Categories: ଜାତୀୟ

କଳାବଜାର ରୋକିବା ପାଇଁ ଏମିତି ବେଶ ଧରିଲେ ଉପଜିଲାପାଳ

ବିଜୟଓ୍ବାଡା,୧୦।୮: ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ କଳାବଜାର ରୋକିବା ପାଇଁ ଆଇଏଏସ ଜି ସୂର୍ଯ୍ୟ ସାଇ ପ୍ରବୀଣଚାନ୍ଦ ଏକ ଭିନ୍ନ ପନ୍ଥା ଆପଣାଇଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ବିଜୟଓ୍ବାଡାର ଉପଜିଲାପାଳ ଥିବା ଜି ସୂର୍ଯ୍ୟ ସାଇ ପ୍ରବୀଣ ଚାନ୍ଦ କୃଷକ ବେଶରେ ବାଇକ୍‌ ଧରି କାଇକାଲୁରୁରେ ଥିବା ଏକ ସାର ଦୋକାନକୁ ସାର ପାଇଁ ଯାଇଥିଲେ। ଚାଷୀଙ୍କ ସହ ଘଟୁଥିବା ଠକେଇର ଯାଞ୍ଚ ପାଇଁ ସେଠାରେ ପହଞ୍ଚିଥିଲେ। ତାଙ୍କର ହଠାତ୍‌ ଯାଞ୍ଚ ସମୟରେ କାଇକାଲୁରୁର ଭାସାଭି ଫର୍ଟିଲାଇଜରରେ ଡିଏପି ମାଗିଥିଲେ। ଦୋକାନୀ ପ୍ରତିକ୍ରିୟାରେ କହିଥିଲେ ଯେ ସେମାନେ ଡିଏପି ବିକ୍ରୟ କରୁନାହାଁନ୍ତି। ଏହା ସହିତ ପ୍ରବୀଣଚାନ୍ଦ ଅନ୍ୟ ଏକ ସାର ଦୋକାନକୁ ଯାଇ ଦେଖିଲେ ଯେ, ୟୁରିଆ ୨୮୦ ଟଙ୍କାରେ ଏବଂ ଡିଏପି ୧୨୫୦ ଟଙ୍କାରେ ବିକ୍ରି ହେଉଛି। ଷ୍ଟାମ୍ପ ମୁଦ୍ରିତ ରସିଦ ବ୍ୟବହାର କରିବା ପରିବର୍ତ୍ତେ ସାଧା ଧଳା କାଗଜରେ ରସିଦ ଲେଖିବା ସହିତ ଦୋକାନୀ କଳାକାରବାର କରୁଛନ୍ତି।
ଏକ ସାକ୍ଷାତକାରରେ ପ୍ରବୀଣ କହିଛନ୍ତି ଯେ, ଏହି ଯାଞ୍ଚ ସମୟରେ ଦୁଇଟି ଦୋକାନ ଜବତ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୟୁରିଆର ଏମଆରପି (ସର୍ବାଧିକ ଖୁଚୁରା ମୂଲ୍ୟ) ୨୬୬.୫୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ସାର ଦୋକାନଗୁଡ଼ିକ ମଧ୍ୟ ୨୮୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଡିଏପି ମୂଲ୍ୟ ୧୨୦୦ ଟଙ୍କା ହୋଇଥିବାବେଳେ ଦୋକାନୀ ୧୨୫୦ଟଙ୍କାରେ ବିକ୍ରି କରୁଛନ୍ତି। ଭବିଷ୍ୟତରେ ଅନିୟମିତତାକୁ ରୋକିବା ପାଇଁ ଭବିଷ୍ୟତରେ ସମାନ ଯାଞ୍ଚ କରାଯିବ ବୋଲି ପ୍ରବୀଣ କହିଛନ୍ତି।

Share