ମୁମ୍ବାଇ,୨୪।୯: ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୬ ପ୍ରକାଶ ପାଇଛି। ଗତବର୍ଷ ଭଳି ଏଥର ମଧ୍ୟ ବଲିଉଡର ସବୁଠାରୁ ଧନୀ ଅଭିନେତା ଭାବେ ଶାହରୁଖ ଖାନ ଶୀର୍ଷ ସ୍ଥାନରେ ରହିଛନ୍ତି। ତେବେ ଗତ ଏକ ବର୍ଷ ମଧ୍ୟରେ ତାଙ୍କ ଆନୁମାନିକ ନେଟୱର୍ଥରେ ବଡ଼ ହ୍ରାସ ଘଟିଥିବା ତାଲିକାରୁ ଜଣାପଡ଼ିଛି।
ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୬ ଅନୁସାରେ ଶାହରୁଖ ଖାନଙ୍କ ଆନୁମାନିକ ନେଟୱର୍ଥ ପ୍ରାୟ ୧୦,୦୦୦ କୋଟି ଟଙ୍କା। ତାଙ୍କ ଆୟରେ ଫିଲ୍ମ ଏବଂ ବିଜ୍ଞାପନରୁ ମିଳୁଥିବା ଟଙ୍କା ସହ ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ଏବଂ ନାଇଟ ରାଇଡର୍ସ ସ୍ପୋର୍ଟସ ଭଳି ବ୍ୟବସାୟର ଅବଦାନ ମଧ୍ୟ ରହିଛି।
୨୦୨୫ର ହୁରୁନ ତାଲିକାରେ ଶାହରୁଖଙ୍କ ନେଟୱର୍ଥ ପ୍ରାୟ ୧୨,୪୯୦ କୋଟି ଟଙ୍କା ଆକଳନ କରାଯାଇଥିଲା। ଅର୍ଥାତ୍ ଏକ ବର୍ଷ ମଧ୍ୟରେ ତାଙ୍କ ଆନୁମାନିକ ସମ୍ପତ୍ତି ପ୍ରାୟ ୨,୪୯୦ କୋଟି ଟଙ୍କା କମିଛି। ଏହା ସତ୍ତ୍ୱେ ସେ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ପ୍ରାୟ ୪,୦୦୦ କୋଟି ଟଙ୍କା ଆନୁମାନିକ ନେଟୱର୍ଥ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗତବର୍ଷ ତାଙ୍କ ଆନୁମାନିକ ସମ୍ପତ୍ତି ପ୍ରାୟ ୧,୬୩୦ କୋଟି ଟଙ୍କା ଥିଲା ବୋଲି ଦିଆଯାଇଥିଲା।
ଏଥର ହୁରୁନ ତାଲିକାରେ ସଲମାନ ଖାନ ମଧ୍ୟ ସ୍ଥାନ ପାଇଛନ୍ତି। ପ୍ରାୟ ୩,୦୦୦ କୋଟି ଟଙ୍କା ଆନୁମାନିକ ନେଟୱର୍ଥ ସହ ସେ ତୃତୀୟ ସ୍ଥାନରେ ରହିଛନ୍ତି। ଫିଲ୍ମ ବ୍ୟତୀତ ବିଭିନ୍ନ ବ୍ରାଣ୍ଡର ଏଣ୍ଡୋର୍ସମେଣ୍ଟରୁ ହେଉଥିବା ଆୟ ମଧ୍ୟ ତାଙ୍କ ସମ୍ପତ୍ତିରେ ଯୋଗ ହେଉଛି।
ହ୍ରିତିକ ରୋଶନ ପ୍ରାୟ ୨,୫୦୦ କୋଟି ଟଙ୍କା ଆନୁମାନିକ ନେଟୱର୍ଥ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ୨୦୨୫ରେ ତାଙ୍କ ନେଟୱର୍ଥ ପ୍ରାୟ ୨,୧୬୦ କୋଟି ଟଙ୍କା ଥିଲା। ତାଙ୍କ ଫିଟନେସ ଓ ଲାଇଫଷ୍ଟାଇଲ ବ୍ରାଣ୍ଡ HRX ମଧ୍ୟ ତାଙ୍କ ମୋଟ ସମ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି। ଏଥର ହୁରୁନ ଇଣ୍ଡିଆ ରିଚ ଲିଷ୍ଟରୁ କିଛି ପରିଚିତ ନାମ ବାଦ ପଡ଼ିଛି। ଗତବର୍ଷ ତାଲିକାରେ ଥିବା ଜୁହି ଚାୱଲା ଏବଂ କରଣ ଜୋହର ୨୦୨୬ ତାଲିକାରେ ନାହାନ୍ତି।
୨୦୨୫ରେ ଜୁହି ଚାୱଲାଙ୍କ ଆନୁମାନିକ ସମ୍ପତ୍ତି ୭,୭୯୦ କୋଟି ଟଙ୍କା ଥିବା ଦର୍ଶାଯାଇଥିଲା। ସେହିପରି କରଣ ଜୋହରଙ୍କ ନେଟୱର୍ଥ ପ୍ରାୟ ୧,୮୮୦ କୋଟି ଟଙ୍କା ଆକଳନ କରାଯାଇଥିଲା। ତେବେ ୨୦୨୬ର ତାଲିକାରେ ଏହି ଦୁଇ ଷ୍ଟାରଙ୍କ ନାମ ସାମିଲ ହୋଇନାହିଁ।