‘ମୁଁ ଚୋରଙ୍କ ସହ କଥା ହେବାକୁ ଚାହେଁ ନାହିଁ’

ଇସଲାମାବାଦ,୨୮ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବର୍ତ୍ତମାନର ସରକାରଙ୍କ ସହ କଥାବାର୍ତ୍ତାର ସମସ୍ତ ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦେଇଛନ୍ତି। ଏକ ବିବୃତ୍ତିରେ ଇମ୍ରାନ୍‌ ପାକିସ୍ତାନ ମୁସଲିମ୍‌ ଲିଗ୍‌-ନଓ୍ବାଜ (ପିଏମଏଲ-ଏନ୍‌)ର ସମସ୍ତ ନେତାଙ୍କୁ ଚୋର ବୋଲି କହିଛନ୍ତି। ସେ କହିଛନ୍ତି, ତାଙ୍କୁ ବେଲୁଚିସ୍ତାନ ଏବଂ ସିନ୍ଧ୍‌ର ବିଚ୍ଛିନ୍ନତାବାଦୀଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ  ଶେହବାଜ ଶରିଫ ସରକାରଙ୍କ ସହ ଆଲୋଚନା ପାଇଁ ସେ ବସିପାରିବେ ନାହିଁ।

ପରଭେଜ୍‌ ଇଲାହୀଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ବାଛିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିରେ ଇମ୍ରାନ କୃତଜ୍ଞତା ଜଣାଇଥିଲେ। ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ବିଧାନର ସର୍ବୋଚ୍ଚତା ବୋଲି କହିଛନ୍ତି। ଇମ୍ରାନ କହିଛନ୍ତି, ସେ ତାଙ୍କ ଜୀବନକାଳ ମଧ୍ୟରେ କେବଳ ଥରେ ଉତ୍ସାହ ଅନୁଭବ କରିଛନ୍ତି। ୧୯୬୫ ଯୁଦ୍ଧ ସମୟ ଥିଲା, ପଞ୍ଜାବର ୨୦ଟି ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ ସମୟରେ ମୁଁ ଲୋକମାନଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିଥିଲି।

ପାକିସ୍ତାନର ବିରୋଧୀଦଳ ନେତାଙ୍କ ଉପରେ ଇମ୍ରାନ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ସେ ବେଲୁଚିସ୍ତାନ ଏବଂ ସିନ୍ଧ୍‌ର ବିଚ୍ଛିନ୍ନତାବାଦୀଙ୍କ ସହ କଥା ହୋଇପାରିବେ, କିନ୍ତୁ ଚୋରମାନଙ୍କ ସହ ନୁହେଁ। ଆହୁରି ମଧ୍ୟ ସେ କହିଛନ୍ତି, ଦାସତ୍ୱ ଅପେକ୍ଷା ମୃତ୍ୟୁ ଭଲ । ଆମକୁ ଆତ୍ମସମ୍ମାନ ସହିତ ବଞ୍ଚିବାକୁ ପଡ଼ିବ ।

ଉଲ୍ଲେଖନୀୟ କଥା ହେଉଛି, ଆଜିକାଲି ପାକିସ୍ତାନର ଲୋକମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସାଧାରଣ ନିର୍ବାଚନରେ ବର୍ତ୍ତମାନର ଅର୍ଥନୈତିକ ସଙ୍କଟର ସମାଧାନ ପାଇଁ ଇମ୍ରାନ ଏପରି କହିଛନ୍ତି।

Share