ହାଜିପୁର,୭।୫: ସାଧାରଣତଃ ବିବାହକୁ ଜୀବନର ଏକ ନୂଆ ଏବଂ ସୁନ୍ଦର ଆରମ୍ଭ ବୋଲି କୁହାଯାଏ। କିନ୍ତୁ ବିହାରର ବୈଶାଳୀ ଜିଲା ହାଜିପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବିଚଳିତ ହୋଇପଡ଼ିବେ। ପତ୍ନୀ ଏବଂ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନାରେ ଜଣେ ସ୍ବାମୀ ଏତେ ପରିମାଣରେ ଭାଙ୍ଗି ପଡ଼ିଛନ୍ତି ଯେ, ସେ ଏବେ ନ୍ୟାୟ ଅପେକ୍ଷା ମୃତ୍ୟୁକୁ ଶ୍ରେୟସ୍କର ମଣୁଛନ୍ତି। ଖାଲି ସେତିକି ନୁହେଁ, ସହରର ବ୍ୟସ୍ତବହୁଳ ରାଜେନ୍ଦ୍ର ଚୌକରେ ବସି ସେ ଅନ୍ୟ ପୁରୁଷମାନଙ୍କୁ ବିବାହ ନକରିବାକୁ ନିବେଦନ କରୁଛନ୍ତି।
ମୁଜାଫରପୁର ଜିଲାର ପତାହି ନିବାସୀ ଶୈଳେଶ କୁମାର ହାତରେ ଏକ ପୋଷ୍ଟର ଧରି ହାଜିପୁରର ଚୌକରେ ବସିଥିବାର ଦେଖିବାକୁ ମିଳିଥିଲା। ପୋଷ୍ଟରରେ ଲେଖାଥିଲା “କେହି ବିବାହ କରନ୍ତୁ ନାହିଁ। ଯାହାର ବିବାହ କରିବାକୁ ଇଚ୍ଛା ଅଛି, ସେ ଥରେ ମୋ ଅବସ୍ଥା ଦେଖିନିଅନ୍ତୁ। ଯଦି ପତ୍ନୀ ଭଲ ମିଳେ ତେବେ ଜୀବନ ସ୍ବର୍ଗ, କିନ୍ତୁ ଯଦି ଖରାପ ମିଳେ ତେବେ ଜୀବନ୍ତ ଅବସ୍ଥାରେ ନର୍କ ଦେଖିବ। ୮ ବର୍ଷର ବିବାହ ମଧ୍ୟରେ ପତ୍ନୀ ମାତ୍ର ୧୨ ମାସ ମୋ ସହିତ ରହିଛନ୍ତି, ଆଜି ମୁଁ ଭଗବାନଙ୍କ ନିକଟରୁ ମୃତ୍ୟୁ ମାଗୁଛି।”
ପୀଡ଼ିତ ସ୍ବାମୀ ଶୈଳେଶଙ୍କ କହିବା ଅନୁସାରେ, ୨୦୧୮ ମସିହାରେ ହାଜିପୁରର ପିଙ୍କିଙ୍କ ସହ ତାଙ୍କର ବିବାହ ହୋଇଥିଲା। ବର୍ଷେ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା, କିନ୍ତୁ ପରେ ନିର୍ଯାତନା ଆରମ୍ଭ ହୋଇଥିଲା। ତାଙ୍କର ପକ୍କା ଘର ଓ ଅଧିକ ଟଙ୍କା ନ ଥିବାରୁ ପତ୍ନୀ ତାଙ୍କ ସହ ରହିବାକୁ ମନା କରିଦେଇଥିଲେ। ପତ୍ନୀଙ୍କ ଭାଇମାନେ ମଧ୍ୟ ତାଙ୍କୁ ମାଡ଼ ମାରିବା ସହ ବ୍ୟବସାୟରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି।
ଶୈଳେଶ ଆହୁରି ଅଭିଯୋଗ କରିଛନ୍ତି ଯେ, ଶ୍ୱଶୁର ଘର ଲୋକେ ତାଙ୍କୁ ଧୋକା ଦେଇ ବିବାହ କରାଇଥିଲେ। ପତ୍ନୀଙ୍କର ପୂର୍ବରୁ ଏକ ବିବାହ ହୋଇଥିବା କଥା ତାଙ୍କୁ ଲୁଚାଯାଇଥିଲା। ବିବାହ ପରେ ତାଙ୍କ ପତ୍ନୀ ୪ ଥର ଘରୁ ପଳାଇଛନ୍ତି। ଏବେ ସେ ଦାଣ୍ଡର ଭିକାରୀ ସାଜିଛନ୍ତି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଲୋକମାନେ ଏହାକୁ ଦେଖି ପ୍ରଶ୍ନ କରୁଛନ୍ତି ଯେ, ଦେଶରେ ମହିଳାଙ୍କ ପାଇଁ ଅନେକ ଆଇନ ଓ କମିଶନ ଅଛି, କିନ୍ତୁ ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ସ୍ବାମୀଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ କାହିଁକି? ତେବେ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ ବସି ରହିଥିବା ଏହି ପୀଡ଼ିତ ବ୍ୟକ୍ତିଙ୍କ ଭିଡିଓ ଏବେ ବେଶ ଭାଇରାଲ ହେଉଛି।
Dharitri – Odisha’s No.1 Odia Daily