କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମଧ୍ୟ ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ କୋହଳ ହୋଇନାହିଁ। ନିର୍ବାଚନ ଫଳାଫଳ ପରେ ନିଜର ପ୍ରଥମ ଖବରଦାତା ସମ୍ମିଳନୀରେ ମମତା କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଇସ୍ତଫା ଦେବେ ନାହିଁ ଏବଂ ତାଙ୍କୁ ଷଡ଼ଯନ୍ତ୍ର କରି ହରାଇ ଦିଆଯାଇଛି।
ମମତା ବାନାର୍ଜୀ ନିର୍ବାଚନ କମିଶନ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ ନିର୍ବାଚନ କମିଶନ ବିକ୍ରି ହୋଇଯାଇଛନ୍ତି ଏବଂ ଅଧିକାରୀମାନେ ଏକପାଖିଆ କାମ କରିଛନ୍ତି। EVM ମେସିନରେ ଗଣତି ପରେ ମଧ୍ୟ ୯୦-୯୫% ଚାର୍ଜ ରହିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗଣତି କେନ୍ଦ୍ରରେ ତାଙ୍କ ଏଜେଣ୍ଟମାନଙ୍କୁ ମାଡ଼ ମରାଯାଇ ବାହାର କରିଦିଆଯାଇଛି। ସିଆରପିଏଫ (CRPF) ଯବାନ ଏବଂ ବାହାର ଗୁଣ୍ଡାଙ୍କ ସହାୟତାରେ ଭାଜପା ପ୍ରାର୍ଥୀ ଜବରଦସ୍ତି ଫର୍ମ ଛଡ଼ାଇ ନେଇଛନ୍ତି। କେବଳ ଏତିକି ନୁହେଁ ସେ ନିଜେ ଗଣତି କେନ୍ଦ୍ରକୁ ଯିବା ସମୟରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ସେ ଦାବି କରିଛନ୍ତି।
ରାଜ୍ୟରେ ଏବେ ଏକ ନୂଆ ରାଜନୈତିକ ସଙ୍କଟ ଦେଖାଦେଇଛି। ସାଧାରଣତଃ ନିର୍ବାଚନ ହାରିବା ପରେ ମୁଖ୍ୟମନ୍ତ୍ରୀ ରାଜଭବନ ଯାଇ ଇସ୍ତଫା ପ୍ରଦାନ କରନ୍ତି, ଯାହା ପରେ ନୂଆ ସରକାର ଗଠନ ପାଇଁ ପଥ ପରିଷ୍କାର ହୁଏ। କିନ୍ତୁ ମମତା ଇସ୍ତଫା ନ ଦେବାକୁ ଜିଦ ଧରିଥିବାରୁ ଏହା ଏକ ସାମ୍ବିଧାନିକ ଜଟିଳତା ସୃଷ୍ଟି କରିଛି।
ଯଦି ମମତା ବାନାର୍ଜୀ ଇସ୍ତଫା ନଦିଅନ୍ତି, ତେବେ ସମ୍ବିଧାନ ଅନୁଯାୟୀ ରାଜ୍ୟପାଳଙ୍କ ନିକଟରେ ଥିବା ବିକଳ୍ପ ବିଷୟରେ ଚିନ୍ତା କରାଯାଇପାରେ। ଯେପରିକି ସମ୍ବିଧାନର ଅନୁଚ୍ଛେଦ ୧୬୪ ଅନୁଯାୟୀ, ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦିଅନ୍ତି। ଯଦି ଜଣେ ମୁଖ୍ୟମନ୍ତ୍ରୀ ସଂଖ୍ୟାଗରିଷ୍ଠତା ହରାଇଛନ୍ତି ବା ନିର୍ବାଚନ ହାରିଛନ୍ତି, ତେବେ ରାଜ୍ୟପାଳ ତାଙ୍କୁ ପଦରୁ ବରଖାସ୍ତ କରିପାରିବେ। ନଚେତ ରାଜ୍ୟପାଳ ବିଧାନସଭାର ବିଶେଷ ଅଧିବେଶନ ଡକାଇ ବହୁମତ ସାବ୍ୟସ୍ତ କରିବାକୁ କହିପାରନ୍ତି। ବର୍ତ୍ତମାନ ଭାଜପା ପାଖରେ ୨୦୬ଟି ଆସନ ଥିବାବେଳେ ଟିଏମ୍ସି ପାଖରେ ମାତ୍ର ୮୦ ଆସନ ଅଛି। ତେଣୁ ମମତା ବହୁମତ ପ୍ରମାଣ କରିବାରେ ବିଫଳ ହେବା ନିଶ୍ଚିତ।
ମୋଟାମୋଟି କହିବାକୁ ଗଲେ ମମତା ବାନାର୍ଜୀଙ୍କ ଏହି ଆଭିମୁଖ୍ୟରୁ ସ୍ପଷ୍ଟ ଯେ, ସେ ଆଗାମୀ ଦିନରେ ନିଜ କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବା ପାଇଁ ଏହି ଲଢ଼େଇକୁ ରାଜରାସ୍ତାକୁ ନେବାକୁ ଚାହୁଁଛନ୍ତି। କିନ୍ତୁ ସାମ୍ବିଧାନିକ ନିୟମ ଅନୁସାରେ, ବହୁମତ ନ ଥିଲେ ତାଙ୍କୁ ଗାଦି ଛାଡ଼ିବାକୁ ହିଁ ପଡ଼ିବ।
Dharitri – Odisha’s No.1 Odia Daily