ଭୁବନେଶ୍ବରରେ ଚାଞ୍ଚଲ୍ୟ; ସ୍ତ୍ରୀ ଚରିତ୍ରକୁ ସନ୍ଦେହ କଲେ ସ୍ବାମୀ, ଝଗଡା ପରେ ଛୁରି ଭୁଷିଦେଲେ

ଭୁବନେଶ୍ୱର,୧୬।୪(ତ୍ରିନାଥ ମହାନ୍ତି): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଛୁରୀ ମାଡ଼ କରିଛନ୍ତି । ଫଳରେ ସ୍ତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଚନ୍ଦ୍ରଶେଖରପୁର ଥାନା ଇଶାନେଶ୍ୱର ବସ୍ତିରେ ଦେଖିବାକୁ ମିଳିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ଶ୍ୟାମ ସୁନ୍ଦର ବିଶୋଇଙ୍କୁ ଗିରଫ ପାଇଁ ଚଢ଼ାଉ ଜାରି ରଖିଛି ।
ଅଭିଯୋଗ ଅନୁସାରେ, ଶ୍ୟାମ ସୁନ୍ଦର ବିବାହ କରିବାକୁ ୧୫ ବର୍ଷ ହୋଇଯିବ । ଉଭୟଙ୍କ ଦୁଇଟି ପିଲା ଥିବାବେଳେ ସ୍ତ୍ରୀ ଏକ ଘରୋଇ କ୍ଲିନିକରେ କାମ କରୁଛନ୍ତି । ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରୁଥିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ଅଲଗା ହୋଇ ରହୁଥିଲେ। ଶିଖରଚଣ୍ଡୀରେ ଶ୍ୟାମସୁନ୍ଦର ରହୁଥିବା ବେଳେ ଇଶାନେଶ୍ୱର ବସ୍ତିରେ ସ୍ତ୍ରୀ ରହୁଥିଲେ। ଗୁରୁବାର ଅପରାହ୍ନ ୨ଟାରେ ଅଭିଯୁକ୍ତ ଶ୍ୟାମସୁନ୍ଦର ସ୍ତ୍ରୀଙ୍କ ନିକଟକୁ ଆସିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଶ୍ୟାମସୁନ୍ଦର ସାଥିରେ ଆଣିଥିବା ଛୁରିରେ ସ୍ତ୍ରୀଙ୍କ ବେକ ଏବଂ ମୁହଁକୁ ଭୁଷି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀ ପଡ଼ିଥିବା ବେଳେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲେ।

 

Dharitri – Odisha’s No.1 Odia Daily