ସ୍ତ୍ରୀଙ୍କ ସହ ଝଗଡ଼ା କରି ୩୩ କେଭି ବିଦ୍ୟୁତ୍‌ ଟାୱାରକୁ ଚଢ଼ିଗଲେ ସ୍ବାମୀ

ରେଢ଼ାଖୋଲ,୫।୭(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାମୀ-ସ୍ତ୍ରୀ କଳହକୁ ନେଇ ଜଣେ ଯୁବକ ୩୩ କେଭି ବିଦ୍ୟୁତ୍‌ ଟାୱାରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଦୀର୍ଘ ୪ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ ପ୍ରାୟ ୧୨୦ଫୁଟ ଉଚ୍ଚରୁ ତାଙ୍କୁ ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳ ଜିଲା ତାଳଚେର କଣିହାଁ ଥାନା ହନୁମାନପୁରର ଆକାଶ ନାୟକ (୩୦) ଡ୍ରାଇଭର ଭାବେ କାମ କରନ୍ତି। ୭ବର୍ଷ ତଳେ ସେ ରେଢ଼ାଖୋଲ ଥାନା ବଡବାହାଳ ପଞ୍ଚାୟତ ଯୁବରାଜପୁର ଗ୍ରାମର କୁନି ନାୟକଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ୨ଟି ସନ୍ତାନ ଅଛନ୍ତି। ତେବେ କୌଣସି କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧରେ ୨ବର୍ଷ ହେଲା ପାଟୁତୁଣ୍ଠ ଲାଗିରହିଛି। ହେଲେ ୨ଦିନ ତଳେ ଗଣ୍ଡଗୋଳ ଯୋଗୁ କୁନି ଦୁଇପିଲାଙ୍କୁ ଧରି ବାପଘର ଯୁବରାଜପୁର ଚାଲିଆସିଥିଲେ। ହେଲେ ରବିବାର ସନ୍ଧ୍ୟାରେ ଆକାଶ ଯୁବରାଜପୁର ଗାଁକୁ ଆସି ସ୍ତ୍ରୀଙ୍କୁ ସାଙ୍ଗରେ ଯିବାକୁ କହିଥିଲେ। ହେଲେ ଏଥିରେ କୁନି ରାଜି ହୋଇ ନ ଥିଲେ। ଏଥିରେ ମର୍ମାହତ ହୋଇ ଆକାଶ ଗ୍ରାମକୁ ଫେରିଆସିଥିଲେ। ସୋମବାର ସକାଳେ ସେ ଗାଁ ନିକଟ ଖଣ୍ଡହତା ଗ୍ରାମ ଜମିମାଳ ଦେଇ ଯାଇଥିବା ଉଚ୍ଚ କ୍ଷମତାସମ୍ପନ୍ନ ୩୩ କେଭି ବିଦ୍ୟୁତ୍‌ ଟାୱାର ଉପରକୁ ଚଢିଯାଇଥିଲେ। ଗାଁ ଲୋକେ ଖବର ଦେବା ପରେ ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। କର୍ମଚାରୀ ତାଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଆକାଶ ଶୁଣି ନ ଥିଲେ। ପରେ ଦୁଇ ବିଭାଗର କର୍ମଚାରୀ ଟାୱାର ଉପରକୁ ଉଠି ଦୌଡିରେ ତିଆରି ଦୋଳାରେ ବସାଇ ତାଙ୍କୁ ତଳକୁ ଆଣିଥିଲେ। ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।