ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ମାରିବା ଅଭିଯୋଗରେ ସ୍ବାମୀ କୋର୍ଟ ଚାଲାଣ

କୋକସରା,୨୬ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଯାହାକୁ ସାତ ଜନ୍ମର ଜୀବନସାଥୀ କରିବାକୁ ହୋମନିଆଁରେ ଶପଥ ନେଇଥିଲେ ସ୍ବାମୀ ସେହି ଜୀବନସାଥୀଙ୍କୁ ପେଟ୍ରୋଲ ଢାଳି ନିଆଁରେ ପୋଡ଼ି ମାରି ଏବେ ଜେଲ୍‌ ହାଜତକୁ ଗଲେ ନୃଶଂସ ସ୍ବାମୀ।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡ଼ାରେ। ଗ୍ରାମର ବାଲେଶର ନାଗଙ୍କ ପୁଅ ଜୟନ୍ତ ଗତ ୨୦୨୦ରେ କୋକସରା ଥାନା ଅନ୍ତର୍ଗତ ଜୟନ୍ତପୁର ଗ୍ରାମର ଦିପେନ ସାଗରଙ୍କ ଝିଅ ଉର୍ମିଳା (ପୂଜା)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ବିବାହର କିଛିମାସ ହସଖୁସିରେ ଦାମ୍ପତ୍ୟ ଜୀବନ କଟିଥିବା ବେଳେ ପରେ କିନ୍ତୁ ବୈବାହିକ ଜୀବନରେ ସ୍ବାମୀଙ୍କ ନିର୍ଯାତନାର ଶିକାର ହୋଇ ଆସୁଥିଲେ ଉର୍ମିଳା। ଗତ ୨୩ ତାରିଖ ସନ୍ଧ୍ୟାରେ କୌଣସି କଥାକୁ ନେଇ ଜୟନ୍ତ ସ୍ତ୍ରୀ ଉର୍ମିଳାଙ୍କ ମଧ୍ୟରେ ମତାନ୍ତର ହୋଇଥିବା ବେଳେ ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି। ନିଆଁରେ ପୋଡି ଉର୍ମିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ୨୪ ତାରିଖରେ ମୃତ୍ୟୁ ହୋଇଥିବା ବେଳେ ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ ପରେ ମଙ୍ଗଳବାର କୋକସରା ପୋଲିସ ଉର୍ମିଳାଙ୍କ ସ୍ବାମୀ ଜୟନ୍ତକୁ ଗିରଫ କରିଥିଲେ। ଅନ୍ୟପଟେ ଭୁବନେଶ୍ବରରୁ ମୃତ ଉର୍ମିଳାଙ୍କ ମୃତଦେହ ପହଞ୍ଚିବା ପରେ ବୁଧବାର ମାଝୀଗୁଡା ଗାଁ ମଶାଣିରେ ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ଉର୍ମିଳାଙ୍କ ୨ ବର୍ଷର ଝିଅ ମୁଖାଗ୍ନି ଦେଉଥିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। କୋକସରା ପୋଲିସ ଘଟଣାରେ ଅଭିଯୁକ୍ତ ଜୟନ୍ତଙ୍କୁ କରି ବୁଧବାର କୋର୍ଟ ଚାଲାଣ କରିଛି। ଏନେଇ କୋକସରା ପୋଲିସ ହତ୍ୟା ମାମଲା ୧୯୩/୨୩ ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।