ଖଜୁରିପଡ଼ା,୨୫ା୪(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍ ଅଧୀନ ସୁଡ୍ରେଜୁ ଗାଁରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା ଘଟଣାରେ ଶନିବାର ସ୍ୱାମୀ ଗିରଫ ହୋଇଛନ୍ତି। ସେ ହେଲେ ଆଲୋକ ସାହୁ। ଏସ୍ଆଇ ସମ୍ୱିତ ବେହେରା କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ପ୍ରାରମ୍ଭିକ ଭାବେ ସ୍ତ୍ରୀ ମମତା ନିର୍ଯାତନା ଓ ଅତ୍ୟାଚାର ସହି ନ ପାରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ତେବେ ପାରିବାରିକ ଅଭିଯୋଗ ଓ ତଦନ୍ତକୁ ଭିତ୍ତି କରି ପୋଲିସ ସ୍ୱାମୀ ଆଲୋକ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ, ସୁଡ୍ରେଜୁ ଗାଁରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ ମମତା ସାହୁ। ପୋଲିସ ଗୁରୁବାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀ ଆଲୋକ ସାହୁଙ୍କୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା।
ଗତ କିଛି ଦିନ ହେବ ଆଲୋକଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ମମତା ସନ୍ଦେହ କରୁଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ବୁଧବାର ବିଳମ୍ୱିତ ରାତିରେ ଆଲୋକ ମମତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଘର ଭିତରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ। ପରେ ସେ ଫେରାର ହୋଇଯାଇଥିଲେ।