Categories: ଜାତୀୟ

ଲୋକ ସଭାରେ ଏମିତି କହିଲେ ଶାହା, ସମସ୍ତେ ହସିଲେ

ନୂଆଦିଲ୍ଲୀ,୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଏକ ମଜାଳିଆ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଲୋକ ସଭାରେ ତୃଣମୂଳ କଂଗ୍ରେସ ଏମ୍‌ପି ସୁଦୀପ ବନ୍ଦୋପାଧ୍ୟାୟ ଦେଇଥିବା ଏକ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶାହା କହିଛନ୍ତି, ମୁଁ କେବେ ରାଗେ ନାହିଁ କି ଗାଳି କରେ ନାହିଁ, ମୋ ସ୍ବର ସେମିତି ଟାଣ, କିନ୍ତୁ କଶ୍ମୀର ପ୍ରସଙ୍ଗ ଆସିବା ମାତ୍ରେ ଟିକେ ରାଗିଯାଏ। ଏହା ଶୁଣି ଉପସ୍ଥିତ ଏମ୍‌ପି ହସିବାକୁ ଲାଗିଥିଲେ। ‘ଆପରାଧିକ ପ୍ରକ୍ରିୟା(ପରିଚୟ) ବିଲ୍‌, ୨୦୨୨’ ଉପରେ ମତ ରଖିବା ବେଳେ ଶାହା ଏମିତି କହିଥିଲେ। ଏହି ବିଲ୍‌କୁ ନେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଏକ ‘ମଡେଲ ଜେଲ ମାନୁଆଲ’ ପ୍ରସ୍ତୁତ କରୁଛନ୍ତି ଯାହା ରାଜ୍ୟକୁ ପଠାଯିବ।
ତୃଣମୂଳ କଂଗ୍ରେସ ଏମ୍‌ପି ସୌଗତ ରାୟ କହିଥିଲେ ଯେ, ସେ ଏପରି କୌଣସି ମାନୁଆଲ ଡ୍ରାଫ୍ଟ ଦେଖି ନାହାଁନ୍ତି। ଜବାବରେ ଶାହା କହିଥିଲେ, ଆପଣ ଦେଖିପାରିବେ ନାହିଁ, କାରଣ ଆପଣ ସରକାରରେ ନାହାଁନ୍ତି। ସରକାର ଏହାକୁ ପ୍ରସ୍ତୁତ କରୁଛନ୍ତି। ଯଦି ସରକାରରେ ଥାଆନ୍ତେ, ଆପଣ ନିଶ୍ଚିତ ଭାବରେ ଏହା ଦେଖିଥାନ୍ତେ। ଆପଣଙ୍କୁ ଆଗରୁ ନିଶ୍ଚିତ କରିବା ପାଇଁ ମୁଁ ଏହା କହୁଛି। ଏହା ଉପରେ ତୃଣମୂଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଥିଲେ ଯେ, ଯେତେବେଳେ ଆପଣ ଦାଦା (ସୌଗତ ରାୟ)ଙ୍କ ସହ କଥା ହୁଅନ୍ତି, ସେତେବେଳେ ଆପଣ ଉଚ୍ଚ ସ୍ବରରେ କଥାବାର୍ତ୍ତା କରନ୍ତି। ଏହାର ଜବାବରେ ଅମିତ ଶାହା ହସି ହସି କହିଲେ, ନା, ନା … ମୁଁ କାହାକୁ ଗାଳି ଦିଏ ନାହିଁ। ମୋର ସ୍ବର ଟିକିଏ ଉଚ୍ଚ ଅଟେ।

Share