Posted inଫୁରସତ

ଟ୍ୟୁଶନ ଟଙ୍କାରେ ସାଇକେଲ୍‌ କିଣିଥିଲି

ଅବିଭକ୍ତ କଟକ ଜିଲା ସୁକିନ୍ଦା ବ୍ଲକର କୁମୁଡ଼ି ଗ୍ରାମରେ ୧୯୬୧ରେ ମୋର ଜନ୍ମ। ମହାଦେବ ଉଚ୍ଚ ବିଦ୍ୟାଳୟ ହରିପୁରରୁ ଏକାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି ଓ ସୁକିନ୍ଦା ବ୍ଲକ୍‌ରେ ସବୁଠାରୁ ଅଧିକ ନମ୍ବର ରଖିଥିଲି I ଘରର ଚଳଣି ଏତେ ଭଲ ନ ଥାଏ I ଭଦ୍ରକ କଲେଜରେ ପଢ଼ିଲି I ସବୁଠୁ ବଡ଼ ଭାଇ ମହେନ୍ଦ୍ର କୁମାର ଦାଶ କେନ୍ଦୁଝର ଜିଲାର ଗୋଟିଏ ଗାଁରେ ପୋଷ୍ଟ ମାଷ୍ଟର ଥାଆନ୍ତି ଓ ଆଉ ଗୋଟିଏ ଛୋଟ ଦୋକାନ ଥାଏ I ଯୋଗକୁ ସେଇ ବର୍ଷ ବଡ଼ ଭାଇ ସୁରେନ୍ଦ୍ର କୁମାର ଦାଶ ମଧ୍ୟ ଜେନାପୁର ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ପଣ୍ଡିତ ହିସାବରେ ଯୋଗଦେଲେ। ବୋଧହୁଏ, ଦରମା ତିନି ଶହ ଟଙ୍କା ଥିଲା I ତିନିଶହ ଟଙ୍କାରୁ ମତେ ପ୍ରତି ମାସରେ ୧୦୦ ଟଙ୍କା ଦିଅନ୍ତି I ମାର୍ଚ୍ଚ ମାସରେ ଦରମା ପାଇବାରେ ଡେରି ହୁଏ, ତେଣୁ ସବୁଠୁ ବଡ଼ ଭାଇ ସେଇ ମାସର ତାଙ୍କର ସମ୍ପୂର୍ଣ୍ଣ ଦରମା ଅଶୀ ଟଙ୍କା ପଠାନ୍ତି, ଯାହା ନିଅଣ୍ଟ ପଡ଼େ I ସେତେବେଳେ ନ୍ୟାଶନାଲ୍‌ ସ୍କଲାରଶିପ୍‌ ଅଧିକ ନମ୍ବର ରଖିଥିବା ପ୍ରଥମ ପାଞ୍ଚ ଶହ ପିଲାଙ୍କୁ ମିଳେ I ସେହିବର୍ଷ ପ୍ରଥମ ପାଞ୍ଚ ଶହ ନମ୍ବର ରଖିଥିବା ପାଞ୍ଚଶହ ପିଲାଙ୍କ ଭିତରେ ମୋ ନଁା ନ ଥିଲା I ମାତ୍ର ଗୋଟିଏ ନମ୍ବର ପାଇଁ ମୁଁ ନ୍ୟାଶନାଲ୍‌ ସ୍କଲାରଶିପ୍‌ ପାଇବାରୁ ବଞ୍ଚତ୍ତ ହେଲି I କିନ୍ତୁ ମତେ ଜୁନିଅର୍‌ ସ୍କଲାରଶିପ୍‌ ମାସିକ ଚାଳିଶ ଟଙ୍କା ମିଳିଲା I କିନ୍ତୁ ଏହା ପ୍ରତି ମାସରେ ନ ମିଳି ବର୍ଷ ଶେଷରେ ଏକାଥରେ ଚାରିଶହ ଅଶୀ ଟଙ୍କା ମିଳେ I ଯଦିଓ ଏହାକୁ ମୁଁ ପ୍ରଥମ ରୋଜଗାର ବୋଲି ଭାବେନି ତଥାପି ଏହା ମତେ ବହୁତ ଖୁସି ଦେଇଥିଲା I ବର୍ଷ ସାରା ହଳିଏ ପ୍ୟାଣ୍ଟ୍‌ ଶାର୍ଟ ପିନ୍ଧୁଥିଲି ଓ ମୋ ପାଖରେ କିଛି ବହି ନ ଥିଲା I ସେଥିପାଇଁ ଏଇ ପଇସାରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନର ଦୁଇଟି ବହି ଓ ହଳେ ନୂଆ ପ୍ୟାଣ୍ଟ ଶାର୍ଟ କପଡା କିଣି ଦରଜି ପାଖରେ ବନେଇଲି I ଏବେ ମୋ ପାଖରେ ଦୁଇହଳ ଡ୍ରେସ୍‌ I ମୁଁ ବହୁତ ଖୁସି I ଆଇ.ଏସ୍‌ସି.ରେ ପ୍ରଥମ ଶ୍ରେଣୀରେ ପାସ୍‌ କଲା ପରେ ସେଇ ଭଦ୍ରକ କଲେଜରେ ଦୁଇ ବର୍ଷ ବି.ଏସ୍‌ସି. ମଧ୍ୟ ପଢ଼ି ପଦାର୍ଥ ବିଜ୍ଞାନ ସମ୍ମାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି। ତା’ପରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ, ରାଉରକେଲାରେ ପଦାର୍ଥ ବିଜ୍ଞାନରେ ଏମ.ଏସସି.ରେ ନାମ ଲେଖାଇଲି। ମାସକୁ ଅଢ଼େଇ ଶହ ଟଙ୍କା ଦିଅନ୍ତି। ମତେ ଲୋନ ସ୍କଲାରଶିପ୍‌ ଶହେ ପଚିଶ ଟଙ୍କା ମିଳେ, କିନ୍ତୁ ବର୍ଷ ଶେଷରେ I ହଲ୍‌-୪ରୁ କଲେଜ ଦୂର ଥାଏ, ସେଥିପାଇଁ ସବୁ ପିଲାଙ୍କର ସାଇକେଲ୍‌ ଥାଏ I କିଛି ଦିନ ଗଲାପରେ ବଡ଼ ନନାଙ୍କୁ କହିଲି ସାଇକେଲ୍‌ଟିଏ ଦବା ପାଇଁ I ଯାହା ହେଉ ସେ ରାଜି ହୋଇଗଲେ ଓ ମୁଁ ଦୁର୍ଗା ପୂଜା ଛୁଟିରେ ଆସି ସାଇକେଲ୍‌ଟି ନେଇଗଲି I କଲେଜ ଯିବା ଆସିବା ସୁବିଧା ହେଲା ଓ ବାହାରେ ବୁଲାବୁଲି ବି କରିହେଲା। ଦିନେ ଆମ୍ବବାଗନ ମାର୍କେଟ୍‌କୁ ଯାଇଥିଲି I ସାଇକେଲରେ ଚାବି ଦେଇ ମାର୍କେଟ୍‌ରୁ କିଛି ଜିନିଷ କିଣି ଫେରିଲା ବେଳକୁ ସାଇକେଲ୍‌ ନାହିଁ । ଯେତେ ଖୋଜାଖୋଜି କଲେ ବି ଆଉ ମିଳିଲାନି I ଥାନାରେ ଖବର ଦେଲି। କିଛି ଲାଭ ହେଲାନି I ବଡ଼ ଭାଇଙ୍କୁ ସାଇକେଲ୍‌ ଚୋରି ହୋଇଗଲା ବୋଲି ଜଣେଇଲିନି I ଆମର ଜଣେ ପ୍ରଫେସର୍‌ ଡ. ମିଶ୍ର କେମିତି ମୋ କଥା ଜାଣିଲେ କେଜାଣି ମତେ ଜଣଙ୍କ ଘରେ ଟ୍ୟୁଶନ କରିବାକୁ କହିଲେ। ସେକ୍ଟର୍‌-୧ରେ ଦାସ ବାବୁ ବୋଲି ଜଣଙ୍କ ଘରକୁ ମତେ ତାଙ୍କ ସ୍କୁଟରରେ ବସେଇ ନେଇଗଲେ। କଥାବାର୍ତ୍ତା ହେଲା ପରେ ତାଙ୍କର ନବମ ଶ୍ରେଣୀରେ ପଢୁଥିବା ଝିଅ ମାମିକୁ ପଢ଼ାଇବାକୁ କହିଲେ। ତା’ ସହିତ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢୁଥିବା ଦୁଇ ଭାଇ ବସିବେ। ମାସକୁ ୧୦୦ ଟଙ୍କା ଦରମା। ୨/୩ କି.ମି ରାସ୍ତା, କେତେବେଳେ ଚାଲି ଚାଲି ତ କେତେବେଳେ କାହା ସାଇକେଲ୍‌ ଆଣି ପଢ଼େଇବାକୁ ଆସେ। ଏଇମିତି ତିନି ଚାରି ମାସ ପଢ଼େଇଲା ପରେ ମୋର ସାଇକେଲ୍‌ କିଣିବା ପାଇଁ ପଇସା ହୋଇଗଲା। ୩୫୦ ଟଙ୍କାରେ ଗୋଟିଏ ଲେଡିଜ୍‌ ସାଇକେଲ୍‌ କିଣିଲି I ଭାବିଲି ଲେଡିଜ୍‌ ସାଇକେଲ୍‌ କିଣିଲେ ଝିଆରୀକୁ ଦେଇଦେବି। ଏଇ ସାଇକେଲ୍‌ କିଣିବା ମୋର ପ୍ରଥମ ରୋଜଗାରରୁ ହୋଇଥିଲା ଏବଂ ମତେ ବହୁତ ଖୁସି ଆଣି ଦେଇଥିଲା I ତେବେ ଏମ୍‌.ଏସ୍‌ସି ପରେ ଚାକିରୀ ଜୀବନ ରାଉରକେଲାର ଗାନ୍ଧୀ ମହାବିଦ୍ୟାଳୟରୁ ଆରମ୍ଭ କରି ଶେଷରେ ଅଧ୍ୟକ୍ଷ ଭାବେ ବାଜି ରାଉତ୍‌ କଲେଜରୁ ୨୦୨୧ରେ ଅବସର ଗ୍ରହଣ କରିଥିଲି। ମୁଁ ଅନେକ ପାଠ୍ୟପୁସ୍ତକ ଲେଖିବା ସହ ଗଳ୍ପ ଓ ଉପନ୍ୟାସ ଲେଖିବାରେ ମଧ୍ୟ ରୁଚି ରଖିଛି। ନିକଟରେ ମୋର ଏକ ଉପନ୍ୟାସ ‘ଚଗଲା ଓ ଚଗଲି’ ମଧ୍ୟ ପ୍ରକାଶିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri