ଭୁଜାଲି ଚୋଟରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧।୨(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଝରଣାସାହି ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ଅଞ୍ଚଳର ଛୋଟୁଲାଲ ବେଶ୍ରା, ସ୍ତ୍ରୀ ଏବଂ ପୁଅଙ୍କ ସହ ମଞ୍ଚେଶ୍ୱରର ଝରଣାସାହି ଅଞ୍ଚଳରେ ରହୁଥିଲେ। ବୁଧବାର ବିଳମ୍ବିତ ରାତିରେ ତାଙ୍କ ପଡ଼ୋଶୀ ଚଣ୍ଡିନାୟକ, ସୁକାନ୍ତ ଦାସ, ଶ୍ରୀମତୀ ସୁନିତା ନାୟକ,ରାଜୁ ନାୟକ, ମାଳତି ଦାସ, ଅନୀତା ଦାସ, ପ୍ରଦୀପ ସିଂଙ୍କ ସମେତ ଅନ୍ୟମାନେ ଛୋଟୁଲାଲଙ୍କ ଘର ଭିତରକୁ ହଠାତ୍‌ ପଶି ଆସି ସଂଘବଦ୍ଧ ଆକ୍ରମଣ କରିଥିଲେ। ସୁକାନ୍ତ ଭୁଜାଲିରେ ଛୋଟୁଲାଲ୍‌ ଏବଂ ତାଙ୍କ ସ୍ତ୍ରୀ କବିତାଙ୍କୁ ଆକ୍ରମଣ କରିଥିବା ବେଳେ ରାଜୁ ଏବଂ ଚଣ୍ଡି ଠେଙ୍ଗା, ଭଙ୍ଗା ମଦ ବୋତଲରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଛୋଟୁଲାଲଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଛୋଟୁଲାଲଙ୍କ ପୁଅ ତବିଶା ବେଶ୍ରା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଆଧାର କରି ଜଣଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି। ଧାର ଟଙ୍କାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।