ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ I ମୃତ ମହିଳା ଜଣକ ହେଲେ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମର ମନ ମାଝୀଙ୍କ ସ୍ତ୍ରୀ ମେରକୁ ମାଝୀ (୪୦) ଅଟେ I
ପୋଲିସର ସୂଚନାନୁସାରେ, ରବିବାର ରାତିରେ ଭାଟଗୁଡ଼ା ଗ୍ରାମର ମନ ମାଝୀ ଓ ସ୍ତ୍ରୀ ମେରକୁ ମାଝୀ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା I ସୋମବାର ସକାଳୁ ଘରେ ମେରକୁଙ୍କ ମୃତ ଦେହ ପଡିଥିବା ଦେଖିଥିଲେ ଗ୍ରାମବାସୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ I ଖବରପାଇ ମେରକୁର ଭାଇ ମାଳି ମାଝୀ ଭାଟଗୁଡ଼ା ଆସି ଭଉଣୀ ଘରେ ମୃତଦେହ ପଡିଥିବାର ଦେଖି ଲାଞ୍ଜିଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ମନ ମାଝି ମୋ ଭଉଣୀକୁ କାଠ ଫାଳିଆରେ ମାରି ଦେଇଥିବାରୁ ତାର ମୃତ୍ୟୁ ହୋଇଥିବା ଭାଇ ଅଭିଯୋଗ କରିଛନ୍ତି।
ଲିଖିତ ଅଭିଯୋଗ ପାଇଲା ପରେ ଲାଞ୍ଜିଗଡ ଥାନାଧିକାରୀ ଯଶବନ୍ତ ହିଆଲ ପୋଲିସ ବଳ ସହିତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସ୍ବାମୀ ମନ ମାଝୀଙ୍କୁ ଥାନାକୁ ଆଣି ଅଟକ ରଖି ଲାଞ୍ଜିଗଡ ଥାନା କେଶ ନଂ ୧୦୦/୨୬ ଧାରା ୧୦୩ ବିଏନଏସରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ଯଶବନ୍ତ ହିଆଲ ପ୍ରକାଶ କରିଛନ୍ତି I