Categories: ଜାତୀୟ

‘ସୋନିଆ ଗାନ୍ଧୀଙ୍କୁ କେମିତି ମୁହଁ ଦେଖେଇବି ଜାଣିପାରୁନି’

ଡେରାଡୁନ୍‌,୧୩।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ପରାଜୟ ସହିତ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ହରିଶଙ୍କ ଏହି ପରାଜୟ ମଧ୍ୟ ଉତ୍ତରାଖଣ୍ଡରେ କଂଗ୍ରେସ ଦଳ ପାଇଁ ଏକ ବଡ଼ ଝଟ୍‌କା ବୋଲି ବିବେଚନା କରାଯାଏ।
ପରାଜୟ ପରେ ଲାଲକୁଆଁ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ଲାଲକୁଆଁ ଅଞ୍ଚଳର ଲୋକଙ୍କୁ କ୍ଷମା ମାଗୁଛି ଯେ ମୁଁ ସେମାନଙ୍କ ବିଶ୍ୱାସ ହାସଲ କରିପାରି ନାହିଁ ଏବଂ ମୁଁ ସେମାନଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାର ସୁଯୋଗ ହରାଇଛି। ଜନସାଧାରଣଙ୍କ ବିଶ୍ୱାସ ଜିତିବା ପାଇଁ କଂଗ୍ରେସ କର୍ମୀମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ଏଥିପାଇଁ ମୁଁ ମୋର ସମସ୍ତ କାର୍ଯ୍ୟ କରୁଥିବା ସହକର୍ମୀଙ୍କୁ ବହୁତ ଧନ୍ୟବାଦ ଦେଉଛି।
ସେ ଆହୁରି ମଧ୍ୟ ଲେଖିଛନ୍ତି, ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀର ଏକ ବୈଠକ ଅଛି। ସେଥିଲେ ମୁଁ ଭାଗ ନେବାକୁ ଯାଉଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କେମିତି ମୁହଁ ଦେଖାଇବି ଜାଣିପାରୁନି। ସେମାନେ ମୋ ଉପରେ ବହୁତ ବିଶ୍ୱାସ କରିଥିଲେ ଯେ, ଉତ୍ତରାଖଣ୍ଡରେ କଂଗ୍ରେସ ସରକାର ଗଢିବ। ସେମାନଙ୍କର ମୋ ଉପରେ ଭରସା ଥିତ୍ଲା। କିନ୍ତୁ ମୁଁ ତାଙ୍କ ଭରସା ରଖିପାରି ନାହିଁ ବୋଲି ସେ କହିଛନ୍ତି। ହରିଶ ରାୱତ ମଧ୍ୟ ବିଜେତା ପ୍ରାର୍ଥୀଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି।

Share