ଭାବାବେଗକୁ ଆଘାତ ଦେଲା….: ଅଡୁଆରେ ଶାସକ ଦଳ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ବିଶ୍ୱପ୍ରସିଦ୍ଧ କୁହାଯାଏ। ଏହି ମହୋତ୍ସବରେ ଦିନକୁ ଦିନ ଅଧିକ ନୂତନତ୍ତ୍ୱ ଏବଂ ଆକର୍ଷଣ ଆଣିବା ପାଇଁ ଉଦ୍ୟମ ହେଉଛି। ଏହି କ୍ରମରେ ରାଜ୍ୟରେ ସରକାର ବଦଳିବା ପରେ ଧନୁଯାତ୍ରାକୁ ନେଇ ଶାସକ ଦଳ ନୂଆଁ ପରିକଳ୍ପନା କରି ଆସୁଛି। ମଥୁରାନଗରୀ ପାଲଟୁଥିବା ବରଗଡ଼ ସହର ଏବଂ ଗୋପପୁର ହେଉଥିବା ଅମ୍ବାପାଲିରେ ଧନୁଯାତ୍ରା ଆଧାରିତ ତୋରଣ ଗୁଡ଼ିକ ନିର୍ମାଣ କରାଯାଇଛି। ତେବେ ସୋମବାର ଝଡ଼ତୋଫାନରେ ବରଗଡ଼ ସହର ଥାନାଛକସ୍ଥିତ ତୋରଣ ଭାଙ୍ଗିଯିବା ଏବଂ ଏଥିରେ ୨ରିକ୍ସା ଚାଳକ ଆହତ ହେବା ପରେ ଏହା ଶାସକ ଦଳକୁ ଅଡୁଆରେ ପକାଇଛି। ବିରୋଧୀ ଦଳ ଏହାକୁ ଏକ ପ୍ରସଙ୍ଗ କରି ଶାସକ ଦଳକୁ ଟାର୍ଗେଟ୍‌ କରିଛନ୍ତି। ଅନ୍ୟପଟେ ଶାସକ ଦଳର ସ୍ଥାନୀୟ ବିଧାୟକ ମଧ୍ୟ ଏହାକୁ ଗୁରୁତ୍ୱ ଦେଇ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଲେଖିଥିବାବେଳେ ତୋରଣ ଭାଙ୍ଗିବା ଘଟଣା ଧନୁଯାତ୍ରାପ୍ରେମୀ ଓ ବରଗଡ଼ ସହରବାସୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି।

ଏମାନେ କୁହନ୍ତି

ବିକାଶର ବିକଳ ଚିତ୍ର
ବରଗଡ଼ର ବିକାଶ ହେଉ। ଏହାକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ବିକାଶ ନାଁରେ ଲୋକଙ୍କ ଜୀବନ ସହିତ ଖେଳିବାକୁ ବରଦାସ୍ତ କରାଯିବ ନାହିଁ। ସହରସ୍ଥିତ ଜନବହୁଳ ଟାଉନ ଥାନା ସମ୍ମୁଖରେ ସୋମବାର ଧନୁଯାତ୍ରା ତୋରଣ ଭାଙ୍ଗିବା ଏବଂ ଏଥିରେ ୨ନିରୀହ ରିକ୍ସା ଚାଳକ ତଥା ୨ଭାଇ ଗୁରୁତର ଆହତ ହେବା ଘଟଣାକୁ ବିକାଶର ବିକଳ ଚିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ତୋରଣ ନିର୍ମାଣରେ ଯେଉଁମାନେ ସଂଶ୍ଲିଷ୍ଟ ସେମାନଙ୍କୁ ତୁରନ୍ତ ଗିରଫ ସହିତ ଏହାର ଭିଜିଲାନ୍ସ ତଦନ୍ତ ହେଉ।
-ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ, ବରଗଡ଼
ଧନୁଯାତ୍ରା ନଁାରେ ବିସ୍ଥାପନ
ଧନୁଯାତ୍ରା ନାମରେ ଲୋକଙ୍କୁ ବିସ୍ଥାପନ କରାଯାଉଛି। ହେଲେ ସେମାନଙ୍କ ଥଇଥାନ ଚିନ୍ତା କରା ଯାଉ ନାହିଁ। ଅନ୍ୟପଟେ କୋଟିକୋଟି ଟଙ୍କା ବ୍ୟୟରେ ନିମ୍ନମାନର ତୋରଣ ନିର୍ମାଣ କରାଯାଉଛି। ଯାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ସୋମବାର ଦେଖିବାକୁ ମିଳିଛି। ତୋରଣ ନିର୍ମାଣ କେଉଁଠି କରାଯିବ, ସେ ନେଇ ଧନୁଯାତ୍ରା ମହୋତ୍ସବ କମିଟି ବୈଠକରେ ନିଷ୍ପତ୍ତି ନିଆଯିବା କଥା। ମାତ୍ର ତାହା ବି ହୋଇ ନଥିଲା। ମନମାନୀ ଘର ଭଙ୍ଗା ଯାଉଛି ଏବଂ ବିକାଶ ନାଁରେ ରହିଲୁଟ୍‌ ଚାଲିଛି।
-ସାଧୁ ନେପାକ, ପୂର୍ବତନ ବିଧାୟକ, ବରଗଡ଼
କୋଟିକୋଟି ଟଙ୍କାର ଦୁର୍ନୀତି
ଯେଉଁ ଧନୁଯାତ୍ରାକୁ ନେଇ ଆମେ ଗର୍ବ କରିଥାଉ, ସେହି ଧନୁଯାତ୍ରାର ନାମରେ ତୋରଣ ନିର୍ମାଣ କରି କୋଟିକୋଟି ଟଙ୍କାର ଆତ୍ମସାତ୍‌ ହୋଇଥିବା ଦୃଷ୍ଟାନ୍ତ ଆଜି ଦେଖିବାକୁ ମିଳିଲା। ଥାନାଛକ ଆଗରେ ନିର୍ମିତ ଧନୁଯାତ୍ରା ତୋରଣ ଆଜି ଭାଙ୍ଗି ଯାଇଛି। ୨ଜଣ ଆହତ ହୋଇଛନ୍ତି। ତୋରଣ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି। ପୂର୍ତ୍ତ ବିଭାଗର ଅଧିକାରୀ ଏବଂ ଶାସକ ଦଳର ନେତା ଏଥିରେ ସମ୍ପୃକ୍ତ ଅଛନ୍ତି। କିଛିମାସ ଆଗରୁ ବରପାଲିରେ ମଧ୍ୟ ଏଭଳି ଏକ ତୋରଣ ମଧ୍ୟ ସାମାନ୍ୟ ଝଡ଼ବତାସରେ ଭାଙ୍ଗି ଯାଇଥିଲା।
-ଭବାନୀ ପ୍ରସାଦ ସାହୁ, ଆମ୍‌ ଆଦମୀ ପାର୍ଟି
ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ମିଳିବ
ଦୁର୍ଭାଗ୍ୟଜନକ ଘଟଣା। ଦୋଷୀ ବିରୋଧରେ ନିଶ୍ଚିତଭାବେ କାର୍ଯ୍ୟାନୁଷ୍ଠାନ ହେବ। ଏ ନେଇ ଜିଲାପାଳଙ୍କୁ ଲେଖି ଜଣାଇଛି। ଜିଲାପାଳ ବାହାରେ ଅଛନ୍ତି। ରାତିରେ ଫେରିବେ ଏବଂ ତଦନ୍ତ କରି ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେବେ। କେତେବେଳେ ଅଘଟଣ ଘଟିଲେ, ତାକୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ। ଆଜି ଯେଉଁମାନେ ଏ ନେଇ ସ୍ବର ଉଠାଉଛନ୍ତି, ପୂର୍ବରୁ ଭେଡ଼େନ ଅଞ୍ଚଳରେ ଏକ ପୋଲ ଭୁଶୁଡ଼ି ପଡ଼ିଥିଲା, ସେତେବେଳେ ସେମାନେ କୁଆଡ଼େ ଥିଲେ।
-ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବିଧାୟକ, ବରଗଡ଼

Dharitri – Odisha’s No.1 Odia Daily

 

Share