୍ୟା ୭ଟାରେ ବିଦା କରିଦିଆଯାଉଛି। ଏଥିଯୋଗୁ ଟ୍ରେନିଂ ଓ ଅଭ୍ୟାସ ବାଧାପ୍ରାପ୍ତ ହେଉଛି ବୋଲି ସମ୍ପୃକ୍ତ କୋଚ୍‌ କହିଛନ୍ତି। ତେବେ ଏହି ଅଭିଯୋଗକୁ ସଚିବ ଖିରଓ୍ବାର ଖଣ୍ଡନ କରିଛନ୍ତି। ସେ ବେଳେବେଳେ ତାଙ୍କ କୁକୁରକୁ ଷ୍ଟାଡିୟମ ନେଇ ଯାଆନ୍ତି ବୋଲି ସ୍ବୀକାର କରିଛନ୍ତି। କିନ୍ତୁ ଆଥ୍‌ଲେଟଙ୍କ ଅଭ୍ୟାସ କିମ୍ବା ଟ୍ରେନିଂ ବାଧାପ୍ରାପ୍ତ ହେଲାଭଳି ସେ କୌଣସି କାମ କରି ନ ଥିବା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର ଏହାକୁ କ୍ଷମତାର ଅପବ୍ୟବହାର ବୋଲି କହିବା ସହ ଅଫିସର ଏଥିପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି। ଖେଳାଳିଙ୍କୁ ବାହାର କରି ଷ୍ଟାଡିୟମରେ ବାବୁଙ୍କ କୁକୁରକୁ ଚଲାଇବା ଲଜ୍ଜାଜନକ ବୋଲି ମନ୍ତ୍ରୀ କହିଛନ୍ତି।

Share