ପଟ୍ଟାମୁଣ୍ଡାଇ,୨୭।୧(କଳ୍ପତରୁ ନାୟକ)- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀକୁ କଟୁରି ହାଣି ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ଉଭୟେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ମୁତାବକ ସୋମବାର ବିଳମ୍ବିତ ରାତ୍ରିରେ ପାରିବାରିକ କଳହ ଯୋଗୁଁ ଏହି ଗ୍ରାମର ପ୍ରତାପ ମଳିକ ରାଗିଯାଇ ଏକ କଟୁରୀରେ ସ୍ତ୍ରୀ ଭାରତୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ତେବେ ଏନେଇ ଜାଣିବା ପରେ ପାଖ ପଡୋଶୀ ସହାୟତାରେ ଗୁରୁତର ଭାରତୀଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି । ପ୍ରତାପ ସ୍ତ୍ରୀକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ତେବେ ମଙ୍ଗଳବାର ସକାଳୁ ଗ୍ରାମବାସୀ ଏକ ପୋଖରୀ ନିକଟରେ ଚେତାଶୂନ୍ୟ ଅବସ୍ଥାରେ ପ୍ରତାପକୁ ଦେଖିବାକୁ ପାଇଥିଲେ । ତେବେ ତାଙ୍କ ନିକଟରେ ଏକ ବିଷ ବୋତଲ ଏବଂ ରକ୍ତାତ କଟୁରୀ ପାଇଥିଲେ । ପ୍ରତାପଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ମଧ୍ୟ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଘଟଣାରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

