ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ କୋର୍ଟ ଚାଲାଣ

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମର ଭାସ୍କର ଗୋପାଳଙ୍କ ସ୍ତ୍ରୀ ପ୍ରେମଲତାଙ୍କ ଗତ ଗୁରୁବାର ଘର ମଧ୍ୟରେ ବେକରେ ରଶି ଲଗାଇ ମୃତ୍ୟୁ ଘଟିଥିଲା। ଶାଶୁଘର ଲୋକେ ପ୍ରେମଲତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ସ୍ବାମୀ ଭାସ୍କର ଗ୍ରାମବାସୀଙ୍କ ସହାୟତାରେ ସ୍ତ୍ରୀଙ୍କ ମୃତଦେହକୁ ନେଇ ଗାଁ ମଶାଣିରେ ପୋଡ଼ି ଦେବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ମୃତ ମହିଳାଙ୍କ ବାପା ଘର ଲୋକ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କୋକସରା ପୋଲିସରେ ଅଭିଯୋଗ କରିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଶାଣିରୁ ମୃତଦେହ ଜବତ କରିଥିଲା। ପରେ ଏନେଇ ବାପା ଘନ ନାଗ ଝିଅଙ୍କୁ ତାଙ୍କ ସ୍ବାମୀ ଭାସ୍କର, ଶ୍ବଶୁର ଓ ଶାଶୁ ମିଶି ମାରି ଦେଇଥିବା ନେଇ କୋକସରା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଭାସ୍କରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ଶନିବାର କୋକସରା ଥାନା କେସ୍‌ ନମ୍ବର ୨୧୦/୨୩ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ନେଇ କୋକସରା ଥାନା ଅଧିକାରିଣୀ ରନିତା ପ୍ରଧାନ ସୂଚନା ଦେଇଛନ୍ତି।