କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା ଭବିଷ୍ୟତରେ ବିଚାରପତି ହେବେ ବୋଲି କହିଛନ୍ତି। ସେ ଭୁବନେଶ୍ୱରସ୍ଥିତ ବିଜେବି(ବକ୍ସି ଜଗବନ୍ଧୁ ବିଦ୍ୟାଧର) ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପଢୁଥିଲେ। +୨ କଳାରେ ସୁନ୍ଦରଗଡ ଜିଲା ସଦର ବ୍ଲକର ଅନ୍ବେଷା ପରିଜା ସର୍ବୋଚ୍ଚ ୯୬.୮୩ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହେବାର ସୌଭାଗ୍ୟ ଲାଭ କରିବା ସହ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଏହି ଖୁସି ସେ ସର୍ବପ୍ରଥମେ ନିଜର ମା’ ଶୁଭଦର୍ଶନା ପରିଜା ଓ ବାପା ସରୋଜ ରଞ୍ଜନ ପରିଜାଙ୍କୁ ଦେଇଛନ୍ତି।
ମା’ ଶୁଭଦର୍ଶନାଙ୍କ ପ୍ରେରଣା ହିଁ ତାଙ୍କୁ ବିଶେଷ ଭାବେ ସହାୟତା କରିଥିଲା। ଏହାପରେ ଏହି ଶ୍ରେୟ ସେ ନିଜ ମାମୁ ଘର ଅଜା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରମେଶ ଚନ୍ଦ୍ର ମହାନ୍ତି, ଆଈ ପ୍ରଭାତୀ ମହାନ୍ତି, ମାମୁ ସୌରଭ ମହାନ୍ତି, ବଡ଼ ବାପା ସୁନ୍ଦରଗଡ ଜିଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଏସ୍ଇ ସତ୍ୟରଞ୍ଜନ ପରିଜା, ବଡ଼ ମା’ ସୁଲଗ୍ନା ପରିଜା, ସାନବାପା ସୁଧୀର ରଞ୍ଜନ ପରିଜା, ସାନ ମା’ ସୁନୀତା ପରିଜା, ଜେଜେ ସନ୍ତୋଷ କୁମାର ପରିଜା, ଜେଜେ ମା’ ସବିତାରାଣୀ ପରିଜାଙ୍କୁ ଦେଇଛନ୍ତି।
ଏହାସହ କଲେଜର ସମସ୍ତ ଅଧ୍ୟାପିକା/ଅଧ୍ୟାପକଙ୍କୁ ମଧ୍ୟ ସେମାନଙ୍କର ଉଚ୍ଚକୋଟୀର ଶିକ୍ଷାଦାନ ପାଇଁ ଅନ୍ବେଷା ଶ୍ରେୟ ଦେଇଛନ୍ତି। ଭବିଷ୍ୟତରେ ଜଣେ ବିଚାରପତି ହୋଇ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଅନ୍ବେଷା ଏହି ଅବସରରେ ନିଜର ମନର କଥା କହିଛନ୍ତି। ଏହି ଫଳାଫଳ ପ୍ରକାଶ ପାଇବା ପରେ ତାଙ୍କ ପରିବାର ସମେତ କୁଆଁରମୁଣ୍ଡା ବ୍ଲକଠାରୁ ଆରମ୍ଭ କରି ସମଗ୍ର ଜିଲାରେ ଅନ୍ବେଷାଙ୍କ ସମ୍ପର୍କୀୟ, ବନ୍ଧୁ ପରିଜନ ବିଶେଷ କରି ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି।