ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର ନୂଆ ଧାରା ସୃଷ୍ଟିକରିଛି। ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକ୍‌ ଅନ୍ତର୍ଗତ ପୋଢ଼ମୁଣ୍ଡ ଗଁାର ଯୁବଚାଷୀ ନାରାୟଣ ନାଗ ଏବଂ ତାଙ୍କ ସ୍ତ୍ରୀ ବନ୍ଦନୀ ନିଆଲ ଉନ୍ନତ ତଥା ଆଧୁନିକ ଜ୍ଞାନକୌଶଳ ପ୍ରୟୋଗକରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ରୋଲ ମଡେଲ। ଏହି ଚାଷୀ ଦମ୍ପତିଙ୍କ ଜୀବନ ସଂଘର୍ଷ ସାଙ୍ଗକୁ ସଫଳତା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
୨୦୦୩ ମସିହାରେ ଖପ୍ରାଖୋଲ ଅଞ୍ଚଳରେ ଭୀଷଣ ମରୁଡ଼ି ପଡ଼ିଥିଲା। ପୋଢ଼ମୁଣ୍ଡ ଗଁାର ଅଧିକାଂଶ ପରିବାର ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ। ଆର୍ଥିକ ସ୍ଥିତି ଏତେ ଖରାପ ଥିଲା ଯେ, ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ନାରାୟଣ ପାଠପଢ଼ା ଛାଡ଼ି ଗଁା ଲୋକଙ୍କ ସହ ଆନ୍ଧ୍ରପ୍ରଦେଶ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଇଟାଭାଟିରେ କାମ କରିଥିଲେ। କିଛି ଟଙ୍କା ରୋଜଗାରକରି ଗଁାକୁ ଫେରି ଆସିଥିଲେ। ପୁଣି ପାଠ ପଢ଼ି ମାଟ୍ରିକ୍‌ ପାସ୍‌ କଲେ। ପରେ କଷ୍ଟେମଷ୍ଟେ ଲାଠୋର କଲେଜରେ ଯୁକ୍ତ ୩ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଲେ। ଟିକିଏ ସମୟ ମିଳିଲେ କୃଷି କାର୍ଯ୍ୟରେ ବାପାଙ୍କୁ ସାହାଯ୍ୟ କରୁଥିଲେ। ନାରାୟଣ ଭୁବନେଶ୍ୱର ଏପିକଲ୍‌ରେ ୨ବର୍ଷ ଧରି ଆଧୁନିକ ଚାଷ ବିଷୟରେ ତାଲିମ ନେଲେ। ଗଁାକୁ ଫେରି ସ୍ମାର୍ଟ ଫାର୍ମିଂ ଯଥା: ନର୍ସିରି ରେଜିଂ ଏବଂ ଅଣଋତୁକାଳୀନ ପନିପରିବା ଅମଳରେ ଲାଗି ପଡ଼ିଲେ। ବିବାହ ପରେ ସ୍ତ୍ରୀ ବନ୍ଦନୀଙ୍କୁ ଆଧୁନିକ କୃଷି ବା ନର୍ସରି କଲମୀକରଣର ତାଲିମ ଦେଲେ। ଏହି ଚାଷୀ ଦମ୍ପତିଙ୍କ ଆଗ୍ରହ, ନିଷ୍ଠା ଏବଂ ପରିଶ୍ରମ ଦେଖି ଓଡ଼ିଶା ଜୀବିକା ମିଶନ (ଓଏଲ୍‌ଏମ୍‌)ରୁ ୬୫ ହଜାର ଟଙ୍କାର ସହାୟତା ଦିଆଗଲା। ୧୫୦୦ ଟଙ୍କାର ଆର୍‌ଏଫ୍‌ ସହାୟତା ଏବଂ ୧ ଲକ୍ଷ ୪୦ ହଜାର ଟଙ୍କା ଏସ୍‌ଏଚ୍‌ଜି ବ୍ୟାଙ୍କ ଲିଙ୍କେଜ୍‌ ଋଣ ସହାୟତା ଦିଆଗଲା। ଏହି ସହାୟତା ବଳରେ ଚାଷୀ ଦମ୍ପତି ଗଁାରେ ଏକ କୋକୋପିଟ୍‌-ଆଧାରିତ ନର୍ସରି ଚାରା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ଏକ ପଲ୍ଲୀ ହାଉସ ଦିଆଯାଇଛି। ଓଡ଼ିଶା ଜୀବିକା ମିଶନ, ଉଦ୍ୟାନ ବିଭାଗ, ଉଠା ଜଳସେଚନ ବିଭାଗ ଏବଂ ଜିଲା ପ୍ରଶାସନର ଯୋଜନା ସମନ୍ବୟ ଏହି ଦମ୍ପତିଙ୍କୁ ବିଶେଷ ସହାୟତା ଦେଇଛି। ବିନା ମାଟିରେ କୋକୋପିଟ୍‌ ମାଧ୍ୟମରେ ଆଧୁନିକ ନର୍ସରି କୌଶଳ ବ୍ୟବହାରକରି ଉଚ୍ଚ ଗୁଣବତ୍ତାସମ୍ପନ୍ନ ପନିପରିବା ଚାରା ପ୍ରସ୍ତୁତ କରୁଛନ୍ତି। ପୋଢ଼ମୁଣ୍ଡ ଗଁାରେ ଷ୍ଟ୍ରବେରି ଚାଷକରି ଉଦ୍ୟାନବିତ୍‌, କୃଷି ଗବେଷକ ଏପରିକି ଅନ୍ୟ ଚାଷୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଋତୁକାଳୀନ ଏବଂ ଅଣଋତୁକାଳୀନ ପାତଳଘଣ୍ଟା, କୋବି, ବାଇଗଣ, ଲଙ୍କା, ଝୁଲେର, କଲରା, ତରଭୁଜ ଏବଂ ଅନ୍ୟ ପନିପରିବା ଉତ୍ପାଦନକରି ବେଶ୍‌ ଆୟ କରୁଛନ୍ତି। ବନ୍ଦନୀ ଏବେ ପ୍ରଡ୍ୟୁସର ଗ୍ରୁପ୍‌ ଏବଂ ପ୍ରଡ୍ୟୁସର କଲେକ୍ଟିଭ୍ସ ସହ ଜଡ଼ିତ ରହି ମହିଳା ଚାଷୀମାନଙ୍କୁ ନର୍ସରି ଚାରା ଯୋଗାଉଛନ୍ତି। ବଲାଙ୍ଗୀର ଜିଲାରେ ଏବଂ ଜିଲା ବାହାରେ ଏକ ବଡ଼ ବଜାର ସୃଷ୍ଟି ହୋଇଛି। ତାଙ୍କ ନର୍ସରିରୁ ପଡ଼ୋଶୀ ନୂଆପଡ଼ା, ବରଗଡ଼ ସମେତ କୋରାପୁଟ ଜିଲାକୁ ଚାରା ବିକ୍ରି ପାଇଁ ଯାଉଛି। ନର୍ସରି ଉଦ୍ୟୋଗ ଏବଂ ବିବିଧ କୃଷି ପନିପରିବା ଯୋଗୁ ଚାଷୀ ଦମ୍ପତି ବାର୍ଷିକ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି। ବନ୍ଦନୀ ଏବେ ସଫଳ ଲକ୍ଷପତି ଦିଦି। ସେ କହିଛନ୍ତି, ଆଉ ଅଳ୍ପଦିନ ଭିତରେ ମହାଲକ୍ଷପତି ଦିଦି ହେବେ। ଚାଷୀ ନାରାୟଣ କହିଛନ୍ତି, ଚଳିତବର୍ଷ ପ୍ରାୟ ୧ ଏକର ଜମିରେ କଲମୀ ପାତଳଘଣ୍ଟା(ଗ୍ରାଫ୍‌ଟେଡ୍‌ ଟମାଟୋ) ଚାଷ ଯୋଜନା କରିଛନ୍ତି। ଅଣଋତୁ ସମୟରେ ତାଙ୍କ ବାଡିରୁ ଅଞ୍ଚଳବାସୀଙ୍କୁ ଟମାଟୋ ଯୋଗାଇବେ। ଓଏଲ୍‌ଏମ୍‌ ବିପିଏମ୍‌ ପଙ୍କଜିନୀ ତରାସିଆ ଏବଂ ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ସରକାରୀ ଯୋଜନାଗୁଡ଼ିକର ଉପଯୁକ୍ତ ସମନ୍ବୟରେ ବନ୍ଦନୀ ଓ ନାରାୟଣଙ୍କ ଭଳି ଚାଷୀ ଉପକୃତ ହୋଇଥିବା କହିଛନ୍ତି। ଏହି ଚାଷୀ ଦମ୍ପତି ସ୍ମାର୍ଟ ଫାର୍ମିଂ ଏବଂ ସ୍ଥାୟୀ ଜୀବିକା ବିକାଶର ରୋଲ୍‌ ମଡେଲ ବୋଲି ଜିଲାପାଳ ଗୌରବ ଶିବାଜୀ ଇସ୍‌ଲୱାର ଏବଂ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା କହିଛନ୍ତି।

 

Dharitri – Odisha’s No.1 Odia Daily

 

Share