Categories: ବାଣିଜ୍ୟ

ସର୍ବବୃହତ୍‌ ଆଇପିଓ ଆଣିପାରେ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ,୬।୨: ଅନ୍ତରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ମୋଟର କୋ.ର ଭାରତ ୟୁନିଟ (ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ବା ଏଚ୍‌ଏମ୍‌ଆଇଏଲ୍‌) ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସର୍ବବୃହତ ଇନିସିଆଲ ପବ୍ଲିକ ଅଫର (ଆଇପିଓ) ଆଣିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ଏହି ଆଇପିଓ ମୂଲ୍ୟ ପ୍ରାୟ ୩ ବିଲିୟନରୁ ୩୦ ବିଲିୟନ ହୋଇପାରେ ବୋଲି ଆକଳନ କରାଯାଉଛି। ସେହିଭଳି ଆଇପିଓ ପୂର୍ବର ଏଚ୍‌ଏମ୍‌ଆଇଏଲ୍‌ ଜେ.ପି. ମୋର୍ଗାନ, ଏଚ୍‌ଏସ୍‌ବିସି, ଗୋଲଡମ୍ୟାନ ସ୍ୟାଚ୍ଚ ଏବଂ ସିଟି ଭଳି ବିଶ୍ୱସ୍ତରୀୟ ଆର୍ଥିକ ନିବେଶକ ସଂସ୍ଥା (ବ୍ୟାଙ୍କ)ଗୁଡିକ ସହିତ ପରାମର୍ଶ ଓ ଆଲୋଚନା କରିଥିବା ଜଣାପଡିଛି। ଅପରପକ୍ଷରେ ୧୫% ବଜାର ଅଂଶ ସହିତ ଭାରତର ଦ୍ୱିତୀୟ ବୃହତ୍ତମ ଅଟୋମେକର୍‌ ହ୍ୟୁଣ୍ଡାଇ ଦ୍ୱାରା ପାଣ୍ଠି ସଂଗ୍ରହ ତା’ର ଘରୋଇ ୟୁନିଟ୍‌କୁ ୩୦ବିଲିୟନ ଡଲାର ପର୍ଯ୍ୟନ୍ତ ମୂଲ୍ୟ ଦେବ, ଯାହା ସିଓଲଠାରେ କମ୍ପାନୀର ବଜାର ପୁଞ୍ଜି ୪୨ବିଲିୟନ ଡଲାରର ଅଧାରୁ ଅଧିକ ବୋଲି ହ୍ୟୁଣ୍ଡାଇ ପକ୍ଷରୁ ଆକଳନ କରାଯାଇଛି । ସେହିଭଳି ସୋମବାର ପୁଞ୍ଜି ବଜାରରେ କମ୍ପାନୀର ଶେୟାର ୫% ବୃଦ୍ଧି ପାଇ ପ୍ରାୟ ତିନି ବର୍ଷ ମଧ୍ୟରେ ସର୍ବାଧିକ ହୋଇଛି। ସେହିପରି ଘରୋଇ ବଜାରରେ ଟାଟା ମୋଟର୍ସ (୪୧.୪୩ ବିଲିୟନ ଡଲାର) ଏବଂ ମାରୁତି ସୁଜୁକି ଇଣ୍ଡିଆ (୪୦.୧୧ ବିଲିୟନ ଡଲାର) ଭଳି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇବା ଦିଗରେ ହ୍ୟୁଣ୍ଡାଇ ଇଣ୍ଡିଆ ଉକ୍ତ ପାଣ୍ଠି ବିନିଯୋଗ କରିବ। ଏପରିକି ପ୍ରାୟ ୩୦ ବିଲିୟନ ଡଲାର ବିନିଯୋଗରେ ହ୍ୟୁଣ୍ଡାଇ ଇଣ୍ଡିଆ ଇଭି, ଭିତ୍ତିଭୂମି, ନୂତନ ୟୁନିଟ ଓ କାରଖାନା ସ୍ଥାପନ ଆଦିରେ ମନୋନିବେଶ କରିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ କୋଟି କୋଟି ଡଲାରର ଘରୋଇ ତଥା ବିଦେଶୀ ଅର୍ଥରେ ବୃଦ୍ଧି ପାଇ ଭାରତର ୪ଟ୍ରିଲିୟନ ଡଲାରର ଷ୍ଟକ ବଜାର ଚାଇନା ପାଇଁ ଦ୍ରୁତ ଅଭିବୃଦ୍ଧିର ବିକଳ୍ପ ଭାବେ ଉଭା ହୋଇଛି, ଯାହା ହଂକଂକୁ ବିଶ୍ୱର ଚତୁର୍ଥ ବୃହତ୍ତମ ସ୍ଥାନ ଭାବେ ଅତିକ୍ରମ କରିଛି।

 

Share