ବାର୍‌ହା ମାଂସ ଧରି ଆସୁଥିଲେ, ବାଟରେ ଘେରିଲା ବନ ବିଭାଗ

ଠାକୁରମୁଣ୍ଡା,୨୫ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳ ଗୋଡ଼ଭଙ୍ଗା ଫରେଷ୍ଟ ସେକ୍ସନ ଅଧୀନ ଶିମିଳିପାଳ ସଂଲଗ୍ନ ଜଙ୍ଗଲର ତରଡିହା ନାଳବନ୍ଧ ନିକଟରୁ ଶିକାର କରି ୪.୫ କି.ଗ୍ରା. ବାର୍‌ହା ମାଂସ ନେଇ ଆସୁଥିବା ସମୟରେ ଜଣେ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସାତକୋଶିଆ ପଞ୍ଚାୟତ ଅଧୀନ ଦେଓଝରଣ ଗ୍ରାମର ରାଉତ ଖୁଣ୍ଟିଆ।
ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ସାତକୋଶିଆ ବନବିଭାଗର ବନାଞ୍ଚଳ ଅଧିକାରୀ ରବିନ୍ଦ୍ରନାଥ ମହାନ୍ତଙ୍କ ନେତୃତ୍ୱରେ ବନପାଳ ବିଜୟ କୁମାର ମହାନ୍ତ, ଗିରିଜା ନନ୍ଦନ ଦଳେଇ, ବନରକ୍ଷୀ ସମୀର ମହାନ୍ତ,ସନତ ମହାନ୍ତ, ଯୋଗେଶ୍ୱର କୁଲଡି ଓ ବ୍ୟାଘ୍ର ସୁରକ୍ଷାବଳ ପାଟ୍ରୋଲିଂ କରୁଥିବା ସମୟରେ ଗୋଡ଼ଭଙ୍ଗା ଗ୍ରାମର ତରଡିହା ନାଳବନ୍ଧ ନିକଟରେ ଶିକାରୀ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ତାଙ୍କ ସହ ଥିବା ଅନ୍ୟମାନେ ଖସି ପଳାଇଥିଲେ। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।