‘ମୋ ଉପରେ ହୋଇପାରେ ପୁଣିଥରେ ଆକ୍ରମଣ’

ଇସଲାମାବାଦ୍‌,୨୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଶେହଓ୍ବାଜ ଶରିଫ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାୱଲପିଣ୍ଡିରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ନିକଟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ତିନିଜଣ ଶୁଟର ସମ୍ପୃକ୍ତ ଥିଲେ। ପୂର୍ବରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରମଣକାରୀ ତାଙ୍କୁ ଏବଂ ଅନ୍ୟ ପିଟିଆଇ ନେତାଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ଦ୍ୱିତୀୟ ଶୁଟର କଣ୍ଟେନର ସମ୍ମୁଖରେ ଗୁଳି ଚଳାଇଥିଲେ। ତୃତୀୟ ଶୁଟର ରାଲିରେ ଜଣେ ବ୍ୟକ୍ତିଙ୍କୁ ଗୁଳି ଚଳାଇ ହତ୍ୟା କରିଥିଲେ। ସେ ମଧ୍ୟ ତାଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ।
ଇମ୍ରାନ ପୁଣି ଥରେ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ, ମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ମେଜର ଜେନେରାଲ ଫୈଜଲ ନାସିରଙ୍କ ନାଁରେ ହତ୍ୟା ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ଉପରକୁ ପୁଣି ଆକ୍ରମଣ କରାଯାଇପାରେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପଞ୍ଜାବର ୱାଜିରାବାଦ ସହରର ଆଲ୍ଲାୱାଲା ଛକ ନିକଟରେ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ଇମ୍ରାନଙ୍କ ଗୋଡରେ ଗୁଳି ବାଜିଥିଲା, ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

 

Share