Categories: ଜାତୀୟ

‘ମୋତେ ଗିରଫ କରି ଦେଖାଉ ଭାଜପା’

କୋଲକାତା,୨୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଭାଜପାକୁ ଟାର୍ଗେଟ କରି ବର୍ଷିଛନ୍ତି। ସେ କହିଛନ୍ତି, ଦେଶର ନିର୍ବାଚିତ ସରକାରମାନଙ୍କୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି। ନିର୍ବାଚିତ ରାଜ୍ୟସରକାରଙ୍କୁ ହଟାଇବା ପାଇଁ ଭାଜପା ସିବିଆଇ, ଇଡି ଅସ୍ତ୍ର ଏବଂ କଳାଧନର ବ୍ୟବହାର କରୁଛି। ଭାଜପା ଏହି ପ୍ରଶ୍ନର ଉତ୍ତର ଦେଉ କି ନିର୍ବାଚିତ ସରକାରଙ୍କୁ ହଟାଇବା ପାଇଁ ତା’ପାଖରେ ଟଙ୍କା କେଉଁଠୁ ଆସୁଛି। ସୂଚନାଯୋଗ୍ୟ, ଟିଏମ୍‌ସି ଛାତ୍ର ସଂଗଠନର ସ୍ଥାପନା ଦିବସ ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଭାଜପା ଉପରେ ବର୍ଷି ଥିଲେ। ସେ କହିଛନ୍ତି, ଭାଜପାର ନେତା ‘ବେଟି ବଚାଓ’ ନାରା ଦେଉଛନ୍ତି। କିନ୍ତୁ ବିଲକିସ୍‌ ବାନୋ ମାମଲାରେ ଜଡିତ ଥିବା ଲୋକଙ୍କୁ ତାଙ୍କ ସରକାର କାହିଁକି ରକ୍ଷାକ କରୁଛନ୍ତି। ଏତଦ୍‌ ବ୍ୟତୀତ ତାଙ୍କ ଦଳ ଟିଏମ୍‌ସି ବିରୋଧରେ ଲାଗିଥିବା ଦୁର୍ନୀତି ଅଭିଯୋଗରେ ମମତା ବାନାର୍ଜୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି ସମ୍ଭବ ଭାଜପା ମୋତେ ଗିରଫ କରୁ ମୁଁ ଖୋଲା ଚ୍ୟାଲେଞ୍ଜ କରୁଛି। ମୋତେ ଜେଲ୍‌ରେ ବନ୍ଦ କରି ରଖାଯାଇପାରିବ କିନ୍ତୁ ମୋ ସ୍ବର ଚପାଯାଇପାରିବ ନାହିଁ। ମୁଁ ଜେଲ୍‌ରୁ ଯୁଦ୍ଧ କରିବି ଏବଂ ଜିତିବି ବୋଲି ମମତା କହିଛନ୍ତି। କେବଳ ଏତିକି ନୁହେଁ, ଆଗାମୀ ଦିନରେ ଆହୁରି ଟିଏମ୍‌ସି ନେତା ଓ ମନ୍ତ୍ରୀଙ୍କୁ ଗିରଫ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ଲୋକଙ୍କ ସ୍ବାଧୀନତାକୁ ଛଡ଼ାଇବା ପାଇଁ ପେଗାସସ୍‌ ବ୍ୟବହାର କରାଯାଉଛି। ଲୋକଙ୍କ ଘରୁ ଟଙ୍କା ଲୁଟିବା ପାଇଁ ଭାଜପା ଇଡି ଏବଂ ସିବିଆଇ ବ୍ୟବହାର କରୁଛି ବୋଲି ମମତା କହିଛନ୍ତି।

 

Share