ବାଙ୍କୁଡ଼ା,୨୧।୧୦: ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲାରୁ ଏକ ଲୋମହର୍ଷକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଗୋଟିଏ ଘର ଭିତରେ ପତ୍ନୀ ଓ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ପ୍ରଥମେ ନିଜ ପତ୍ନୀଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡକୁ ଘର ଭିତରେ ଥିବା ମନ୍ଦିରରେ ତ୍ରିଶୂଳ ସମ୍ମୁଖରେ ରଖିଥିଲେ। ପରେ ନିଜ ବାପାଙ୍କୁ ମଧ୍ୟ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ହାତରେ ଛୁରି ଧରି ଗାଁରେ ବୁଲୁଥିବା କୁହାଯାଉଛି।
ସ୍ଥାନୀୟ ସୂତ୍ର ଅନୁଯାୟୀ, ଅଭିଯୁକ୍ତଙ୍କ ନାମ ମଙ୍ଗଳ ଚୌଧୁରୀ। ତାଙ୍କ ଉପରେ ନିଜ ୩୯ ବର୍ଷୀୟ ପତ୍ନୀ ରୁମ୍ପା ଚୌଧୁରୀ ଏବଂ ବାପା ରାଜେନ୍ଦ୍ର ଚୌଧୁରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। ମଙ୍ଗଳ ପ୍ରଥମେ ନିଜ ଆଙ୍ଗୁଠି କାଟି ଦେଇଥିଲେ। ଏହାପରେ ଘର ଭିତରେ ପତ୍ନୀ ରୁମ୍ପାଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ମନ୍ଦିରରେ ତ୍ରିଶୂଳ ସମ୍ମୁଖରେ ରଖିଥିବା ଅଭିଯୋଗ ହୋଇଛି। ପରେ ନିଜ ବାପାଙ୍କୁ ମଧ୍ୟ ହତ୍ୟା କରିଛନ୍ତି।
ଏହି ଘଟଣା ଦାମୋଦର ନଦୀ କୂଳରେ ଥିବା ଲାଲବାବା ମନାଚର ଅଞ୍ଚଳରେ ଘଟିଛି। ଏହା ବାଙ୍କୁଡ଼ା ଜିଲ୍ଲାର ସୋନାମୁଖୀ ଥାନା ଏବଂ ପଶ୍ଚିମ ବର୍ଦ୍ଧମାନ ଜିଲାର କାଙ୍କସା ଥାନା ସୀମା ନିକଟରେ ଅବସ୍ଥିତ।
ନିଜ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ମଙ୍ଗଳଙ୍କୁ ଚିକିତ୍ସା ପାଇଁ ବାଙ୍କୁଡ଼ା ସମ୍ମିଳନୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ଚାଲିଥିବାରୁ ତାଙ୍କୁ ତୁରନ୍ତ ଅଦାଲତରେ ହାଜର କରାଯାଇପାରି ନ ଥିବା ପୋଲିସ କହିଛି। ଘଟଣା ପଛରେ କୌଣସି ତାନ୍ତ୍ରିକ କ୍ରିୟାକଳାପର ସମ୍ପର୍କ ଅଛି କି ନାହିଁ, ତାହାର ମଧ୍ୟ ତଦନ୍ତ କରୁଛନ୍ତି ତଦନ୍ତକାରୀ ଅଧିକାରୀ। ତେବେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡ ସହ ତନ୍ତ୍ରମନ୍ତ୍ରର କୌଣସି ସମ୍ପର୍କ ଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଙ୍ଗଳ ଓ ତାଙ୍କ ପତ୍ନୀ ଘର ଭିତରେ ଥିବା ଏକ ମନ୍ଦିରରେ ନିୟମିତ ପୂଜାପାଠ କରୁଥିଲେ। ଏହା ସହ ଜଣେ ତାନ୍ତ୍ରିକ ମଧ୍ୟ ନିୟମିତ ଭାବେ ସେମାନଙ୍କ ଘରକୁ ଆସୁଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି।