କ୍ଲୋନିଂର ଜନକ ଆୟାନ ଉଇଲମଟ୍‌

ଗୋଟିଏ ସ୍ତନ୍ୟପାୟୀ ପ୍ରାଣୀର କ୍ଲୋନିଂ କରି ଇତିହାସ ରଚନା କରିଥିବା ଇଂଲଣ୍ଡର ଜୀବ ବିଜ୍ଞାନୀ ଆୟାନ ଉଇଲମଟ୍‌ ୭୯ ବର୍ଷ ବୟସରେ ଏହି ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଇହଲୀଳା ସମ୍ବରଣ କରିଛନ୍ତି। ସେ ଓ ତାଙ୍କର ସହକର୍ମୀମାନେ କ୍ଲୋନିଂ ଉପାୟରେ ଡଲି ନାମକ ଏକ ମେଣ୍ଢା ଛୁଆକୁ ୧୯୯୬ ମସିହା ଜୁଲାଇ ମାସରେ ଜନ୍ମ କରାଇଥିଲେ। ସେ ଏହି ଖବରକୁ ୧୯୯୭ ମସିହା ଫେବୃୟାରୀରେ ଘୋଷଣା କରିବା ପରେ ପୃଥିବୀରେ ଏହା ଚାଞ୍ଚଲ୍ୟ ଖେଳିଯାଇଥିଲା। ଅନେକ ବ୍ୟକ୍ତି ବିଜ୍ଞାନର ଏହି ଚମତ୍କାରିତାକୁ ସ୍ବାଗତ କରିଥିବା ବେଳେ ଅନ୍ୟ କେତେକ ଏହାର ତୀବ୍ର ସମାଲୋଚନା କରିଥିଲେ। କାରଣ ଏହି ଉପାୟରେ ମନ୍ୟୁଷର କ୍ଲୋନିଂ ହେବାର ସମ୍ଭାବନା ଦେଖାଦେଇଥିଲା ଏବଂ ନୈତିକତା ବିରୋଧୀ ମନେ କରାଯାଉଥିଲା।
ଡଲି ଜନ୍ମ ହେବା ପୂର୍ବରୁ କ୍ଲୋନିଂ ପଦ୍ଧତିରେ ଯାହା କରାଯାଉଥିଲା, ତାହା ଭ୍ରୂଣ କୋଷକୁ ନେଇ ହୋଇଥିଲା। ମାତ୍ର ଉଇଲମଟ୍‌ ଗୋଟିଏ ପରିପକ୍ୱ ଜୀବକୋଷ ଭିତରେ ଥିବା ସୁପ୍ତ ଆନୁବଂଶିକ ଜିନ୍‌କୁ ସକ୍ରିୟ କରାଇ ସେ ଏଥିରେ ସଫଳ ହୋଇଥିଲେ। ଏହି ପଦ୍ଧତି ଆରମ୍ଭ କରିବା ପୂର୍ବରୁ ସେ ଜୀବକୋଷ ବିଭାଜନ ପ୍ରକ୍ରିୟାକୁ ନିଷ୍କ୍ରିୟ କରିବାର କୌଶଳ ବାହାର କରିଥିଲେ।
ଉଇଲମଟ୍‌ ଗୋଟିଏ ଛଅ ବର୍ଷର ମାଈ ଗର୍ଭବତୀ ମେଣ୍ଢାର ପହ୍ନାରୁ ଜୀବକୋଷ ସଂଗ୍ରହ କଲେ ଏବଂ ଏହାର ବିଭାଜନକୁ ବନ୍ଦ କରିବା ପାଇଁ ଏହାକୁ ନିଷ୍କ୍ରିୟ କଲେ। ସେ ଅନ୍ୟ ଏକ ମାଈ ମେଣ୍ଢାର ଡିମ୍ବାଶୟରୁ ଗର୍ଭଧାନ ହୋଇ ନ ଥିବା ଗୋଟିଏ ଡିମ୍ବାଣୁ ସଂଗ୍ରହ କଲେ ଏବଂ ଏହାର କୋଷ ଭିତରକୁ ନାଭିକକୁ ବାହାର କରିଦେଲେ। ଫଳରେ ନାଭିକ ସହ ଏହା ଭିତରେ ଥିବା ବଂଶାନୁକ୍ରମ ଲକ୍ଷଣଧାରୀ ଗୁଣସୂତ୍ରଗୁଡିଏ ମଧ୍ୟ ବାହାରିଲା। ଡିମ୍ବାଣୁ କୋଷ ଭିତରେ କେବଳ କୋଷରସ (ସାଇଟୋପ୍ଲାଜମ୍‌) ଏବଂ ବିଭିନ୍ନ କୋଷୀୟ କଣିକା ରହିଲା। ସେ ଏହାପରେ ସୁସୁପ୍ତି ଅବସ୍ଥାରେ ଥିବା ପହ୍ନାକୋଷ ଓ ନାଭିବିହୀନ ଡିମ୍ବାଣୁ କୋଷକୁ ଏକତ୍ର ରଖି ମୃଦୁ ବିଦ୍ୟୁତ ଆଘାତ କରିବାରୁ ଭ୍ରୂଣ କୋଷ ସୃଷ୍ଟି ହେଲା। ଏକ ସପ୍ତାହ ପରେ ସେ ଏହାକୁ ଅନ୍ୟ ଏକ ମାଈ ମେଣ୍ଢାର ଗର୍ଭାଶୟରେ ସ୍ଥାପନ କଲେ। ଏହିପରି ଭାବେ ତିନୋଟି ମାଈ ମେଣ୍ଢା ସାହାଯ୍ୟରେ ଡଲି ଜନ୍ମ ନେଲା। ଏହି କାର୍ଯ୍ୟ ସହଜ ନ ଥିଲା। ତିନି ଶହ ଥର ଚେଷ୍ଟା ପରେ ସେ ଏଥିରେ ସଫଳ ହୋଇଥିଲେ।
ଡଲି ମେଣ୍ଢା ଭଳି ବଞ୍ଚତ୍ଥିଲା ଏବଂ ଅନେକ ଛୁଆ ଜନ୍ମ କରିଥିଲା। ଶେଷରେ ୨୦୦୩ ଫେବୃୟାରୀ ୧୪ ତାରିଖରେ ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲା। କ୍ଲୋନିଂ ସହିତ ଏହି ରୋଗର କୌଣସି ସମ୍ପର୍କ ନ ଥିଲା। ବିବିସି ନ୍ୟୁଜ ଏବଂ ସାଇଣ୍ଟିଫିକ୍‌ ଆମେରିକାନ୍‌ ଏହାକୁ ପୃଥିବୀ ସବୁଠାରୁ ବିଖ୍ୟାତ ମେଣ୍ଢା ଭାବେ ଅଭିହିତ କରିଥିଲେ। ଏହାର ମୃତ ଶରୀରକୁ ସ୍କଟଲାଣ୍ଡର ଜାତୀୟ ସଂଗ୍ରହାଳୟରେ ରଖାଯାଇଛି। ତା’ ମୃତ୍ୟୁ ପରେ ଉଇଲମଟ୍‌ କହିଥିଲେ, ‘ଡଲି ଅତି ଗୁରୁତ୍ୱପୂର୍ଣ୍ଣ ପ୍ରାଣୀ ଥିଲା, ଯିଏ ଗୋଟିଏ ବଡ଼ ବିଜ୍ଞାନ ଆବିଷ୍କାରର ଅଂଶ ଥିଲା।’
ଆୟାନ୍‌ ଉଇଲମଟ୍‌ ୧୯୪୪ ମସିହା ଜୁଲାଇ ୭ ତାରିଖରେ ଇଂଲଣ୍ଡର ହାମ୍ପିଟନ୍‌ ଲୁସି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପିତା ଲିନୋର୍ଡ ଉଇଲମଟ୍‌ ଏବଂ ମାତା ଏଇଲିନ୍‌ ଉଇଲମଟ୍‌ ଉଭୟେ ଥିଲେ ଶିକ୍ଷକ। ସେ ନଟିଙ୍ଗହାମ୍‌ ବିଶ୍ୱବିଦ୍ୟାଳୟରୁ ୧୯୬୭ ମସିହାରେ ପ୍ରାଣୀ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କଲେ। ସେଠାରୁ ସେ ୧୯୭୧ରେ ଭୂଣ ବିଜ୍ଞାନରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଏଡିନବର୍ଗଠାରେ ଥିବା ‘ପ୍ରାଣୀ ପ୍ରଜନନ ଗବେଷଣା କେନ୍ଦ୍ର’ରେ ଯୋଗ ଦେଇ ଭ୍ରୂଣ ବିଜ୍ଞାନରେ ଅଧିକ ଗବେଷଣା କଲେ। ପରବର୍ତ୍ତୀ ସମୟରେ ୧୯୯୩ରେ ଏହି କେନ୍ଦ୍ର ‘ରୋଜଲିନ୍‌ ଇନଷ୍ଟିଚ୍ୟୁଟ୍‌’ ନାମରେ ନାମିତ ହେଲା। ଉଇଲମଟ୍‌ ଓ ତାଙ୍କର ସାଥୀମାନେ ୧୯୭୩ରେ ଗୋଟିଏ ଘନୀଭୂତ ଭ୍ରୂଣରୁ ଗୋଟିଏ ବାଛୁରି ଜନ୍ମ କରାଇ ପଶୁ ସମ୍ପଦ ବିଭାଗରେ ବିପ୍ଳବ ଆଣିଥିଲେ।
ଉଇଲମଟ୍‌ ୧୯୮୦ ଦଶକ ବେଳକୁ ତାଙ୍କର କାର୍ଯ୍ୟକୁ ବ୍ୟବସାୟିକ ଦିଗରେ ନ କରି ସ୍ବାସ୍ଥ୍ୟ ବିଜ୍ଞାନ ପ୍ରତି ଆଗ୍ରହୀ ହେଲେ। ସେ ଏବଂ ତାଙ୍କର ସହଯୋଗୀ କ୍ୟାମ୍ପବେଲ୍‌ କ୍ଲୋନିଂ ଗବେଷଣା ପାଇଁ ମେଣ୍ଢାକୁ ବାଛିଲେ କାରଣ, ସ୍କଟ୍‌ଲାଣ୍ଡରେ ଏହି ପ୍ରାଣୀ ଅଧିକ ଅଛନ୍ତି ଏବଂ ଏହାର ଦାମ୍‌ ମଧ୍ୟ କମ୍‌। ପ୍ରୋଟିନଯୁକ୍ତ ଦୁଗ୍ଧ ଉତ୍ପାଦନ କରି ମନୁଷ୍ୟର ରୋଗ ଉପଶମ କରିବା ଏବଂ ଷ୍ଟେମ୍‌ କୋଷ ତିଆରି କରି ପୁନଃଜନନ ଔଷଧରେ ବ୍ୟବହାର କରିବା ସେମାନଙ୍କର ମୂଳ ଲକ୍ଷ୍ୟ ଥିଲା। ୨୦୦୫ରେ ସେ ମନୁଷ୍ୟ ଭ୍ରୂଣ କ୍ଲୋନ୍‌ କରିବା ପାଇଁ ବ୍ରିଟିଶ ସରକାରଙ୍କଠାରୁ ଲାଇସେନ୍ସ ପାଇଲେ। କିନ୍ତୁ ଜାପାନର କେତେ ଜଣ ଗବେଷକ ଭ୍ରୂଣ ବ୍ୟବହାର ନ କରି ଷ୍ଟେମ୍‌ କୋଷର ବିକାଶ ଉପାୟ ବାହାର କରିବା ପରେ ଉଇଲମଟ୍‌ ମନୁଷ୍ୟ ଭ୍ରୂଣ ଗବେଷଣା ବନ୍ଦ କରିଦେଲେ। ସେ ୨୦୦୫ରେ ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ ସେଠାରୁ ୨୦୧୨ରେ ଅବସର ଗ୍ରହଣ କରିଥିଲେ। ୧୯୬୭ରେ ତାଙ୍କର ଭିଭିଏନ୍‌ କ୍ରେଭନ୍‌ଙ୍କ ସହ ବିବାହ ହୋଇଥିଲା। କିନ୍ତୁ ୨୦୧୫ରେ ତାଙ୍କର ମୃତ୍ୟୁ ହେବାରୁ ସେ ସାରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ପୁତ୍ର ଡିନ୍‌, ଦୁଇ କନ୍ୟା ନାଓମି ଓ ହେଲେନ ଏବଂ ପାଞ୍ଚ ଜଣ ନାତି ନାତୁଣୀ ଅଛନ୍ତି।
ଉଇଲମଟ୍‌ ୨୦୦୨ରେ ରୟାଲ ସୋସାଇଟିର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କୁ ବ୍ରିଟିଶ ସରକାର ୨୦୦୮ରେ ‘ନାଇଟ୍‌’ ଉପାଧି ପ୍ରଦାନ କରିଥିଲେ।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର

ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...

ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର

ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...

ରାତି ପାହୁପାହୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ, ବସିଥିବେ ହଠାତ୍‌ ପହଞ୍ଚିବ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ନିଜ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ଏହାର ପ୍ରଭାବ ସିଧା କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଶରୀର ପାଇଁ ଉପକାରୀ ଗାଜର, ହାର୍ଟକୁ ସୁସ୍ଥ ରଖିବା ସହ…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଭିଟାମିନ, ଫାଇବର୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରି ହୋଇରହିଛି। ଏଥିରେ ଏଭଳି ଉପକାରୀ ତତ୍ତ୍ୱ...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ

ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସହ ପରିବାର ସଦସ୍ୟ ଓ ପିଲାଙ୍କ ଖାଇବା ପରେ ଅଧିକାଂଶ ମହିଳା ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ନିଜ ଖାଦ୍ୟ ପ୍ରତି ଅବହେଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri