ହାଇଦର ଏନ୍‌କାଉଣ୍ଟର ଘଟଣା: ରିପୋର୍ଟ ତଲବ କଲେ ମାନବ ଅଧିକାର ଆୟୋଗ

ବାଲେଶ୍ୱର ଅଫିସ,୨୬।୭: ହାଇଦର ଏନକାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ ଓଡ଼ିଶା ମାନବ ଅଧିକାର ଆୟୋଗ। ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ । ଏହା ସହିତ ପୋଲିସ କମିଶନରଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି । ଗୃହ ବିଭାଗ, ଜେଲ ଡିଜି, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଏନକାଉଣ୍ଟର ଘଟଣାରେ ଆୟୋଗ ନିଜ ଆଡୁ ମାମଲା ରୁଜୁ କରିଛି । ଆସନ୍ତା ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି।
ସୂଚନାଯୋଗ୍ୟ, ଶନିବାର ହାଇଦରଙ୍କୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲକୁ ନିଆଯାଇଥିଲା। ନେଉଥିବା ସମୟରେ ସେ ରାସ୍ତାରେ ପରିସ୍ରା କରିବା ପାଇଁ କହିଥିଲେ। ଏହି ସମୟରେ ସେ ଗାଡ଼ିରେ ଥିବା ପୋଲିସଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଚେଷ୍ଟା କରିଥିଲେ। ତାଙ୍କୁୁ ଧରିବା ପାଇଁ ବାଧ୍ୟ ହୋଇ ତାଙ୍କ ଉପରେ ଗୁଳିଚାଳନା କରାଯାଇଥିଲା ବୋଲି ପୋଲିସ କହିଛି। ଏଥିରେ ସେ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହାଇଦରଙ୍କ ମୃତ୍ୟୁ ନେଇ ପରିବାର ଲୋକେ ଅନେକ ଅଭିଯୋଗ ଆଣିଛନ୍ତି ।