
ଇନ୍ଦୋର,୧୦।୬: ମଧ୍ୟପ୍ରଦେଶର ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ହତ୍ୟା ଏବେ ସାରା ଦେଶରେ ଚହଳ ପକାଇଛି। ତାଙ୍କ ନିଜ ସ୍ତ୍ରୀ ସୋନମ ରଘୁବଂଶୀ ତାଙ୍କ ପ୍ରେମିକ ଏବଂ ବନ୍ଧୁମାନଙ୍କ ସହାୟତାରେ ରାଜାଙ୍କୁ ହତ୍ୟା କରିଥିଲେ।
ରାଜା ଏବଂ ସୋନମ ମେ ୧୧ରେ ବିବାହ କରିଥିଲେ। ପରିବାରରେ ଖୁସି ଥିଲା ଏବଂ ସବୁକିଛି ସ୍ବାଭାବିକ ଲାଗୁଥିଲା। କିନ୍ତୁ, ମେ ୧୬ରେ ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହିତ ମିଶି ରାଜାଙ୍କୁ ହତ୍ୟା କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ।
ସୋନମ ରାଜ କୁଶୱାହାଙ୍କୁ କହିଥିଲେ, ଆସ ରାଜାଙ୍କୁ ହତ୍ୟା କରିବା। ତା’ପରେ ମୁଁ ବିଧବା ହୋଇଯିବି ଏବଂ ବାପା ମଧ୍ୟ ଆମ ବିବାହକୁ ଅନୁମୋଦନ କରିବେ। ଏହି ଷଡ଼ଯନ୍ତ୍ର ଏତେ ବିପଦପୂର୍ଣ୍ଣ ଥିଲା ଯେ, ଯିଏ ଶୁଣିବ ଥରହର ହୋଇଯିବ।
ରାଜାଙ୍କୁ ଯେଉଁ କୁରାଢ଼ୀ ସାହାଯ୍ୟରେ ହତ୍ୟା କରାଯାଇଥିଲା ତାହା ଗୌହାଟୀରୁ ଅନଲାଇନରେ ମଗାଯାଇଥିଲା। ଘଟଣାର ଠିକ ପୂର୍ବରୁ ଅଭିଯୁକ୍ତମାନେ ସୋନମଙ୍କ ହୋମଷ୍ଟେ ଠାରୁ ୧ କିଲୋମିଟର ଦୂରରେ ଏକ ହୋଟେଲରେ ରହୁଥିଲେ। ସୋନମ ସେମାନଙ୍କୁ ଠିକଣା ପଠାଉଥିଲେ।
ମେ ୨୩ରେ ସୋନମ ରାଜାଙ୍କୁ ଫଟୋଶୁଟ ବାହାନାରେ ଏକ ନିର୍ଜନ ପାହାଡିଆ ଅଞ୍ଚଳକୁ ନେଇଯାଇଥିଲେ। ସେ ନିଜେ ପଛରେ ରହିଗଲେ ଏବଂ ତିନି ଜଣ ଯୁବକ ରାଜାଙ୍କ ଆଗରେ ଚାଲିଗଲେ। ସ୍ଥାନଟି ଖାଲି ପଡ଼ିବା ମାତ୍ରେ ସୋନମ ଚିତ୍କାର କରି କହିଲେ, ମେ ସ୍ବାମୀଙ୍କୁ ହତ୍ୟା କର। ଏହା ପରେ ଅଭିଯୁକ୍ତ ବିଶାଲ ଚୌହାନ ରାଜାଙ୍କ ମୁଣ୍ଡକୁ କୁରାଢ଼ିରେ ଆକ୍ରମଣ କରିଥିଲେ। ତାଙ୍କ ସହିତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଆକାଶ ରାଜପୁତ ଦୂରରୁ ବାଇକ ଉପରେ ଜଗି ରହିଥିଲେ।
ଅଭିଯୁକ୍ତମାନେ କହିଥିଲେ, ସେମାନେ ପାହାଡ ଚଢ଼ି ଥକି ଯାଇଥିଲେ ଏବଂ ହତ୍ୟା କରିବାକୁ ମନା କରି ଦେଇଥିଲେ। ତା’ପରେ ସୋନମ କହିଥିଲେ, ମୁଁ ୨୦ ଲକ୍ଷ ଦେବି, କିନ୍ତୁ ତୁମକୁ ତାଙ୍କୁ ହତ୍ୟା କରିବାକୁ ପଡ଼ିବ। ସେହି ସମୟରେ ରାଜାଙ୍କ ପର୍ସରୁ ୧୫ ହଜାର ଟଙ୍କା ବାହାର କରି ସେମାନଙ୍କୁ ଦିଆଯାଇଥିଲା।
ମେ ୨୩ରେ ରାଜାଙ୍କୁ ହତ୍ୟା କରାଯାଇଥିଲା। ସେହି ସନ୍ଧ୍ୟାରେ ସୋନମ ଶିଲଂରୁ ଗୌହାଟୀରେ ପହଞ୍ଚିଥିଲେ। ସେଠାରୁ ସେ ଏକ ଟ୍ରେନ ଧରି ବାରାଣସୀ ଦେଇ ଗାଜିପୁର ଯାଇଥିଲେ। ଏହି ସମୟରେ ସେ ତାଙ୍କ ମୋବାଇଲ ଫୋନ ଭାଙ୍ଗି ଦେଇଥିଲେ ଯାହା ଫଳରେ ପୋଲିସ ଏହାକୁ ଠାବ କରିପାରିବ ନାହିଁ।
ତଦନ୍ତ ସମୟରେ ସୋନମଙ୍କୁ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା। ଏଥିରେ ସେ ଅଭିଯୁକ୍ତଙ୍କ ସହ କଥା ହେଉଥିବାର ଦେଖାଯାଇଥିଲା। ତା’ପରେ ସିଡିଆର୍ ଏବଂ କଲ ଟ୍ରେସିଂରୁ ରାଜ କୁଶୱାହାଙ୍କ ଇନ୍ଦୋରରେ ଥିବା ସ୍ଥାନ ଜଣାପଡ଼ିଥିଲା ଏବଂ ପୋଲିସ ତାଙ୍କୁ ଗିରଫ କରିଥିଲା। ସୋନମ ଏହି ଖବର ପାଇବା ମାତ୍ରେ ବୁଝିପାରିଲେ ଯେ, ଖେଳ ଶେଷ ହୋଇଯାଇଛି। ଏହା ପରେ, ସେ ୟୁପିର ଏକ ଢାବାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ।