Categories: ଜାତୀୟ

ବ୍ଲାଉଜ ପାଇଁ ମହିଳାଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ୍‌,୬।୧୨: ବ୍ଲାଉଜ ପାଇଁ ସ୍ବାମୀଙ୍କ ସହ ଝଗଡ଼ା ପରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ରବିବାର ଏଭଳି ଘଟଣା ଘଟିଛି ହାଇଦ୍ରାବାଦ୍‌ରେ। ମୃତକ ହେଲେ ୩୫ ବର୍ଷୀୟା ବିଜୟଲକ୍ଷ୍ମୀ। ତାଙ୍କ ସ୍ବାମୀ ଜଣେ ଦରଜି। ହେଲେ ତାଙ୍କ ପସନ୍ଦର ବ୍ଲାଉଜ ସିଲେଇ ନ କରିବାରୁ ସ୍ବାମୀଙ୍କ ସହ ଯୁକ୍ତିତର୍କ ପରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ବିଜୟଲକ୍ଷ୍ମୀଙ୍କ ସ୍ବାମୀ ଶ୍ରୀନିବାସ ଓ ଦୁଇ ଛୁଆଙ୍କ ସହ ହାଇଦ୍ରାବଦର ଅମ୍ବରପେଟର ଥିରୁମାଲା ନଗରରେ ରହୁଥିଲେ। ଶ୍ରୀନିବାସ ଘରରୁ ଘର ବୁଲି ଶାଢ଼ି ଓ ବ୍ଲାଉଜ ବିକିବା ସହ ଦରଜି କାମ କରନ୍ତି। ସୂଚନା ମୁତାବକ, ଶ୍ରୀନିବାସ ଶନିବାର ସ୍ତ୍ରୀଙ୍କ ପାଇଁ ଏକ ବ୍ଲାଉଜ ସିଲେଇ କରିଥିଲେ। ମାତ୍ର ତାହା ପସନ୍ଦ ନ ଆସିବାରୁ ସ୍ବାମୀଙ୍କୁ ପୁଣି ଥରେ ସିଲେଇ କରିବାକୁ କହିଥିଲେ ବିଜୟଲକ୍ଷ୍ମୀ। କିନ୍ତୁ ଶ୍ରୀନିବାସ ମନା କରି ଦେଇ ଘରୁ ଚାଲି ଯାଇଥିଲେ। ପରେ ଛୁଆମାନେ ସ୍କୁଲରୁ ଫେରିବା ପରେ ଘର କବାଟ ବାଡ଼େଇଥିଲେ ମଧ୍ୟ କିଛି ଉତ୍ତର ମିଳି ନ ଥିଲା। ଏଣୁ ଶ୍ରୀନିବାସଙ୍କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଶେଷରେ କବାଟ ଭାଙ୍ଗିବା ପରେ ମିଳିଥିଲା ବିଜୟଲକ୍ଷ୍ମୀଙ୍କ ମୃତଦେହ।

Share