କ୍ଷୁଧା ଚିନ୍ତା

ବିଶ୍ୱରେ ଏବେ ୮ ବିଲିୟନ (୮୦୦ କୋଟି) ଲୋକଙ୍କୁ ଖାଦ୍ୟ ଦେବା ପାଇଁ ସଂଘର୍ଷ କରିବାକୁ ପଡ଼ୁଥିବାବେଳେ ୨୦୫୦ ସୁଦ୍ଧା ୧୦ ବିଲିିୟନ (୧,୦୦୦ କୋଟି) ଲୋକଙ୍କୁ ଆମେ କିଭଳି ଖାଦ୍ୟ ଯୋଗାଇ ପାରିବା? ବଢ଼ୁଥିବା ଜନସଂଖ୍ୟାର ପୌଷ୍ଟିକ ଆବଶ୍ୟକତା ପୂରଣ ପାଇଁ କେବଳ ଶସ୍ୟଜାତ ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ଆବଶ୍ୟକ ତାହା ନୁହେଁ, ବରଂ କେହି ଯେଭଳି ଖାଦ୍ୟ ଅସୁରକ୍ଷାରେ ନ ରୁହନ୍ତି, ସେଥିପାଇଁ ସମବଣ୍ଟନ ନିଶ୍ଚିତ କରିବାକୁ ପଡ଼ିବ। ଏହା କରିବା ବଡ଼ କଠିନ। ଏବକାର ଖାଦ୍ୟ ବ୍ୟବସ୍ଥା ଅବ୍ୟବସ୍ଥିତ ହୋଇଗଲାଣି। ପାଖାପାଖି ୬୭୩ ମିଲିୟନ ଲୋକ ପ୍ରତିଦିନ ରାତିରେ ଉପାସ ରହୁଛନ୍ତି। ୨୦୨୫ରେ ମଧ୍ୟ ଆମେ ଦୁଇଟି ମରୁଡ଼ି (ଗାଜା ଓ ସୁଦାନରେ) ଦେଖିଥିଲୁ, ଯାହା ସଂଘର୍ଷ ଏବଂ ଜଳବାୟୁ ବିପର୍ଯ୍ୟୟ ଯୋଗୁ ସୃଷ୍ଟି ହୋଇଥିଲା। ଫଳରେ ଖାଦ୍ୟର ମୂଲ୍ୟ ବୃଦ୍ଧି ଘଟିଥିଲା। ଏହି ସମୟରେ ବିଶ୍ୱରେ ଲୋକଙ୍କୁ ଖାଦ୍ୟ ଦେବା ସକାଶେ ଆମେ ନିର୍ଭର କରୁଥିବା ଏବକାର ପଦ୍ଧତି ଦ୍ୱାରା ୧.୬୬ ବିଲିୟନ ହେକ୍ଟର (ଯେଉଁଥିରୁ ୬୦% ହେଉଛି କୃଷି ଉପଯୋଗୀ ଭୂମି)ର ଉର୍ବରତା ହ୍ରାସ କରିସାରିଲୁଣି।
ଅଧିକ ଖାଦ୍ୟ ଉତ୍ପାଦନ କ୍ଷମତା ଅଭାବ ଯୋଗୁ ବୈଶ୍ୱିକ କ୍ଷୁଧା ସୃଷ୍ଟି ହୋଇନାହିଁ, ବରଂ ପ୍ରଭାବୀଶୈଳୀରେ ଖାଦ୍ୟ ଉତ୍ପାଦନ ଏବଂ ସମବଣ୍ଟନରେ ବିଫଳତା ଅନେକାଂଶରେ ଏଥିପାଇଁ ଦାୟୀ। ୨୦ଟି ଦେଶ ଓ ଅନେକ ଅଞ୍ଚଳରେ ଦେଖାଯାଇଥିବା କ୍ଷୁଧାର ପ୍ରମୁଖ କାରଣ ହେଉଛି ସଂଘର୍ଷ ଓ ଅସୁରକ୍ଷା। ଏହାଯୋଗୁ ୧୪୦ ମିଲିୟନ ଲୋକ ଗମ୍ଭୀର ଖାଦ୍ୟ ଅସୁରକ୍ଷାକୁ ସାମ୍ନା କରୁଛନ୍ତି। ବିଗତ ୩୩ ବର୍ଷରେ ବିଶ୍ୱରେ ବିପର୍ଯ୍ୟୟ ଯୋଗୁ କୃଷିରେ ୩.୨୬ ଟ୍ରିଲିୟନ ଆମେରିକୀୟ ଡଲାର କ୍ଷତି ହୋଇଥିବା ଆକଳନ କରାଯାଇଛି। ଅର୍ଥାତ୍‌ ବାର୍ଷିକ ହାରାହାରି ୯୯ ବିଲିୟନ ଡଲାର କିମ୍ବା ବୈଶ୍ୱିକ କୃଷି ଉତ୍ପାଦନର ପାଖାପାଖି ୪% କ୍ଷତି ଘଟିଛି। ଏବେ ଯୋଗାଣ ଅବ୍ୟବସ୍ଥା ଯୋଗୁ ଖାଦ୍ୟମୂଲ୍ୟ ବୃଦ୍ଧି ଘଟି ଅନେକ କୋଟି ଲୋକ କ୍ଷୁଧାରେ ରହୁଛନ୍ତି। ତେବେ ଅନେକ ଦଶନ୍ଧି ଧରି ବଢ଼ୁଥିବା ଖାଦ୍ୟ ଚାହିଦା ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଆସୁଛି ଏବଂ ବିଶେଷକରି ଅଧିକ ଉତ୍ପାଦନକ୍ଷମ ଶସ୍ୟ ବିକାଶ ସହ ଅଧିକ ସାର, କୀଟନାଶକ ଓ ପାଣି ବ୍ୟବହାର କରାଯାଉଛି। ତେବେ ଏହି ଧାରା ବର୍ଜ୍ୟ ସୃଷ୍ଟି କରିବା ସହ ନଦୀଗୁଡ଼ିକୁ ପ୍ରଦୂଷିତ କରିଛି। ଏହାବ୍ୟତୀତ ମାଟିର ଉର୍ବରତା ହ୍ରାସ ପାଇଛି ଏବଂ ଅଧିକ ସବୁଜଗୃହ ବାଷ୍ପ (ଜିଏଚ୍‌ଜି) ନିର୍ଗମନ ହୋଇଛି। ଆମକୁ ଆହୁରି ଭଲ ବାଟ ବାଛିବାକୁ ପଡ଼ିବ ଏବଂ ବିଜ୍ଞାନ ଆମକୁ ଉପାୟ ଦେଖାଇଦେବ। ଆମେ ଯାହା ବ୍ୟବହାର କରୁଛୁ ତାହାକୁ ଯଥାସମ୍ଭବ ପ୍ରଭାବୀ କରିବା ଏବଂ ଯାହା ଉତ୍ପାଦନ କରୁଛୁ ତାହାକୁ ବଣ୍ଟନ କରିବା ପାଇଁ ଆମ ପାଖରେ ଜ୍ଞାନ ଓ ସାଧନ ମଧ୍ୟ ଅଛି।
ପ୍ରଥମେ କାର୍ଯ୍ୟକ୍ଷମତା ବୃଦ୍ଧି ଉପରେ ପ୍ରାଥମିକତା ଦେବା ଆବଶ୍ୟକ। ୧୯୯୦ ଓ ୨୦୨୦ ମଧ୍ୟରେ ସାର ବ୍ୟବହାର ୪୬% ବୃଦ୍ଧି ଘଟିଥିଲା ଏବଂ କୀଟନାଶକ ଦୁଇଗୁଣ ବ୍ୟବହାର ହୋଇଥିଲା। କିନ୍ତୁ ସାରର କେବଳ ୩୦-୬୦% ନ୍ୟୁଟ୍ରିଣ୍ଟ ଏବଂ ୨୦-୭୦% କୀଟନାଶକ ଠିକ୍‌ ଭାବେ ଶସ୍ୟ ଦ୍ୱାରା ଅବଶୋଷିତ ହୋଇଥିଲା ଏବଂ ଅବଶିଷ୍ଟ ଜମିରେ ରହି ନଦୀକୁ ବହିଯିବା ସହ ମାଟିକୁ ଅନୁର୍ବର କିମ୍ବା ଜିଏଚ୍‌ଜି ନିର୍ଗମନ କରିଛି। ତେବେ ସୌଭାଗ୍ୟର କଥା, ଗବେଷଣାରୁ ଜଣାପଡ଼ିଛି ଯେ, ଅଧିକ ଯବକ୍ଷାରଜାନ ବ୍ୟବହାର ୧୯% ଉତ୍ପାଦନ ବୃଦ୍ଧି କରିପାରିବ ଏବଂ ସାର ବ୍ୟବହାରକୁ ୧୫-୧୯% ହ୍ରାସ କରାଯାଇପାରିବ। ଆଧୁନିକ କୃଷି ଜ୍ଞାନକୌଶଳ କୀଟନାଶକ ପରିଚାଳନାରେ ଉନ୍ନତି ଆଣିପାରିଛି। ଫଳରେ ଠିକ୍‌ ଭାବେ କୀଟନାଶକ ପ୍ରୟୋଗ ହେଉଛି ଏବଂ ଜୈବ କୀଟନାଶକ ବ୍ୟବହାର ବଢ଼ୁଛି। ଏହାଦ୍ୱାରା ରାସାୟନିକ ବର୍ଜ୍ୟ ହ୍ରାସ ହେବା ସହ ଜୈବବିବିଧତା ସୁରକ୍ଷା ସମ୍ଭବ ହୋଇଛି। ଆଗ୍ରୋଇକୋଲୋଜିକାଲ ପଦ୍ଧତିଗୁଡ଼ିକ ମାଟିର ଉର୍ବରତା ବୃଦ୍ଧି କରିବା ସହ ଦୀର୍ଘମିଆଦୀ ସହନୀୟତାକୁ ମଜଭୁତ କରିପାରୁଛି। ଦ୍ୱିତୀୟରେ ଖାଦ୍ୟ ବ୍ୟବସ୍ଥାର ବିବିଧ ଫସଲକୁ ପ୍ରାଥମିକତା ଦେବାକୁ ପଡ଼ିବ। ଅନେକ ଦଶନ୍ଧି ଧରି ଶସ୍ୟ ଉତ୍ପାଦକତା କେବଳ ୩ଟି ଶସ୍ୟ ଉପରେ ନିର୍ଭରଶୀଳ ରହିଆସିଛି। ଗହମ, ଧାନ ଓ ମକା ଏବେ ବିଶ୍ୱରେ ଲୋକଙ୍କର ଆବଶ୍ୟକ ହେଉଥିବା ଅଧିକାଂଶ କ୍ୟାଲୋରି ଯୋଗାଉଛି। ଏଭଳି ଏକକ ଫସଲ ଉପରେ ନିର୍ଭରଶୀଳତା ପ୍ରତି କୀଟନାଶକ, ରୋଗ ଓ ଜଳବାୟୁ ପରିବର୍ତ୍ତନର ଅତ୍ୟଧିକ ବିପଦ ସୃଷ୍ଟି ହୋଇଛି। ଏହାର ସମାଧାନ ଯେଉର୍ଁସବୁ ଫସଲରେ ରହିଛି, ବାସ୍ତବରେ ସେଗୁଡ଼ିକୁ ଆମେ ଉପେକ୍ଷା କରିଚାଲିଛୁ। ପାରମ୍ପରିକ ଓ ଅବ୍ୟବହୃତ କିସମ ଯଥା ମିଲେଟ୍‌, ଅଧିକ ନ୍ୟୁଟ୍ରିଣ୍ଟଯୁକ୍ତ ଡାଲି, ଦେଶୀ ଫଳ ଆଦି ଫସଲ ଜଳବାୟୁ ସହନଶୀଳ ହେବା ସହ ପର୍ଯ୍ୟାପ୍ତ ପୋଷକ ଯୋଗାଇପାରିବ। ତେବେ ବିସ୍ମୃତ ହୋଇଯାଇଥିବା ଏହିସବୁ ଫସଲ କିଭଳି ଖାଦ୍ୟରେ ଅଧିକ ବ୍ୟବହାର ହୋଇପାରିବ, କିଭଳି କୃଷି ଆୟ ବଢ଼ିବ ଏବଂ ଅନୁର୍ବର ମାଟିର ଉର୍ବରତା ଫେରାଇ ଅଣାଯିବ, ତାହା ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ)ର ଫ୍ୟୁଚର ସ୍ମାର୍ଟଫୁଡ (ଏସିଆରେ) ଏବଂ ୧୦୦ କ୍ରପ୍‌ସ ଫର୍‌ ଆଫ୍ରିକା ପ୍ରଦର୍ଶନ କରିଛି।
ଶେଷରେ, ଆମେ ପ୍ରଭାବୀ ପ୍ରଯୁକ୍ତିର ବିକାଶ କରିବା ଉଚିତ। ଏବେ ତଥ୍ୟ ବିଶ୍ଳେଷଣ ଏବଂ ଯଥାର୍ଥ କୃଷି ସାଧନ କୃଷିକୁ ନୂଆ ରୂପ ଦେବାରେ ଲାଗିଛି। ଡ୍ରୋନ୍‌ ମଞ୍ଜି ବୁଣିପାରୁଛି ଏବଂ ଠିକ୍‌ ଭାବେ ତଥ୍ୟ ଯୋଗାଇ ଦେଇପାରୁଛି। ଏଆଇ ପ୍ଲାଟ୍‌ଫର୍ମଗୁଡ଼ିକ ସାଟେଲାଇଟ୍‌ ଛବି ବ୍ୟବହାର କରି ଅନୁକୂଳ ସ୍ଥିତି ଓ ଠିକ୍‌ ସମୟରେ ପରାମର୍ଶ ଦେଇପାରୁଛି। ରୋବୋ ଘାସକୁ ଠାବ କରିବା ସହ ଉଚିତ ମାତ୍ରାର କୀଟନାଶକ ସ୍ପ୍ରେ କରିପାରୁଛି। ଡିଜିଟାଲ ମାଟି ପରୀକ୍ଷା ଓ ପାଣିପାଗ କେନ୍ଦ୍ର ପ୍ରତିଦିନର କାର୍ଯ୍ୟକୁ ମାର୍ଗଦର୍ଶନ କରୁଛି ଏବଂ ଡିଜିଟାଲ ତଥ୍ୟ କ୍ଷୁଦ୍ରଚାଷୀଙ୍କୁ ସ୍ବଚ୍ଛ ତଥା ସହଜରେ ଉପଲବ୍ଧ ବଜାର ସହ ଯୋଡ଼ିପାରୁଛି। ଏହିସବୁ ସାଧନ ବୃଦ୍ଧି କରିବା ସକାଶେ କୃଷି ସମ୍ପ୍ରସାରଣ ସେବା, ପ୍ରମୁଖ ବିଜ୍ଞାନ ଆଧାରିତ ନୀତି ପରିବର୍ତ୍ତନ ଏବଂ ଜ୍ଞାନକୌଶଳ ଭାଗୀଦାରି ପ୍ଲାଟଫର୍ମଗୁଡ଼ିକରେ ବ୍ୟାପକ ନିବେଶ ଆବଶ୍ୟକ। ସେହିଭଳି ଏବକାର ନୂତନତ୍ୱକୁ ସ୍ଥାନୀୟ କୃଷି ପଦ୍ଧତିରେ ଉପଯୋଗ କରାଯିବା ଦରକାର, ଯେଉଁଥିରେ ସରକାର, ନିବେଶକ, ଘରୋଇ କ୍ଷେତ୍ର ଏବଂ କୃଷକଙ୍କ ମଧ୍ୟରେ ଅଧିକ ସମନ୍ବୟ ଆବଶ୍ୟକ।
କମ୍‌ ଉପଯୋଗ କରି ଅଧିକ କୃଷି ଉତ୍ପାଦନ କରିବା ହେଉଛି ଏବକାର ମୁଖ୍ୟ ଲକ୍ଷ୍ୟ। ସବୁ ଜାଗାରେ, ସବୁ ଋତୁରେ କମ୍‌ ପାଣି, କମ୍‌ ସାରରେ ଅଧିକ କ୍ୟାଲୋରିଯୁକ୍ତ ତଥା ହେକ୍ଟର ପିଛା ଅଧିକ ପୋଷକଯୁକ୍ତ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବା ଦରକାର। ପ୍ରଯୁକ୍ତି ନିର୍ଭରଶୀଳ କୃଷିର ସମଉପଲବ୍ଧତା ନିଶ୍ଚିତ କରିବା ପାଇଁ ଯେଉଁଠାରେ ମାର୍କେଟର ଅଭାବ ରହିଛି, ସେଠାରେ ଗବେଷଣା ପାଇଁ ସରକାର ପାଣ୍ଠି ଯୋଗାଇ ଦେବା ଉଚିତ। ତେବେ ସମ୍ପ୍ରତି ପୁଣି ପ୍ରକାଶ ପାଉଥିବା ସଂଘର୍ଷ, ମରୁଡ଼ି ଓ ମାର୍କେଟ ବିପର୍ଯ୍ୟୟ ସ୍ଥିତିରେ ମଧ୍ୟ ସ୍ଥିର ଉତ୍ପାଦନ ଓ ଶସ୍ତା ମୂଲ୍ୟ ସମ୍ଭବ ହୋଇପାରିବ। ଏଥିପାଇଁ ମୂଳରେ ରହିଛି ସହନୀୟ ମୃତ୍ତିକା, ବିବିଧ କୃଷି ଏବଂ ପ୍ରଯୁକ୍ତିଗତ ପରିଚାଳନା। ବିଶ୍ୱରେ ସମସ୍ତେ ଭଲ ଖାଇବା, କୃଷକଙ୍କ ସମୃଦ୍ଧି, ମୃତ୍ତିକା ମାନବୃଦ୍ଧି ଓ ଜୈବବିବିଧତାର ପୁନରୁଦ୍ଧାର ଏବଂ କମ୍‌ ଜିଏଚ୍‌ଜି ନିର୍ଗମନ କରୁଥିବା କୃଷିଖାଦ୍ୟ ବ୍ୟବସ୍ଥା କୌଣସି କାଳ୍ପନିକ ଅବଧାରଣ ନୁହେଁ। ଏହା ହେଉଛି ଭୁଶୁଡ଼ି ପଡ଼ିଥିବା ପୁରୁଣାପଦ୍ଧତି ସ୍ଥାନରେ ଏକ ଭିନ୍ନ କୃଷି ମଡେଲ ଆପଣାଇବାର ବାସ୍ତବ ଚିନ୍ତାଧାରା। ତେବେ ପ୍ରଶ୍ନ ହେଉଛି ଆମ ପାଖରେ ଥିବା ଜ୍ଞାନ, ବିଜ୍ଞାନ ଏବଂ ପ୍ରମାଣିତ ସାଧନକୁ ଆମେ ବ୍ୟବହାର କରିବା କି ନାହିଁ। ଏହାର ସମାଧାନ ଥିଲା କି ନାହିଁ ଆମ ପର ପିଢ଼ି ପଚାରିବ ନାହିଁ, ବରଂ ସେମାନେ ପଚାରିବେ ସେସବୁ ଉପଯୋଗ କରିବାରେ ଆମେ କାହିଁକି ବିଳମ୍ବ କରିଛୁ। ପସନ୍ଦ ହେଉଛି ଆମର ଏବଂ କ୍ଷୁଧା ଦୂର କରିବାକୁ ହେଲେ ଆମକୁ ବାସ୍ତବରେ ବୈଶ୍ୱିକ କୃଷି ପଦ୍ଧତିରେ ବିଜ୍ଞାନର ବ୍ୟବହାର ଆରମ୍ଭ କରିବାକୁ ହେବ।

ୟୁର୍ଦି ୟାସ୍‌ମ
ପ୍ଲାଣ୍ଟ୍‌ ପ୍ରଡକ୍‌ସନ ଆଣ୍ଡ୍‌ ପ୍ରୋଟେକ୍‌ଶନ ଡିଭିଜନ (ଏଫ୍‌ଏଓ) ଅଫ୍‌ ୟୁନାଇଟେଡ ନେଶନ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଜଳିପୋଡି ପାଉଁଶ ହୋଇଗଲା ୫ ଦୋକାନ: ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନଷ୍ଟ

ବାଲିଆପାଳ,୨୭।୧(ଅମୁଲ୍ୟ କୁମାର ଦାସ): ବିଦ୍ୟୁତ୍‌ ସର୍ଟସର୍କିଟରୁ ଜଳି ପୋଡି ପାଉଁଶ ହୋଇଗଲା ୫ଟି ଦୋକାନ। ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ସମେତ ନଗଦ ଟଙ୍କା ପୋଡିଯାଇଛି। ବିଳମ୍ବିତ…

କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇତିହାସ ରଚିଲା ଏହି ଦେଶ

ନୂଆଦିଲ୍ଲୀ,୨୭।୧: ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଇଟାଲୀ ଏବଂ ଆୟର୍ଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଇଟାଲୀ ଇତିହାସ ରଚିଛି। ଦୁବାଇର…

ରାଇକିଆ ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକ: ଚାଷୀଙ୍କ ସହ କଲେ ଏହି ଆଲୋଚନା

ରାଇକିଆ,୨୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକ ବୁଲାବୁଲି କରିବା ସହ ସ୍ଥାନୀୟ ଲୋକଙ୍କୁ ହାଟରେ ଭେଟିଛନ୍ତି । ଇଟାଲୀରୁ ଓଡ଼ିଶା ଗସ୍ତରେ…

T20 World Cup: ସ୍କଟଲାଣ୍ଡ ଟିମରେ ସାମିଲ ଅଛନ୍ତି ପାକିସ୍ତାନ ଖେଳାଳି, ଉପୁଜିବ କି ବିବାଦ? ଜାଣନ୍ତୁ କ’ଣ କହୁଛି…

ନୂଆଦିଲ୍ଲୀ,୨୭।୧: କ୍ରିକେଟ ସ୍କଟଲାଣ୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଟ୍ରୁଡି ଲିଣ୍ଡବ୍ଲାଡ ପାକିସ୍ତାନୀ ଜନ୍ମିତ ଦ୍ରୁତ ବୋଲର ସାଫିଆନ ସରିଫଙ୍କ ସମେତ ଖେଳାଳିଙ୍କ ପାଇଁ ଭିଜା ବିଳମ୍ବ ସମ୍ପର୍କରେ ଚିନ୍ତାକୁ…

ଏହା କେବଳ ଆରମ୍ଭ ମାତ୍ର…କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିବା ପରେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ…

ଧାନ କିଣାରେ ବିଭ୍ରାଟ : ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

ବାସୁଦେବପୁର , ୨୭।୧(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର ବଛାଦା ସେବା ସମବାୟ ସମିତିରେ ଧାନ କିଣାରେ ବିଭ୍ରାଟ ନେଇ ମଙ୍ଗଳବାର ବିଷ ବୋତଲ…

ଏହି ଗାଁରେ ବ୍ୟାନ ହେଲା ‘ଲଭ ମ୍ୟାରେଜ’, ନିୟମ ନ ମାନିଲେ ଦମ୍ପତ୍ତିଙ୍କ ସହ ପରିବାର ସଦସ୍ୟଙ୍କୁ ମିଳିବ ଏମିତି ଦଣ୍ଡ

ରତଲାମ,୨୭।୧: ମଧ୍ୟପ୍ରଦେଶର ରତଲାମ ଜିଲାର ପଞ୍ଚେଭା ଗାଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗାଁ ଲୋକେ ଏକ ‘ତୁଗଲକି ନିୟମ’ ଜାରି କରିଛନ୍ତି ଯାହା ଦ୍ୱାରା…

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା: ବିଜେଡି କହିଲା ଅଲ ଦି ବେଷ୍ଟ…

ଭୁବନେଶ୍ୱର,୨୭।୧: ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷି ସଂଘ ଦ୍ୱାରା ଏହି ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri