ରାସ୍ତାରେ ବୋଟ୍‌, ସମୁଦ୍ରରେ କାର୍‌

ଫର୍ଟ ମ୍ୟେର୍ସ ବିଚ୍‌/ଚାର୍ଲେଷ୍ଟନ୍‌,୨।୧୦: ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ଇଆନ୍‌ ଆମେରିକାର ଫ୍ଲୋରିଡ଼ା ଉପକୂଳକୁ ବିପର୍ଯ୍ୟସ୍ତ କରିଦେଇଛି। ବାତ୍ୟାରେ ବହୁସଂଖ୍ୟାରେ ବୋଟ୍‌ ସମୁଦ୍ରରୁ ଭାସିଆସି ବିଭିନ୍ନ ରାସ୍ତାରେ ଲାଗିଥିବାବେଳେ କାର୍‌ଗୁଡ଼ିକ ସମୁଦ୍ରରେ ଭାସୁଥିବା ଦେଖାଯାଇଛି। ସମୁଦ୍ର ଜୁଆର ମାଡ଼ିଆସି ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ସେହିପରି ସାଉଥ୍‌ କାରୋଲିନାରେ ହୋଇଥିବା କ୍ଷୟକ୍ଷତି ଆକଳନ ହୋଇପାରି ନାହିଁ। ଇଆନ୍‌ ଫ୍ଲୋରିଡା ଉପକୂଳ ଛୁଇଁବା ପୂର୍ବରୁ ପଶ୍ଚିମ କ୍ୟୁବାରେ ତାଣ୍ଡବ ରଚିଥିଲା ଏବଂ ସେଠାରୁ ବଳ ଗୋଟାଇ ଶେଷରେ ସାଉଥ୍‌ କାରୋଲିନାରେ ମାଡ଼ ହୋଇଥିଲା। ଏଥିରେ ଫ୍ଲୋରିଡାର ୨୭ ଜଣଙ୍କ ସମେତ ମୋଟ ୩୦ ଜଣ ପ୍ରାଣ ହରାଇଛନ୍ତି। ମେକ୍ସିକୋ ଉପସାଗର ଉପକୂଳ ଇଆନ୍‌ କ୍ଷୟକ୍ଷତିର କେନ୍ଦ୍ରସ୍ଥଳ ଥିଲା। ବାତ୍ୟା ବେଳେ ଫର୍ଟ ମ୍ୟେର୍ସ ବିଚ୍‌ ଜନଶୂନ୍ୟ ହୋଇଯାଇଥିଲା। ଏବେ ସେମାନେ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଉକ୍ତ ଅଞ୍ଚଳରେ କାଠ ନିର୍ମିତ ଘରଗୁଡ଼ିକ ମାଟିରେ ମିଶିଯାଇଛି।

Share