Categories: ଅପରାଧ

ସ୍ତ୍ରୀଙ୍କୁ ଗୁଳି କରି ପରେ ଆତ୍ମହତ୍ୟା କଲେ ସ୍ବାମୀ

ଲକ୍ଷ୍ନୌ, ୨୬।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି। ତେବେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି। ଏହି ଘଟଣାଟି ଲକ୍ଷ୍ନୌର ନାକା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ଏଠାରେ ୫୦ ବର୍ଷୀୟ ଅନୁରୂପ ସିଂ ପରିବାର ସହ ରହୁଥିଲେ। ଅନୁରୂପଙ୍କ ଟ୍ରାନ୍ସପର ବ୍ୟବସାୟ ଥିଲା। କିନ୍ତୁ ଗତ କିଛିମାସ ହେବ ବ୍ୟବସାୟରେ ବହୁତ କ୍ଷତି ସହୁଥିଲେ। ଏହି କାରଣରୁ ସେ ମାନସିକ ଭାରସମ୍ୟ ହରାଇ ବସୁଥିଲେ। ଏପରିକି ଅଧିକାଂଶ ସମୟ ମଦ୍ୟପାନ କରୁଥିଲେ। ମଙ୍ଗଳବାର ରାତିରେ ମଦ୍ୟପାନ କରି କୌଣସି କାରଣରୁ ଘରେ ଗଣ୍ଡଗୋଳ କରିଥିଲେ। ଏହାପରେ ନିଜର ଲାଇସେନ୍ସ ବନ୍ଧୁକ ବାହାର କରି ପରିବାରର ସମସ୍ତଙ୍କୁ ଗୁଳି କରି ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ମଧୁ ସିଂ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିବାରୁ ଏଥିରେ ଅନୁରୂପ ରାଗିଯାଇଥିଲେ। ସଙ୍ଗେ ସଙ୍ଗେ ସେ ସ୍ତ୍ରୀ ମଧୁଙ୍କୁ ଗୁଳି ମାରିବା ସହ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ଅନୁରୂପଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ମଧୁଙ୍କୁ ପରିବାର ଲୋକ ହସ୍ପିଟାଲ ନେଇଯାଇଥିଲେ।