ପ୍ରଥମ ଦରମାରେ ଭାଇ ସହ ରେଷ୍ଟୁରାଣ୍ଟରେ ଖାଇଥିଲି

ବାଲେଶ୍ୱର ଜିଲା ସୋରୋ ତହସିଲ ଅନ୍ତର୍ଗତ କେଦାରପୁରରେ ଆମ ଗାଁ ହୋଇଥିଲେ ହେଁ, ଗୋପାଳପୁରରେ ଆମେ ରହୁଥିଲୁ। କାରଣ ବାପା ସେଠାରେ ଜାଗା କିଣି ଘର କରିଥିଲେ। ଆଉ ମୋ ମାମୁ ଘର ଥିଲା ରାଇରଙ୍ଗପୁରରେ। ଅଧିକାଂଶ ସମୟ ମାମୁ ଘରେ ମୋର କଟେ। ଏମିତି କି ପାଠ ବି ସେଇଠି ପଢ଼ିଛି। ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ରେଭେନ୍ସା କଲେଜରେ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଇଂଲିଶରେ ପି.ଜି. କରିଥିଲି। ପି.ଜି. ପରୀକ୍ଷା ସରିଥାଏ ହେଲେ ରେଜଲ୍ଟ ବାହାରି ନ ଥାଏ। ତା’ରି ଭିତରେ ମୋତେ ଗୋପାଳପୁରରେ ନୂଆ କରି ଖୋଲିଥିବା ‘ଜାତୀୟ ଶିକ୍ଷା ମହାବିଦ୍ୟାଳୟରେ’ ଇଂଲିଶ ଅଧ୍ୟାପିକା ଭାବେ ଚାକିରି ମିଳିଲା। ଏହା ଥିଲା ୧୯୯୫ ମସିହାର କଥା। ସେତେବେଳେ ମାତ୍ର ୧୦୦୦ ଟଙ୍କା ଦରମା ଆକାରରେ ମିଳୁଥିଲା। ପ୍ରଥମ ମାସ ଦରମା ପାଇଲା ପରେ ସାନ ଭାଇ ସାଙ୍ଗେ ରେଷ୍ଟୁରାଣ୍ଟ ଯାଇ ମନ ଖୁସିରେ ଖାଇଥିଲି। ସେଠାରେ ମାତ୍ର ଦୁଇ ବର୍ଷ କାମ କରିବା ପରେ ମୋ ବାହାଘର ହୋଇଗଲା। ଶାଶୁଘର ରାଇରଙ୍ଗପୁରରେ ହୋଇଥିବାରୁ ବାଧ୍ୟ ହୋଇ ଚାକିରି ଛାଡ଼ିବାକୁ ପଡିଲା। ତା’ପରଠୁ ସାଂସାରିକ ଜଞ୍ଜାଳ ଭିତରେ ଏମିତି ବାନ୍ଧି ହୋଇଗଲି ଯେ, ଆଉ କେଉଁଠି ଚାକିରି କରିବାକୁ ସମୟ ବାହାର କରିପାରିଲିନି। ଚାକିରି ସିନା କରିପାରିଲିନି ହେଲେ ଗୀତ ଗାଇବା ଛାଡ଼ିନି କି ଛାଡ଼ି ପାରିବିନି। କାରଣ ଏହା ମୋର ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ। କହିବାକୁ ଗଲେ ମୋର ଆଉ ଏକ ପରିଚୟ ହେଲା ସୁନାମଧନ୍ୟା କଣ୍ଠଶିଳ୍ପୀ ସ୍ବରୂପା ଚକ୍ରବର୍ତ୍ତୀଙ୍କର ମୁଁ ହେଲି ଝିଅ। ତେଣୁ ଗୀତ କ୍ଷେତ୍ରରେ ମୋର ପ୍ରଥମ ଗୁରୁ ହେଲେ ମୋ ମା’। ତା’ପରେ କ୍ରମେ ଗୁରୁ କମଲ୍‌ ବରନ୍‌ ଚେଲ୍‌, ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀ, ଗୁରୁ ହରମୋହନ ଖୁଣ୍ଟିଆ ଆଦିଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିଖିଥିଲି। ଏପରି କି ଶାସ୍ତ୍ରୀୟ ସଙ୍ଗୀତରେ ମୁଁ ବିଶାରଦ ମଧ୍ୟ କରିଛି। କିନ୍ତୁ
ସଙ୍ଗୀତ ଜଗତର ସ୍ରଷ୍ଟା ଶ୍ରୀଯୁକ୍ତ କୃଷ୍ଣ ଗୋସ୍ବାମୀ ହେଲେ ମୋ ସଙ୍ଗୀତ ଦୁନିଆର ପ୍ରକୃତ ପିତାମାତା। ସଙ୍ଗୀତ କ୍ଷେତ୍ରରେ ଆଗକୁ ବଢିବା ପାଇଁ ତାଙ୍କଠାରୁ ବହୁତ କିଛି ଶିଖିଛି ଆଉ ବହୁ ପ୍ରେରଣା ବି ପାଇଛି। ତେଣୁ ପି.ଜି. ପଢ଼ା ପରେ ଅଡିସନ୍‌ ଦେଇ ଆକାଶବାଣୀରେ ଅନେକ ଗୀତ ଗାଇଛି। ଏପରି କି ମୁଁ ହେଉଛି ଆକାଶବାଣୀର ସ୍ବୀକୃତିପ୍ରାପ୍ତ ବି-ଗ୍ରେଡ୍‌ କଣ୍ଠଶିଳ୍ପୀ। କେବଳ ଆକାଶବାଣୀରେ ଗୀତ ଗାଉଥିଲି ତାହା ନୁହେଁ, ଛୋଟବେଳୁ ମା’ଙ୍କ ସାଙ୍ଗରେ ବିଭିନ୍ନ ଷ୍ଟେଜ୍‌ ପ୍ରୋଗ୍ରାମକୁ ଯାଇ ବି ଗୀତ ଗାଇଛି। ସ୍କୁଲ ଓ କଲେଜ ଫଙ୍କ୍‌ସନ୍‌ରେ ଗୀତ ଗାଇ ଅନେକ ପୁରସ୍କାର ମଧ୍ୟ ପାଇଛି। ହେଲେ ବାହାଘର ପରେ ଆଉ ବେଶି କିଛି ପ୍ରୋଗ୍ରାମ୍‌ କରିପାରିନି। ଘର, ପିଲାମାନଙ୍କୁ ସମୟ ଦେଇ ଅନେକ ବଡ଼ ବଡ଼ ସୁଯୋଗକୁ ହାତଛଡ଼ା କରି କେବଳ ଆକାଶବାଣୀ ସହ ଜଡ଼ିତ ହୋଇ ରହିଯାଇଛି। ତେବେ କେଉଁ ପୁଣ୍ୟବଳେ ଭାଇ ହେଲୁ ନାଉରୀ, ଜଗତର ନାଥ ତୋର ନାବେ ସବାରି (ଭଜନ), ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର (ଭଜନ), ଆ ମେଘ ବରଷି ଯା’ ମେଘ ବରଷି (ଆଧୁନିକ), ତୋ ବିନା ଚାନ୍ଦିନୀ ହେବନି (ଆଧୁନିକ) ଆଦି ହେଉଛି ମୁଁ ଗାଇଥିବା କେତୋଟି ଲୋକପ୍ରିୟ ଗୀତ; ଯାହା ଶ୍ରୋତାଙ୍କୁ ଆଜି ବି ଖୁବ୍‌ ଆନ୍ଦୋଳିତ କରିଥାଏ। ବାସ୍‌ ଏତିକି ତ ଜଣେ କଣ୍ଠଶିଳ୍ପୀ ପାଇଁ ଦରକାର; ତେଣୁ ମୁଁ ବହୁତ ଖୁସି ଅଛି।

ଅମ୍ବ୍ରିତା