ହାଇଡ୍ରୋଜେନ୍‌

ସେପ୍ଟେମ୍ବର ୨୫ରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ୍‌ ସିଂ ପୁରି ଇଣ୍ଡିଆ ଗେଟ୍‌ ନିକଟରେ ଦେଶର ପ୍ରଥମ ସବୁଜ ଉଦ୍‌ଜାନ ବା ଗ୍ରୀନ୍‌ ହାଇଡ୍ରୋଜେନ୍‌ଚାଳିତ ବସ୍‌ର ଶୁଭାରମ୍ଭ କରିଛନ୍ତି। ସରକାର ସବୁଜ ଉଦ୍‌ଜାନଚାଳିତ ଯାନ ଚଳାଚଳ ଲାଗି ଅଣ୍ଟା ଭିଡ଼ିଛନ୍ତି ଓ ଆସନ୍ତା ୨୦୭୦ ସୁଦ୍ଧା ଏହି ବସ୍‌ଗୁଡ଼ିକ ଭାରତର ଶୂନ୍ୟ ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ନେବ ବୋଲି କହିଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ୍‌କରୀ ମାର୍ଚ୍ଚ ୨୦୨୨ରେ ପାର୍ଲାମେଣ୍ଟକୁ ଏକ ଉଦ୍‌ଜାନଚଳିତ କାର୍‌ ଚଢ଼ି ଯାଇଥିଲେ। ସେଠାରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଭାରତ ସରକାର କେବଳ ଏଭଳି କାର ନିର୍ମାଣ କରିବା ଯୋଜନା କରୁନାହାନ୍ତି, ବରଂ ହାଇଡ୍ରୋଜେନ୍‌ ରପ୍ତାନି ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ମଧ୍ୟ ପ୍ରକାଶ କରିଥିଲେ ଯେ, ସ୍ବେରେଜ ପାଣି ଓ କଠିନ ବର୍ଜ୍ୟରୁ ଉଦ୍‌ଜାନ ପ୍ରସ୍ତୁତ ହୋଇ ସେଥିରେ ବସ୍‌, କାର୍‌, ଟ୍ରକ୍‌ ସବୁ ଚାଲିବ। ଏତିମଧ୍ୟରେ ଦେଢ଼ବର୍ଷ ବିତିଗଲାଣି ଓ ସେଭଳି ଗାଡ଼ି ବଜାରକୁ ଏପର୍ଯ୍ୟନ୍ତ ଆସିପାରିନାହିଁ। କିନ୍ତୁ ହରଦୀପ୍‌ ପୁରି ଉଦ୍‌ଜାନଚାଳିତ ବସର ଉଦ୍‌ଘାଟନ କରି ଦିଲ୍ଲୀ ଏନ୍‌ସିଆରରେ ଆଉ ଏଭଳି ୧୫ଟି ବସ୍‌ ଚାଲିବ ବୋଲି କହିଛନ୍ତି। କିନ୍ତୁ ଦେଶର ଅନ୍ୟସବୁ ସ୍ଥାନରେ ଏହି ବସ୍‌ କେବେ ଦେଖିବାକୁ ମିଳିବ ତାହା କହିନାହାନ୍ତି।
ଉଲ୍ଲେଖନୀୟ ଯେ, ଜାପାନର ଟୟୋଟା କମ୍ପାନୀର ମିରାଇ ହେଉଛି ପୃଥିବୀର ପ୍ରଥମ ମୋଟର ଗାଡ଼ି, ଯେଉଁଥିରେ ଉଦ୍‌ଜାନ ଇନ୍ଧନ ସେଲ୍‌ ଅଛି। ସହଜରେ କହିବାକୁ ଗଲେ ଉଦ୍‌ଜାନ ଇନ୍ଧନ ସେଲ୍‌ର ମୂଳମନ୍ତ୍ର ହେଉଛି ଉଦ୍‌ଜାନ ବାଷ୍ପ ସହିତ ଅମ୍ଳଜାନ ମିଶିଲେ ବିଦ୍ୟୁତ୍‌ ଶକ୍ତି ସୃଷ୍ଟିହୁଏ, ଯାହାକି ଗାଡ଼ିକୁ ଚଳାଇବ। ଏଥିପାଇଁ କୌଣସି ଜୀବାଶ୍ମ ଇନ୍ଧନର ଆବଶ୍ୟକ ପଡ଼େନାହିଁ। ଫଳରେ ପ୍ରଦୂଷଣ କମ୍‌ ହୋଇଥାଏ। ମନେରଖିବାକୁ ହେବ ଯେ, ଉଦ୍‌ଜାନ ଏକ ଓଜନିଆ ବାଷ୍ପ। ଏହାକୁ ବ୍ୟବହାର କରିବା ପାଇଁ ଗାଡ଼ିରେ ଦାମୀ ଓ ଓଜନିଆ ଯନ୍ତ୍ରପାତି ଦରକାର। ତେବେ ଏଭଳି ଯାନ ନିର୍ମାଣ ଅତ୍ୟନ୍ତ ବ୍ୟୟବହୁଳ। ଭାରତ ପରିପ୍ରେକ୍ଷୀରେ କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌), ନ୍ୟାଶନାଲ କେମିକାଲ ଲାବୋରେଟାରି (ପୁଣେ) ଅଟୋମୋବାଇଲ ଟେକ୍‌ ନୋଲୋଜି କମ୍ପାନୀ କେପିଆଇଟିର ମିଳିତ ଗବେଷଣାରେ ସ୍ବଦେଶୀ ଜ୍ଞନକୌଶଳରେ ବିକଶିତ ଉଦ୍‌ଯାନ ଇନ୍ଧନ ସେଲ ଦ୍ୱାରା ଉଦ୍‌ଜାନଚାଳିତ କାରର ପ୍ରଥମ ପରୀକ୍ଷଣ ୨୦୨୦ରେ କରାଯାଇଥିଲା। ସେବେଠାରୁ ଉଦ୍‌ଜାନଚାଳିତ ଗାଡ଼ି ପାଇଁ ଆବଶ୍ୟକ ସବୁଜ ଉଦ୍‌ଜାନ ଉତ୍ପାଦନ ଏକ ଚ୍ୟାଲେଞ୍ଜ ହୋଇରହିଛି। ଏହାର ଉତ୍ପାଦନ ଲାଗି ବିରାଟକାୟ ଇଲେକ୍ଟ୍ରୋଲିସିସ ପ୍ରକ୍ରିୟା ଓ ସବୁଜ ଶକ୍ତି ଆବଶ୍ୟକ ହେବ। ଏହା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ। ଉଲ୍ଲେଖନୀୟ ଯେ, ସ୍କଟ୍‌ଲାଣ୍ଡ, ଇଂଲଣ୍ଡ, ଜର୍ମାନୀ ଓ ଜାପାନରେ ଉଦ୍‌ଜାନ ଉତ୍ପାଦନର ଅଭିଜ୍ଞତା ଅଛି। ଏହାସହ ପୃଥିବୀର କ୍ୱଚିତ୍‌ ଦେଶରେ ଅତ୍ୟନ୍ତ କମ୍‌ ଲୋକ ଅଛନ୍ତି, ଯେଉଁମାନଙ୍କର ଉଦ୍‌ଜାନ ବ୍ୟବହାର ସମ୍ପର୍କରେ ଅଭିଜ୍ଞତା ରହିଛି। ଏବେ ଭାରତରେ ଭାରତୀୟ ତୈଳ ନିଗମ, ରିଲାଏନ୍ସ, ଆଦାନୀ, ଏଲ୍‌ ଆଣ୍ଡ୍‌ ଟି, ଓଏନ୍‌ଜିସି, ବିପିସିଏଲ୍‌ କମ୍ପାନୀ ସବୁଜ ଉଦ୍‌ଜାନ ଉତ୍ପାଦନ ଆରମ୍ଭ କରିଛନ୍ତି। ଭାରତ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶକୁ ଉଦ୍‌ଜାନ ଯୋଗାଇବାରେ ଏହିସବୁ କମ୍ପାନୀ କିଭଳି ସକ୍ଷମ ହେବେ ତାହା ସମୟ କହିବ। ଏଥିସହିତ ଏହି ବାଷ୍ପକୁ ରାସ୍ତକଡ଼ରେ ପେଟ୍ରୋଲ୍‌ କିମ୍ବା ଡିଜେଲ ପରି କିଭଳି ଯୋଗାଇ ଦିଆଯିବ ତାହା ଏକ ବିରାଟ ପ୍ରଶ୍ନ। ତେବେ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ ପୁରି ଉଦ୍‌ଜାନଚାଳିତ ବସ୍‌ ସାମ୍ନାକୁ ଆଣୁଥିବାବେଳେ ମନେରଖିବାକୁ ହେବ ଯେ, ଆମେ ଏବେ ସୁଦ୍ଧା କୋଇଲା ଉପରେ ଅଧିକ ନିର୍ଭରଶୀଳ ଓ ତାପଜ ବିଦ୍ୟୁତ୍‌ ଉତ୍ପାଦନକୁ ପ୍ରୋତ୍ସହିତ କରିଚାଲିଛୁ। ସବୁଜ ଉଦ୍‌ଯାନ ଉତ୍ପାଦନ କ୍ଷେତ୍ରରେ ସରକାର କେତେ ଆଗ୍ରହୀ, ତାହା ଜାତୀୟ ସବୁଜ ଉଦ୍‌ଜାନ ମିଶନ ପାଇଁ ୨୦୨୩ ବଜେଟରୁ ସ୍ପଷ୍ଟ ହେଉଛି। ଏହି ବଜେଟରେ ମାତ୍ର ୧୯,୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ପ୍ରଦୂଷଣ କମାଇବା ଲକ୍ଷ୍ୟରେ ସରକାରଙ୍କ କେତେ ଆନ୍ତରିକତା ରହିଛି, ତାହା ପ୍ରମାଣିତ ହେଉଛି ବିଦ୍ୟୁତ୍‌ଚାଳିତ ଯାନ ଚଳାଚଳ କ୍ଷେତ୍ରରେ। ଏହି ଯାନ ପାଇଁ ଯେଉଁଭଳି ଭିତ୍ତିଭୂମି ଯୋଗାଇ ଦିଆଯିବା ଦରକାର ତାହା ଏଯାବତ୍‌ ହୋଇପାରିନାହିଁ। କେବଳ ବଜାରକୁ ଯାନ ଛାଡ଼ିଦେଇ ଏହାର ଆନୁଷଙ୍ଗିକ ଭିତ୍ତିଭୂମି ଉପରେ ସେତେଟା ଗୁରୁତ୍ୱ ଦିଆଯାଉନାହିଁ। ନିବେଶକ କମ୍ପାନୀଗୁଡ଼ିକୁ ଆଶାନୁରୂପ ପ୍ରୋତ୍ସାହନ ଯୋଗାଇବାରେ ବିଫଳତା ସାମ୍ନାକୁ ଆସୁଛି। ଏହା ବ୍ୟତୀତ ନିର୍ଦ୍ଦିଷ୍ଟ ସମୟସୀମା ପରେ ପୁରୁଣା ଦଦରା ଗାଡ଼ିକୁ ହଟାଇବାରେ ବିଫଳତା ଦର୍ଶାଉଛି ଯେ, ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନ ଚାଳିତଯାନ ଭାରତର ରାସ୍ତାରେ ଏମିତି ଆହୁରି ଅନେକ ବର୍ଷ ଗଡ଼ିଚାଲିଥିବ। ଆଉ ଏକ ଦିଗକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ, ଜୀବାଶ୍ମ ଇନ୍ଧନର ପ୍ରଦୂଷଣ ହ୍ରାସ କରିବା ସକାଶେ ଭାରତରେ ପେଟ୍ରୋଲରେ ୧୦% ଇଥାନଲ ବ୍ୟବହାର ହେଉଛି। କିନ୍ତୁ ବ୍ରାଜିଲ ଇଥାନଲରେ ପ୍ରାୟ ଶତ ପ୍ରତିଶତ ଯାନ ଚଳାଉଛି। ଏହି ଇଥାନଲ କୃଷିଜାତ ଦ୍ରବ୍ୟରୁ ପ୍ରସ୍ତୁତ କରାଯାଉଛି। ଏଣୁ ଭାରତ କୃଷିଜାତ ଦ୍ରବ୍ୟରୁ ଇଥାନଲ ପ୍ରସ୍ତୁତ କରି ପ୍ରଦୂଷଣ ହ୍ରାସ କରିବାରେ ବ୍ରାଜିଲଠାରୁ ଶିକ୍ଷା ନେବା ଦରକାର। କେବଳ ସବୁଜ ଉଦ୍‌ଯାନଚାଳିତ ଗାଡ଼ି କଥା କହି ମୂଳ ସମସ୍ୟାରୁ ଦୂରେଇ ରହିଲେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ କଷ୍ଟକର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri