Categories: ଖେଳ

‘ମୁଁ ମରିଯାଇଛି ବୋଲି କହିଦେଲେ’ ସମାଲୋଚକ ମାନଙ୍କୁ କଟାକ୍ଷ କରି…

ଦୁବାଇ,୩୦।୮: ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ଅନେକ ଗୁଜବ ଶୁଣିବାକୁ ମିଳିଥାଏ। ତେବେ ସେ ଗୁଜବ ଉପରେ ଧ୍ୟାନ ଦିଅନ୍ତି ନାହିଁ ବୋଲି ହଂକଂ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଏସିଆ କପ୍‌ ମୁକାବିଲା ପୂର୍ବରୁ କହିଛନ୍ତି। ତାଙ୍କର ଧ୍ୟାନ ବର୍ତ୍ତମାନ ଏସିଆ କପ୍‌ ଏବଂ ଆଗାମୀ ଟି୨୦ ବିଶ୍ୱକପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ଉପରେ ରହିଛି ବୋଲି ସେ କହିଛନ୍ତି।

ଖବରଦାତା ସମ୍ମିଳନୀରେ ଜାଡେଜା କହିଛନ୍ତି, ଆପଣ ଏକ ସାମାନ୍ୟ ଗୁଜବ ବିଷୟରେ କହିଛନ୍ତି ଯେ ମୁଁ ବିଶ୍ୱକପ୍‌ ଲାଗି ଉପଲବ୍ଧ ରହିବି ନାହିଁ। ମଝିରେ ଏକ ଗୁଜବ ଶୁଣିବାକୁ ମିଳିଥିଲା କି ମୁଁ ମରି ଯାଇଛି। ଏହାଠାରୁ ବଡ ଗୁଜବ କିଛି ହୋଇ ନ ପାରେ। ମୁଁ ଏସବୁ ଗୁଜବ ବିଷୟରେ ଚିନ୍ତା କରେ ନାହିଁ। ମୁଁ ମଇଦାନକୁ ଯିବା, ଖେଳିବା ଏବଂ ଦେଶ ପାଇଁ ଭଲ ପ୍ରଦର୍ଶନ କରିବା ଉପରେ ଧ୍ୟାନ ଦେଇଥାଏ ବୋଲି ସେ କହିଛନ୍ତି।

ସେହିଭଳି ଏସିଆ କପ୍‌ ବିଷୟରେ କହିଛନ୍ତି, ଭାରତ ଟି୨୦ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିବାକୁ ଅପେକ୍ଷା କରି ରହିଛି। ହେଲେ ଏବେ ସମସ୍ତଙ୍କ ଧ୍ୟାନ ହଂକଂ ବିପକ୍ଷରେ ଖେଳାଯିବାକୁ ଥିବା ଆଗାମୀ ମ୍ୟାଚ୍‌ ଏବଂ ପରେ ସୁପର-୪ ଷ୍ଟେଜ ଉପରେ ରହିଛି। ଆମେ ସକରାତ୍ମକ କ୍ରିକେଟ ଖେଳିବାକୁ ଚାହିଁବୁ। ପ୍ରତ୍ୟେକ ଖେଳରେ ନିଜର ସର୍ବଶ୍ରେଷ୍ଠ ଦେବାକୁ ପ୍ରୟାସ କରିବୁ। ଆମର ଧ୍ୟାନ ହଂକଂ ବିପକ୍ଷ ମ୍ୟାଚ୍‌ ଉପରେ ରହିଛି। ଏହାପରେ ଆମେ ଦେଖିବୁ କେଉଁ ଦଳ ବିପକ୍ଷରେ ଖେଳିବାର ଅଛି। ଯଦି ଭାରତ ବୁଧବାର ମ୍ୟାଚ୍‌ ଜିତିଯାଏ ତେବେ ସୁପର-୪ରେ ସ୍ଥାନ ପକ୍କା ହୋଇଯିବ ବୋଲି ସେ ମଧ୍ୟ କହିଛନ୍ତି।

Share