ସୂଚନାରୁ ଜଣାପଡିଛି, ରାୟଗଡା ବ୍ଲକ ନାକଟି ପଞ୍ଚାୟତ ଇର୍ପିପୁଟ ଗ୍ରାମର ରଘୁ ମେଲେକା ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ପତ୍ନୀ ମଲତା ମେଲେକାଙ୍କୁ (୫୧) ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। କୌଣସି କାରଣକୁ ନେଇ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମଲତା ଶୋଇଥିବା ଅବସ୍ଥାରେ ସେ ତାଙ୍କ ବେକ ଓ ମୁଣ୍ଡକୁ ହାଣିଦେଇଥିଲେ । ଘଟଣାସ୍ଥଳରେ ହିଁ ମଲତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଘଟଣା ସମ୍ପର୍କରେ କୁମ୍ବିକୋଟା ଫାଣ୍ଡିରେ ପରିବାରବର୍ଗ ସୂଚନା ଦେଲାପରେ ଏସଡିପିଓ ଗେରହରୀ ସାହୁ, ଆଇଆଇସି ପ୍ରସନ୍ନ କୁମାର ବେହେରା, ଫାଣ୍ଡି ଅଧିକାରୀ ଗୟାସଉଦ୍ଧିନ ଖାନ ଓ ଅନ୍ୟ ପୋଲିସ ଅଧିକାରୀମାନେ ଆଜି ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛନ୍ତି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା କୁମ୍ବିକୋଟା ଫାଣ୍ଡି ଅଧିକାରୀ ଖାନ ପ୍ରକାଶ କରିଛନ୍ତି। ହତ୍ୟାକାରୀ ସ୍ବାମୀ ରଘୁ ମେଲେକାକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ହତ୍ୟାପାଇଁ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ପୋଲିସ ଜବତ କରିଛି ।

