ତେଜିଲା ଆନ୍ଦୋଳନ: ଆମରଣ ଅନଶନରେ କାରାରକ୍ଷୀ

ସୋନପୁର,୨୫।୯(ମୃତ୍ୟୁଞ୍ଜୟ ଶତପଥୀ): କାରାରକ୍ଷୀ ଓ ମୁଖ୍ୟ କାରାରକ୍ଷୀଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ୫ ଦଫା ଦାବି ନେଇ କାରାରକ୍ଷୀମାନେ ସେପ୍ଟେମ୍ବର ୧୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍‌ ପିନ୍ଧି ନୀରବ ପ୍ରତିବାଦ କରୁଥିଲେ। ହେଲେ ସରକାର ଦାବି ପ୍ରତି ଅଣଦେଖା କରିଥିବା ଅଭିଯୋଗ ହୋଇଛି। ପୂର୍ବ ଘୋଷଣା ଅନୁଯାୟୀ ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘର ଆହ୍ବାନ କ୍ରମେ ସୁବର୍ଣ୍ଣପୁର ଜିଲା ସୋନପୁର ଏବଂ ବୀରମହାରାଜପୁର ଉପ କାରାଗାରରେ କାର୍ଯ୍ୟରତ କାରାରକ୍ଷୀମାନେ ସୋମବାରଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି ।

ଦାବିଗୁଡିକ ମଧ୍ୟରେ କାରାରକ୍ଷୀଙ୍କ ଗ୍ରେଡ୍‌ ପେ’ ୧୯୦୦ରୁ ୨୦୦୦ ଟଙ୍କାକୁ ବୃଦ୍ଧି, ମୁଖ୍ୟ କାରାରକ୍ଷୀଙ୍କ ଗ୍ରେଡ୍‌ ପେ’ ୨୦୦୦ରୁ ୨୪୦୦ ଟଙ୍କାକୁ ବୃଦ୍ଧି, ପୁରୁଣା ପଦୋନ୍ନତି ନିୟମ(ବରିଷ୍ଠତା ଭିତ୍ତିକ) ୨୦୧୨ ଲାଗୁ କରିବା, ଉପଖଣ୍ଡସ୍ତରକୁ ବଦଳି ନିୟମ କୋହଳ, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦ ଟଙ୍କାକୁ ବୃଦ୍ଧି ଓ ସପ୍ତମ ବେତନ କମିଶନ ୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ବୃଦ୍ଧି ଆଦି କର୍ମଚାରୀମାନେ ଦାବି କରିଛନ୍ତି।

କାର୍ଯ୍ୟରତ କାରାରକ୍ଷୀ ଓ ମୁଖ୍ୟ କାରାରକ୍ଷୀମାନେ ଆମରଣ ଅନଶନକୁ ଓହ୍ଲାଇ କାର୍ଯ୍ୟ ସମ୍ପାଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନ ପାଇଁ କାରାଗାରର କାର୍ଯ୍ୟ ବାଧାପ୍ରାପ୍ତ ହେବ ନାହିଁ ବୋଲି ସଂଘ ପକ୍ଷରୁ ସୋନପୁର ଉପ କାରାଗାରର ମୁଖ୍ୟ କାରାରକ୍ଷୀ ସୁଶାନ୍ତ କୁମାର ସାମଲ, ଜୟକୁମାରୀ ଜୟପୁରିଆ, ମହିଳା କାରାରକ୍ଷୀ ସସ୍ମିତା ବିଶି, କାରାରକ୍ଷୀ ଆଲୋକ ଷଡଙ୍ଗୀ, କ୍ଷୀରୋଦ ବିହାରୀ ଦାଶ, ଶାନ୍ତନୁ କୁମାର ହୋତା, ସତ୍ୟ ଖମାରୀ, ସୁବ୍ରତ କୁମାର ଆଚାର୍ଯ୍ୟ, ଦୀପକ ରଞ୍ଜନ ପାଣିଗ୍ରାହୀ, ପ୍ରଭାତ ଚନ୍ଦ୍ର ଦାଶ ଓ ଶରତ କୁମାର ମିଶ୍ର ସୂଚନା ଦେଇଛନ୍ତି ।