Categories: ଜାତୀୟ

ମୋର ସବୁକିଛି ଚାଲିଗଲା

ଅହମ୍ମଦାବାଦ,୨ା୧୧: ରବିବାର ଛୁଟି ଥିବାରୁ ସ୍ବାମୀଙ୍କ ସହ ୯ ବର୍ଷୀୟା ଝିଅ ଓ ୭ ବର୍ଷର ପୁଅ ସହ ଝୁଲାପୋଲକୁ ବୁଲି ଯାଇଥିଲୁ। ସେମାନେ ବ୍ରିଜ୍‌ ଉପରକୁ ଯାଇଥିଲେ। ଗର୍ଭବତୀ ଥିବାରୁ ମୁଁ ପୋଲକୁ ନ ଚଢ଼ି ମାଛୁ ନଦୀ କୂଳରେ ରହିଥିଲି। କିଛି ସମୟ ପରେ ହଠାତ୍‌ ଝୁଲାପୋଲ ଦୋହଲି ଯାଇଥିଲା। ଚାହୁଁ ଚାହୁଁ ତାହା ଖସିପଡ଼ିଥିଲା। ସେମାନେ ପାଣିରେ ପଡ଼ିଗଲେ, ଆଉ ଫେରିଲେ ନାହିଁ ବୋଲି କୋହଭରା କଣ୍ଠରେ ପରିବାରକୁ ହରାଇଥିବା ଜଣେ ମହିଳା କହିଛନ୍ତି। ଗଣମାଧ୍ୟମ ଆଗରେ ସେଦିନର ଅନୁଭୂତି ବଖାଣି ମହିଳା ଜଣକ କାନ୍ଦି କାନ୍ଦି କହିଛନ୍ତି, ମୋର ସବୁକିଛି ଚାଲିଗଲା। ଏବେ ଆଉ କିଏ ଅଛି? ଆଗକୁ ଏକୁଟିଆ ଜୀବନ ବିତାଇବାକୁ ପଡ଼ିବ। କିଛି ସହାୟତା ମିଳିନାହିଁ। ସରକାର ମୋତେ ସାହାଯ୍ୟ କରନ୍ତୁ।
ଏହା ହେଉଛି ଜଣେ ହତଭାଗା ମହିଳାଙ୍କ ଦୁଃଖଦ କାହାଣୀ। ଆମତ୍ୀୟସ୍ବଜନଙ୍କୁ ହରାଇଥିବା ଲୋକଙ୍କ ଏପରି ଅନେକ କାହାଣୀ ରହିଛି। କିଏ ନିଜ ପରିବାରକୁ ହରାଇ ଅସହାୟ ହୋଇପଡ଼ିଛନ୍ତି ତ ଆଉ କାହାର ସ୍ବପ୍ନଭଙ୍ଗ ହୋଇଯାଇଛି। ମାଛୁ ନଦୀର ସସ୍ପେନ୍‌ଶନ ବ୍ରିଜ୍‌ ଦୁର୍ଘଟଣା ବହୁ ଲୋକଙ୍କ ଭବିଷ୍ୟତ ଛଡ଼ାଇନେଇଛି। ଜଣେ ବୃଦ୍ଧ କହିଛନ୍ତି, ତାଙ୍କ ଜ୍ୱାଇଁ ଝୁଲାପୋଲରେ କାମ କରୁଥିବା ଜଣେ ଶ୍ରମିକ। ଛୁଟି ଥିବାରୁ ସେ ନିଜ ୨ ପିଲାଙ୍କୁ ବ୍ରିଜ୍‌ ଦେଖାଇବାକୁ ନେଇଥିଲେ। ସେମାନେ ଆଉ ଫେରିଲେ ନାହିଁ। ପ୍ରଶାସନିକ ଅବହେଳା ଯୋଗୁ ଏହି ଅଘଟଣ ଘଟିଥିଲେ ମଧ୍ୟ କୌଣସି ସରକାରୀ ସହାୟତା ପାଇ ନ ଥିବା ବୃଦ୍ଧ ଜଣକ କହିଛନ୍ତି। ସେହିପରି ଅହମ୍ମଦାବାଦର ଝିଅ ହର୍ଷିନୀ ନିଜ ମା’ବାପାଙ୍କ ସହ ମୋର୍‌ବି ଯାଇଥିଲେ। ବ୍ରିଜ୍‌ ଭାଙ୍ଗିବା ପରେ ୭ ବର୍ଷୀୟା ହର୍ଷିନୀଙ୍କୁ ଉଦ୍ଧାର କରାଯାଇଛି କିନ୍ତୁ ସେ ଅନାଥ ହୋଇଯାଇଛନ୍ତି। ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲା ବାସିନ୍ଦା ୧୭ ବର୍ଷୀୟ ହବିବୁଲ ଶେଖ୍‌ ଚାକିରି ଅନ୍ବେଷଣରେ ଗୁଜରାଟର ମୋର୍‌ବିକୁ ଯାଇଥିଲେ। ସେ ତାଙ୍କ ଦାଦାଙ୍କ ସୁନା ଦୋକାନରେ କାମ କରୁଥିଲେ। ରବିବାର ସାଙ୍ଗମାନଙ୍କ ସହ ଝୁଲାପୋଲକୁ ଯାଇ ଆଉ ଫେରି ନ ଥିଲେ। ବିଳମ୍ବିତ ରାତିରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେ ମା’ବାପାଙ୍କ ଏକମାତ୍ର ସନ୍ତାନ ଥିଲେ।

Share