ସ୍ତ୍ରୀଙ୍କ ମୃତଦେହକୁ ସ୍ବାମୀ ଏକାକୀ ବୋହିବା ଘଟଣା: ୨ ନିଲମ୍ବିତ, ଜଣେ ବହିଷ୍କୃତ

ଫୁଲବାଣୀ ଅଫିସ,୨।୭: କନ୍ଧମାଳ ଜିଲା ଫୁଲବାଣୀରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀଙ୍କ ମୃତଦେହକୁ ସ୍ବାମୀ ଏକାକୀ ବୋହି ଗାଡ଼ିରେ ରଖିବା ଘଟଣାରେ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ଏ ନେଇ ସିଡିଏମ୍‌ ତୁରନ୍ତ ମାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତ। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଫ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀଙ୍କୁ ସିଡିଏମଓ ନିଲମ୍ବିତ କରିଥିବା ବେଳେ ଡେସ୍କ କର୍ମଚାରୀ ଅଜିତ କୁମାର କହଁରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି । ଭବିଷ୍ୟତରେ ଏପରି ଅମାନବୀୟ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେ ନେଇ ଏଡିଏମ୍‌ଙ୍କୁ ତାଗିଦ କରିଛନ୍ତି ସିଡିଏମଓ। ଏଥିସହ ମେଡିକାଲ ଆସୁଥିବା ରୋଗୀ ଯେପରି ଉପଯୁକ୍ତ ସେବା ପାଆନ୍ତି ସେଥିପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମୋତିଙ୍ଗିଆ ଗାଁର ବାଳକୃଷ୍ଣ କହଁର ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ଗତ ୨୯ ତାରିଖରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଗତ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତଦେହକୁ ଉଠାଇବା ପାଇଁ ବାଳକୃଷ୍ଣ ବହୁ କାକୁତି ମିନତି ହେବା ସତ୍ତ୍ୱେ ମେଡିକାଲ କର୍ମଚାରୀ ତାହାକୁ ଛୁଇଁଲେ ନାହିଁ । ଏପରିକି ପାଖରେ ଥିବା କୁନି ପିଲାକୁ ବି କେହି ଧରି ନଥିଲେ। ଶେଷରେ ନିରାଶହୋଇ ୱାର୍ଡରୁ ତଳକୁ ସିଡିରେ ଏକୁଟିଆ ବାଳକୃଷ୍ଣ ସ୍ତ୍ରୀଙ୍କ ମୃତଦେହକୁ ଟେକି ଟେକି ନେବାର ଦୃଶ୍ୟ ଭାଇରାଲ ହୋଇଥିଲା।