ଥୁଆମୂଳ ରାମପୁର, ୭ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଡୁମେରପଦର ମୁଖ୍ୟ ରାସ୍ତାର ଲାଠିଆଗୁଡ଼ା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ବର୍ଷକର ଶିଶୁ ପୁତ୍ର ଆହତ ହୋଇଛନ୍ତି।
ମୃତକ ହେଲେ କୁମାରକାନୀ ଗ୍ରାମର କଲେଶ୍ୱର ମାଝୀ(୩୦)। ମିଳିଥିବା ସୂଚନା ମୁତାବକ, କଲେଶ୍ୱର ନିଜ ଶ୍ୱଶୁର ଘର ଉପରଝାପି ଗ୍ରାମରୁ ଏକ ବାଇକ୍ (ନଂ.ଓଡ଼ି୦୮ଏଏ୧୫୧୩) ଯୋଗେ ସ୍ତ୍ରୀ ଜୟନ୍ତୀ ମାଝୀ ଓ ପୁଅ ଅମିତଙ୍କ ସହ ନିଜ ଗାଁକୁ ଫେରୁଥିଲେ।
ଅପରାହ୍ନରେ ଇନ୍ଦ୍ରାବତୀ ଲାଠିଆଗୁଡ଼ା ବୁଲାଣି ରାସ୍ତାରେ ବାଇକ୍ କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ତିନିଜଣ ଯାକ ରାସ୍ତା ତଳକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଥୁଆମୂଳ ରାମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର କଲେଶ୍ୱରଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତ ସ୍ତ୍ରୀ ଓ ଶିଶୁ ପୁତ୍ରଙ୍କ ଚିକିତ୍ସା ଜାରି ରହିଛି। ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।