ମୋରାଦାବାଦ,୧୭ା୬:ଉତ୍ତରପ୍ରଦେଶର ଅମରୋହା ଜିଲା ହୈବତପୁର ଗ୍ରାମରେ ଜଣେ ବ୍ୟକ୍ତି ରିଲ୍ସ ପାଇଁ ସାପକୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ବେଳେ ସାପ ତାଙ୍କ ଜିଭକୁ ଚୋଟ ଦେଇଥିଲା। ଏବେ ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସାରେ ଜିତେନ୍ଦ୍ର କୁମାର (୫୦) ନାମକ ଜଣେ କୃଷକ ଏକ ସାପକୁ ଉଦ୍ଧାର କରିଥିଲେ। ସେ ଉକ୍ତ ସାପ ସହ କିଛି ସମୟ ପାଇଁ ଖେଳିଥିଲେ ଏବଂ ଏହାର ରିଲ୍ସ ମଧ୍ୟ କରିିଥିଲେ। ନିଜ ଫଲୋଅର୍ସଙ୍କୁ ପ୍ରଭାବିତ କରିବା ପାଇଁ ସେ ସାପକୁ ବେକରେ ଗୁଡ଼ାଇ ବିଭିନ୍ନ ଷ୍ଟଣ୍ଟ୍ କରିବା ସହ ଅନେକ ପୋଜ୍ ମଧ୍ୟ ଦେଇଥିଲେ। ଏହି ସମୟରେ ସେଠାରେ ଅନେକ ଦେଖଣାହାରୀ ତାଙ୍କର ଭିଡିଓ ପ୍ରସ୍ତୁତ କରିଥିଲେ। ଗ୍ରାମବାସୀଙ୍କ ଅନୁଯାୟୀ, ସେତେବେଳେ ଜିତେନ୍ଦ୍ର ନିଶାରେ ଥିଲେ ଏବଂ ସାପ ସହ ଷ୍ଟଣ୍ଟ୍ କରୁଥିବା ସମୟରେ ସେ ଧୂମପାନ ମଧ୍ୟ କରୁଥିଲେ। ଏହି ସମୟରେ ଜିତେନ୍ଦ୍ର ସାପକୁ ଚୁମ୍ବନ ଦେବା ପାଇଁ ସାପର ମୁଣ୍ଡକୁ ନିଜ ମୁହଁ ପାଖକୁ ଆଣିଥିଲେ। ସେ ସାପ ଆଡ଼କୁ ନିଜ ଜିଭ ବଢ଼ାଇଥିଲେ, ଫଳରେ ସାପଟି ତାଙ୍କ ଜିଭକୁ କାମୁଡ଼ି ଦେଇଥିଲା। ଯନ୍ତ୍ରଣାରେ ଜିତେନ୍ଦ୍ର ସାପଟିକୁ ଫୋପାଡ଼ି ଦେଇଥିଲେ। ଏହାପରେ ସାପଟି ନିକଟରେ ଥିବା ବୁଦା ଭିତରେ ପଶିଯାଇଥିଲା। ଏହା ଦେଖି ଭିଡିଓ କରୁଥିବା ଦେଖଣାହାରିମାନେ ଆତଙ୍କିତ ହୋଇପଡ଼ିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଥିବାବେଳେ ଅନେକ ୟୁଜର୍ସ ଜିତେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି। ହୈବତପୁର ଗ୍ରାମର ମୁଖିଆ ଜୟକିରତ ସିଂ କହିଛନ୍ତି, ସାପ କାମୁଡ଼ା ପରେ ଜିତେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ଖରାପ ହୋଇଥିଲା। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୋରାଦାବାଦର ଏକ ଘରୋଇ ହସ୍ପିଟାଲକୁ ରେଫର କରିଥିଲେ, ଯେଉଁଠାରେ ଏବେ ସେ ଇଣ୍ଟେନସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଚିକିତ୍ସିତ ହେଉଛନ୍ତି। ଜିତେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବା ଜୟକିରତ କହିଛନ୍ତି।


