ଜାପାନ ଛୁଇଁଲା ‘ନାନ୍‌ମାଡୋଲ’: ପବନର ବେଗ ଘଣ୍ଟାପ୍ରତି ରହିପାରେ ୨୩୪ କି.ମି.

ଟୋକିଓ,୧୮ା୯: ଦକ୍ଷିଣପଶ୍ଚିମ ଜାପାନରେ ଶକ୍ତିଶାଳୀ ଝଡ଼ ନାନ୍‌ମାଡୋଲ ରବିବାର ରାତିରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। କାଗୋଶିମା ସହରରେ ବାତ୍ୟାର ଆଖି ଥିବାଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହେବା ନେଇ ଜାପାନ ପାଣିପାଗ ଏଜେନ୍ସି (ଜେଏମ୍‌ଏ) ଆକଳନ କରିଛି। ତୀବ୍ରଗତିରେ ପବନ, ଭୀଷଣ ବର୍ଷା ଏବଂ ଏଥିଜନିତ ହେବାକୁ ଥିବା ଭୂସ୍ଖଳନରୁ ଧନଜୀବନ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରଭାବିତ ହେବାକୁ ଥିବା ପ୍ରାୟ ୭୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଝଡ଼ବେଳେ ଘଣ୍ଟା ପ୍ରତି ବେଗ ସର୍ବାଧିକ ୨୩୪ କିଲୋମିଟର ରହିପାରେ। ଏହା ପ୍ରଭାବରେ ଦକ୍ଷିଣପଶ୍ଚିମ କ୍ୟୁଶୁ ଅଞ୍ଚଳରେ ଗତ ୨୪ ଘଣ୍ଟା ଭିତରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।
ଜେଏମ୍‌ଏ ପକ୍ଷରୁ ସ୍ବତନ୍ତ୍ର ଓ୍ବାର୍ନିଂ ଜାରି କରାଯାଇଛି। ଅନୂ୍ୟନ ୨୦ ହଜାର ଲୋକ କ୍ୟୁଶୁର କାଗୋଶିମା ଏବଂ ମିୟାଜାକି ଆଶ୍ରୟସ୍ଥଳରେ ମୁଣ୍ଡଗୁଞ୍ଜିଛନ୍ତି। ଦୀର୍ଘ ଦଶନ୍ଧି ପରେ ଜାପାନର କୌଣସି ଅଞ୍ଚଳରେ ପ୍ରଥମ ଥର ପାଇଁ ସ୍ପେଶାଲ ଓ୍ବାର୍ନିଂ ଦିଆଯାଇଛି। ମଙ୍ଗଳବାର ସୁଦ୍ଧା ଝଡ଼ ଟୋକିଓରେ ପହଞ୍ଚିବ ବୋଲି ଜେଏମ୍‌ଏ ପୂର୍ବାନୁମାନ କରିଛି। ସୋମବାର ସୁଦ୍ଧା ୫୦ ସେ.ମି.ରୁ ଅଧିକ ବର୍ଷା ହୋଇପାରେ। ଏଥିଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ଆଶଙ୍କା ରହିଛି। ଲୋକେ ବିଳମ୍ବ ନ କରି ତୁରନ୍ତ ବିପଦପୂର୍ଣ୍ଣ ସ୍ଥାନ ଛାଡ଼ିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଘରର ଦ୍ୱିତୀୟ କିମ୍ବା ଏହାର ଊର୍ଦ୍ଧ୍ୱ ମହଲାରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। କ୍ୟୁଶୁ ସହରରେ ବାତ୍ୟାଜନିତ କ୍ଷୟକ୍ଷତି ଆରମ୍ଭ ହୋଇଯାଇଛି। ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ହେବା ସହ ରବିବାର ରାତି ସୁଦ୍ଧା ପ୍ରାୟ ୨,୧୬,୪୫୦ ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି। ଶତାଧିକ ଘରୋଇ ବିମାନ ଉଡ଼ାଣ ବାତିଲ କରାଯାଇଛି। କ୍ୟୁଶୁ ଦ୍ୱୀପରେ ମଧ୍ୟ ରେଳ ଚଳାଚଳ ବନ୍ଦ କରାଯାଇଛି।

Share