ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି । ତାଙ୍କ ମୁଣ୍ଡକୁ କାଟି ଏକ ପଲିଥିନ୍‌ ବ୍ୟାଗ୍‌ରେ ରଖି ଫ୍ରିଜ୍‌ରେ ଲୁଚାଇ ରଖାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ତାଙ୍କ ଆଙ୍ଗୁଠିଗୁଡ଼ିକ ମଧ୍ୟ କଟାଯାଇଥିବା ଜଣାପଡ଼ିଛି ।

ରବିବାର ପଡ଼ୋଶୀମାନେ ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପୋଲିସକୁ ଜଣାଇଥିଲେ । ପୋଲିସ ଘରର ତାଲା ଭାଙ୍ଗି ଭିତରକୁ ପଶିବା ପରେ ମହିଳାଙ୍କ ପଚା ମୃତଦେହ ଠାବ କରିଥିଲା । ତଦନ୍ତ ସମୟରେ ଫ୍ରିଜ୍‌ ଭିତରୁ ପଲିଥିନ୍‌ରେ ପ୍ୟାକ୍‌ ହୋଇଥିବା ତାଙ୍କ କଟା ମୁଣ୍ଡ ମିଳିଥିଲା। ରିୟା ଓ ତାଙ୍କ ସ୍ୱାମୀ ରାମାନୁଜ ଗୋସ୍ୱାମୀଙ୍କ ବିବାହ ପ୍ରାୟ ୬ ମାସ ପୂର୍ବରୁ ହୋଇଥିଲା। ଉଭୟେ ଗୁଆହାଟୀର ଫ୍ଲାଟ୍‌ରେ ରହୁଥିଲେ । ରିୟା ଏକ ବୁଟିକ୍‌ରେ କାମ କରୁଥିବା ବେଳେ ତାଙ୍କ ସ୍ୱାମୀ କ୍ୟାବ୍‌ ଚଳାଉଥିବା ରିପୋର୍ଟରୁ ଜଣାପଡ଼ିଛି।

ଘଟଣା ପରେ ରାମାନୁଜ ଘରେ ନଥିଲେ । ପରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏବଂ ତାଙ୍କୁ ଗିରଫ କରାଯାଇଥିବା ଅଧିକାରୀମାନେ କହିଛନ୍ତି । ପ୍ରାଥମିକ ତଦନ୍ତରେ ହତ୍ୟାକାଣ୍ଡ ପ୍ରାୟ ୨୪ରୁ ୪୮ ଘଣ୍ଟା ପୂର୍ବରୁ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରୁ ଏକ ଅସ୍ତ୍ର ମଧ୍ୟ ଜବତ କରିଛି। ମୃତଦେହକୁ ପୋଷ୍ଟମର୍ଟମ୍‌ ପାଇଁ ଗୁଆହାଟୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ହତ୍ୟା ପଛର ପ୍ରକୃତ କାରଣ କ’ଣ ଏବଂ ଘଟଣାରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

 

Dharitri – Odisha’s No.1 Odia Daily

Share