ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କଲେ ସ୍ବାମୀ

କୋରାପୁଟ,୮ା୬(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଛୋଟାଗୁଡ଼ା ଗ୍ରାମରେ ବୁଧବାର ସକାଳେ ଏକ ହତ୍ୟାକାଣ୍ଡ ହୋଇଛି। ପାରିବାରିକ କଳହରୁ ସ୍ତ୍ରୀ ଜାନକୀ ଦାମୀ (୨୩)ଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ସ୍ବାମୀ ଦାମୋଦର ଦାମୀ(୨୬)। ଆଜି ସକାଳେ ଏହି ଘଟଣା ଘଟିଥିବାବେଳେ ଖବରପାଇ କୋରାପୁଟ ସଦର ଥାନା ଏସ୍‌ଆଇ ପ୍ରଫୁଲ୍ଲ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଜାନକୀଙ୍କ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି କୋରାପୁଟ ଆଣିଥିବା ଜଣାଯାଇଛି। ଏନେଇ କୋରାପୁଟ ସଦର ଥାନାରେ ୯୨/୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ସଦର ଥାନାଧିକାରୀ କିରଣବାଳା ସାମଲ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଛୋଟାଗୁଡ଼ାର ଦାମୋଦର ଦାମୀ ଏଲ୍‌ ବାଡ଼ିଗୁଡ଼ାର ଜାନକୀ ଦାମୀଙ୍କୁ ଗତ ୫ ବର୍ଷ ତଳେ ବିବାହ କରିଥିଲେ। ବିବାହର ଏତେ ବର୍ଷ ପରେ ବି କୌଣସି ସନ୍ତାନ ନ ହେବାରୁ ଏନେଇ ବହୁ ସମୟରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। କିଛି ଦିନ ତଳେ ଏହାକୁ ନେଇ ଦାମୋଦର ଜାନକୀଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ସକାଳୁ ଦାମୋଦର ମଦ ପିଇ ଜାନକୀଙ୍କ ସହ ପାଟିତୁଣ୍ଡ କରିଥିଲେ। ଏଥିରେ ଉତ୍ତେଜିତ ହୋଇ ଦାମୋଦର ଏକ ପରିବା କଟା ଏକ ଛୁରିରେ ଜାନକୀଙ୍କ ବେକକୁ ଭୁସି ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦାମୋଦରଙ୍କୁ ଆଣି ଥାନାରେ ଅଟକ ରଖି ଜେରା କରିବାରୁ ସେ ନିଜ ଦୋଷ ସ୍ବୀକାର କରିଛନ୍ତି। ପରେ ପୋଲିସ ଅଭିଯୁକ୍ତ ଦାମୋଦରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।