ସ୍ତ୍ରୀଙ୍କୁୁ ପିଟିପିଟି ହତ୍ୟା କଲେ ସ୍ବାମୀ

ଚିତ୍ରଡା,୧୬।୨(ଡି.ଏନ.ଏ):ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ। ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ମଦ୍ୟପ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ। ସୂଚନା ଅନୁଯାୟୀ, ସୋମବାର କୌଣସି କାରଣବଶତଃ ସ୍ତ୍ରୀ ବୁଦୁଲୁ କଟୁଆଳର ସ୍ବାମୀ ମଙ୍ଗଲୁ କଟୁଆଳ ସହିତ ବଚସା ହୋଇଥିଲା। ତେବେ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ସ୍ବାମୀ ମଦ୍ୟପାନ କରି ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ନିଜ ସ୍ତ୍ରୀ କୁ ହତ୍ୟା କରିବା ପରେ ସ୍ବାମୀ ନିଜ ଘର ସମ୍ମୁଖରେ ଗାତ ଖୋଳି ପୋତିବା ପାଇଁ ଚେଷ୍ଟା କରୁଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ମୋରଡ଼ା ପୋଲିସକୁ ଖବର ଦେଇଥିଲେ। ଖବରପାଇ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ବାମଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ମୋରଡ଼ା ତହସିଲଦାର, ମୋରଡ଼ା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରିଛନ୍ତି। ଘର ନିକଟରେ ପଡିଥିବା ଏକ ଠେଙ୍ଗା ଓ ଲୁହା ପାଇପକୁ ପୋଲିସ ଜବତ କରିଥିବା ବେଳେ ଏସବୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅନୁମାନ କରୁଛି ପୋଲିସ। ମୋରଡ଼ା ପୋଲିସ କେଶ ନମ୍ବର ୭/୨୧ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛି।