ସ୍ତ୍ରୀ-ପୁଅକୁ ଉଠାଇନେଇଥିଲେ ସ୍ବାମୀ: ୨୪ ଘଣ୍ଟା ପରେ ମୁକୁଳି ମୁହଁ ଖୋଲିଲେ ଅପହୃତା

ଆଳି,୧୯।୧୧(ବନମାଳୀ ସେନାପତି): ଆପାର୍ଟମେଣ୍ଟରୁ ପତ୍ନୀ ଓ ନାବାଳକ ପୁଅକୁ ଜୋରଜବରଦସ୍ତି ଉଠାଇନେଲେ ସ୍ବାମୀ। ଅପହରଣର ପ୍ରାୟ ୨୪ ଘଣ୍ଟା ପରେ ସ୍ବାମୀଙ୍କ କବଳରୁ ମୁକୁଳି ଆଳି ଥାନାରେ ପହଞ୍ଚିଛନ୍ତି ମହିଳା। ଏଥିସହ ସ୍ବାମୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ ନିଜ ସହ ଘଟିଥିବା ନିର୍ଯାତନାର କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ଏହି ଘଟଣାକୁ ନେଇ ଆଳି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ସ୍ମୃତିରେଖା ବେଉରା ନିଜ ପୁଅ ସହ ଆପାର୍ଟମେଣ୍ଟରେ ଥିବା ସମୟରେ ତାଙ୍କ ସ୍ବାମୀ ଚନ୍ଦନ ଓ ଅନ୍ୟ ୮ ଜଣ ମୁଖାପିନ୍ଧା ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ସ୍ମୃତିରେଖାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଜୋରଜବରଦସ୍ତି ଏକ ଗାଡ଼ିରେ ବସାଇ ନେଇଯାଇଥିଲେ। ଗାଡ଼ିର ଆଗ ସିଟ୍‌ରେ ବସାଇ ତାଙ୍କ ବେକକୁ ଗାମୁଛାରେ ବାନ୍ଧି ରଖିବା ସହ ଯାତ୍ରା ସମୟରେ ମଧ୍ୟ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଗାଡ଼ି ଦୁର୍ଘଟଣା ଘଟାଇ ତାଙ୍କୁ ହତ୍ୟା କରିବାକୁ ସ୍ବାମୀ ଚନ୍ଦନ ଓ ତାଙ୍କ ବାପା ଉଦ୍ୟମ କରିଥିବା ସ୍ମୃତିରେଖା ଅଭିଯୋଗ କରିଛନ୍ତି। ତେବେ ପ୍ରାୟ ୨୪ ଘଣ୍ଟା ପରେ ସେ ସ୍ବାମୀଙ୍କ କବଳରୁ ମୁକୁଳି ଆଳିରେ ପହଞ୍ଚିଥିବା ଜଣାପଡ଼ିଛି।

ସ୍ମୃତିରେଖାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ବାମୀ ଚନ୍ଦନ ଆଳି ଅଞ୍ଚଳର ଜଣେ ଇନଷ୍ଟାଗ୍ରାମ ମହିଳାଙ୍କ ସହ ସମ୍ପର୍କରେ ଥିଲେ। ଏହାକୁ ସେ ବିରୋଧ କରିବାରୁ ଚନ୍ଦନ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ସେ କହିଛନ୍ତି। ଏ ସମ୍ପର୍କରେ ପୂର୍ବରୁ ଆଳି ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ଚନ୍ଦନ ପୋଲିସକୁ ପ୍ରଭାବିତ କରି ଥାନାରୁ ଜାମିନରେ ବାହାରି ଯାଇଥିବା ସ୍ମୃତିରେଖା ଗଣମାଧ୍ୟମକୁ କହିଛନ୍ତି।

ଅନ୍ୟପକ୍ଷରେ, ସ୍ମୃତିରେଖା ନିଖୋଜ ହେବା ପରେ ତାଙ୍କ ବଡ଼ଭଉଣୀ ଲକ୍ଷ୍ମୀପ୍ରିୟା ସ୍ବାଇଁ ଆଳି ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଏହି ଘଟଣାକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ କରିଛନ୍ତି ସ୍ମୃତିରେଖାଙ୍କ ପରିବାର। ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

 

 

Share