Categories: ଜାତୀୟ

ମୋତେ ନୋବେଲ ପୁରସ୍କାର ମିଳିବା କଥା;କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୫।୨:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଏକ ଅଜବ ଦାବି କରିଛନ୍ତି। ଦେଶର ରାଜଧାନୀରେ ସରକାର ଚଳାଇବା ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ ବୋଲି ସେ କହିଛନ୍ତି।
ପାଣି ବିଲ ଦେୟ ବୃଦ୍ଧି ହେତୁ ୱାନ ଟାଇମ ସେଟେଲମେଣ୍ଟ ସ୍କିମ ବନ୍ଦ ହେବା ପରେ ରବିବାର ପାର୍ଟି ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବିକ୍ଷୋଭରେ ଭାଗ ନେଇଥିଲେ। ଏହି ଅବସରରେ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ।
ସେ କହିଛନ୍ତି, ଦିଲ୍ଲୀରେ ଭୁଲ ପାଣି ବିଲ ଯୋଗୁ ପ୍ରାୟ ୧୧ ଲକ୍ଷ ପରିବାର ଅସୁବିଧାରେ ପଡ଼ିଛନ୍ତି। ଏହି ଭୁଲ ପାଣି ବିଲ ସଂଶୋଧନ ପାଇଁ ଆମ ସରକାର ଏକ ଯୋଜନା ପ୍ରସ୍ତୁତ କରିଥିଲେ, କିନ୍ତୁ ଭାଜପା ଷଡଯନ୍ତ୍ର କରି ଏହାକୁ ବନ୍ଦ କରି ଦେଇଥିଲା। ଆମେ ଏହା ବିରୋଧରେ ଲଢିବା ଏବଂ ଏହି ଯୋଜନା କାର୍ଯ୍ୟକାରୀ କରିବା। ମୁଁ ସରକାର କିପରି ଚଳାଉଛି ତାହା ଆପଣମାନେ ବୁଝିପାରିବେ ନାହିଁ। ଯେଉଁ ପରିସ୍ଥିତିରେ ମୁଁ ସରକାର ଚଳାଉଛି, ମୋତେ ନୋବେଲ ପୁରସ୍କାର ଦେବା ଉଚିତ୍‌। ମୁଁ ସରକାର ଚଳାଉଛି ଏବଂ ଅଧିକାରୀମାନେ ଏଲ୍‌ଜିଙ୍କ କଥା ଶୁଣୁଛନ୍ତି।
ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି, ଯେତେବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଦିଲ୍ଲୀ ସରକାରଙ୍କୁ ଅଧିକାରୀମାନଙ୍କୁ ସ୍ଥାନାନ୍ତର କରିବାର ଅଧିକାର ରହିବା ଉଚିତ୍‌। ସେମାନେ(ଭାଜପା ସରକାର) ସଂସଦରେ ଏକ ଆଇନ ପ୍ରସ୍ତୁତ କରି ଏହାକୁ ଖାରଜ କରିଦେଇଛନ୍ତି। କିନ୍ତୁ ମୋତେ କେହି ଅଟକାଇ ପାରିବେ ନାହିଁ, ମୁଁ ଲୋକଙ୍କ ପାଇଁ କାମ ଜାରି ରଖିବି। ମୋର ନୋବେଲ ପୁରସ୍କାର ହେଉଛି ମୋର ଲୋକ। ମୁଁ ଆଉ ନୋବେଲ ପୁରସ୍କାର ଚାହୁଁ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଗୋଟିଏ କଥା କହିବାକୁ ଚାହେଁ ଯେ ଏଥର ଯଦି ଆମେ ଏବଂ ଆମର ସହଯୋଗୀ ଦଳ ଲୋକ ସଭାର ସମସ୍ତ ୭ଟି ଆସନ ଜିତନ୍ତି, ତେବେ ସଂସଦରେ ଆମର ଶକ୍ତି ବୃଦ୍ଧି ପାଇବ ଏବଂ ତା’ପରେ କୌଣସି ଏଲଜି ଆମକୁ ଅଟକାଇ ପାରିବେ ନାହିଁ।

Share