ନୂଆଦିଲ୍ଲୀ,୧୦।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମୁମ୍ୱାଇ-ଗୋଆ ହାଇୱେ ପ୍ରକଳ୍ପରେ ହୋଇଥିବା ବିଳମ୍ୱକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଗୋଆର ଏକ କାର୍ଯ୍ୟକ୍ରମ ଅବସରରେ ସେ କହିଛନ୍ତି ଯେ, ଏହି ହାଇୱେର ଉଦ୍ଘାଟନ କାର୍ଯ୍ୟକ୍ରମରେ ସେ ସାମିଲ ହେବେ ନାହିଁ; କାରଣ ପ୍ରକଳ୍ପ ଶେଷ ହେବାରେ ଆଶା କରାଯାଉଥିବା ସମୟଠାରୁ ବହୁତ ଅଧିକ ସମୟ ଲାଗିଗଲା ଏବଂ ଏଥିପାଇଁ ତାଙ୍କୁ ଲଜ୍ଜା ଅନୁଭବ ହେଉଛି। ମୁମ୍ୱାଇ-ଗୋଆ ହାଇୱେ ମହାରାଷ୍ଟ୍ର ଏବଂ ଗୋଆ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ମଧ୍ୟରେ ଗଣାଯାଏ। ତେବେ ଜମି ଅଧିଗ୍ରହଣ, ବୈଷୟିକ ଆହୱାନ ଏବଂ ଅନ୍ୟାନ୍ୟ କାରଣରୁ ଏହାର କାର୍ଯ୍ୟ ର୍ନିଦ୍ଧାରିତ ସମୟ ତୁଳନାରେ ବହୁତ ଲମ୍ୱା ଟାଣି ହୋଇଗଲା, ଯାହାଫଳରେ ସ୍ଥାନୀୟ ଲୋକ ଓ ଯାତ୍ରୀମାନଙ୍କୁ ବର୍ଷ ବର୍ଷ ଧରି ହଇରାଣ ହେବାକୁ ପଡ଼ିଲା।
ପାଣାଜୀର ଉତ୍ତର ଭାଗରେ ଥିବା ଭିଡ଼ଭାର ରାସ୍ତାରୁ ବର୍ତ୍ତିବା ପାଇଁ ନିର୍ମିିତ ୫.୧୫ କିଲୋମିଟର ଦୀର୍ଘ ଏଲିଭେଟେଡ ରୋଡ୍ର ଉଦ୍ଘାଟନ ସମାରୋହରେ ଗଡ଼କରୀ ଏହି କଥା କହିଥିଲେ।
ସେ କହିଥିଲେ, “ଏବେ ମୁଁ ଏହାର ଉଦ୍ଘାଟନ ପାଇଁ ଭଲ ସମୟର ଅପେକ୍ଷା କରିବା ଛାଡ଼ିଦେଇଛି। ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ମୁମ୍ୱାଇ-ଗୋଆ ହାଇୱେର ଉଦ୍ଘାଟନ ପାଇଁ ଯିବି ନାହିଁ, କାରଣ ଏଥିରେ ହୋଇଥିବା ବିଳମ୍ୱ ପାଇଁ ମୋତେ ଲାଜ ଲାଗୁଛି।”
ତଥାପି, ଗଡ଼କରୀ ଆଶା ପ୍ରକଟ କରିଛନ୍ତି ଯେ ପ୍ରକଳ୍ପ ଖୁବ ଶୀଘ୍ର ଶେଷ ହୋଇଯିବ। ସେ କହିଛନ୍ତି, “ଗତକାଲି ମୋର ଏକ ବୈଠକ ହୋଇଥିଲା ଏବଂ ମୋତେ ଜଣାଯାଇଛି ଯେ ହାଇୱେର ୯୩-୯୪% କାମ ଶେଷ ହୋଇସାରିଛି। ଅକ୍ଟୋବରରେ ମୁଁ ମୁମ୍ୱାଇ ବିମାନବନ୍ଦରରେ ଓହ୍ଲାଇବି ଏବଂ କାର୍ଯ୍ୟର ସ୍ଥିତି ଦେଖିବା ପାଇଁ କାର୍ ଯୋଗେ ଗୋଆ ଆସିବି।”