ଇସ୍ତଫା ପରେ ବି ନରମି ନାହାନ୍ତି ଧର୍ମେନ୍ଦ୍ର; କଂଗ୍ରେସ ନେତା ଜୟରାମ ରମେଶଙ୍କୁ ଦେଲେ କଡ଼ା ଜବାବ, କହିଲେ-ମୁଁ ଜଣେ …

ନୂଆଦିଲ୍ଲୀ, ୨୭।୭: ଜନ୍ତର-ମନ୍ତରରେ ମାସେରୁ ଅଧିକ ସମୟ ଧରି ଚାଲିଥିବା CJPର ଆନ୍ଦୋଳନ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ସୋମବାର ସେ ସଂସଦରେ ପହଞ୍ଚିଥିଲେ। ଏହି ସମୟରେ ଭାଜପା ସାଂସଦମାନେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ବିହାରର ଦରଭଙ୍ଗା ଲୋକ ସଭା ସାଂସଦ ଗୋପାଳଜୀ ଠାକୁର ତାଙ୍କୁ ମିଥିଳାର ପାରମ୍ପରିକ ‘ପଗଡ଼ି’ ପିନ୍ଧାଇ ସମ୍ମାନିତ କରିଥିଲେ। ଏହାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଥିଲେ ଯେ, ଭାଜପା ସାଂସଦମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏପରି ସ୍ବାଗତ କରୁଛନ୍ତି, ଯେପରି ସେ କୌଣସି ବଡ଼ ସଫଳତା ହାସଲ କରିଛନ୍ତି। ଏହାର ଜବାବରେ ଧର୍ମେନ୍ଦ୍ର ପ୍ରଧାନ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି, “ମୁଁ ଜଣେ ଷ୍ଟ୍ରିଟ ଫାଇଟର, ଏସି ରୁମ ଆକ୍ଟିଭିଷ୍ଟ ନୁହେଁ।”

ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ ସଂସଦ ପରିସରରେ କଂଗ୍ରେସର ରାଜ୍ୟ ସଭା ସାଂସଦ ଜୟରାମ ରମେଶଙ୍କ ସହ ଆଲୋଚନା ବେଳେ ନିଜର ମନୋଭାବ ସ୍ପଷ୍ଟ କରିଥିଲେ। ସେ ଶାନ୍ତ ଓ ଦୃଢ଼ ସ୍ବରରେ କହିଥିଲେ, “ମୁଁ ଜଣେ ଷ୍ଟ୍ରିଟ ଫାଇଟର, ଏସି ରୁମ ଆକ୍ଟିଭିଷ୍ଟ ନୁହେଁ।” ଅର୍ଥାତ୍‌ “ମୁଁ ଜଣେ ଷ୍ଟ୍ରିଟ ଫାଇଟର, ଏସି ରୁମରେ ବସି କାମ କରୁଥିବା ଆକ୍ଟିଭିଷ୍ଟ ନୁହେଁ।” ତାଙ୍କ ଏହି ମନ୍ତବ୍ୟରୁ ସେ ସ୍ପଷ୍ଟ ସଙ୍କେତ ଦେଇଥିଲେ ଯେ, ତାଙ୍କ ମନୋବଳ ଏବେ ମଧ୍ୟ ଦୃଢ଼ ରହିଛି ଏବଂ ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ, ସେ ତାହା ପାଳନ କରିବେ। ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ବୟାନକୁ ଜୟରାମ ରମେଶଙ୍କ ପ୍ରତି ପରୋକ୍ଷ ଆକ୍ରମଣ ବୋଲି ମଧ୍ୟ ଦେଖାଯାଉଛି। କାରଣ ଜୟରାମ ରମେଶ ଲୋକସଭା ନୁହେଁ, ବରଂ ରାଜ୍ୟ ସଭାର ସାଂସଦ ଭାବେ ନିର୍ବାଚିତ ହୋଇଆସୁଛନ୍ତି।

ଅନ୍ୟପଟେ, ଲୋକ ସଭାରେ ବିରୋଧୀ ସଦସ୍ୟଙ୍କ ଲଗାତାର ସ୍ଲୋଗାନ ଯୋଗୁ ସୋମବାର ଗୃହର କାର୍ଯ୍ୟବାହୀ ବାଧାପ୍ରାପ୍ତ ହୋଇଥିଲା। ସରକାର ‘ଲୋକ ପରୀକ୍ଷା (ଅନୁଚିତ ଉପାୟର ନିରୋଧ) ସଂଶୋଧନ ବିଲ, ୨୦୨୬’ ଉପରେ ବିସ୍ତୃତ ଆଲୋଚନା କରିବାକୁ ଆହୱାନ କରୁଥିବା ବେଳେ ବିରୋଧୀ ଦଳ ହଙ୍ଗାମା କରିଥିଲେ। ଏହା ପରେ ଗୃହ କାର୍ଯ୍ୟକୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।

 

 

Odisha’s No.1 Odia Daily

Share