ଭୋଟ ପାଇଁ ଭୋକ

ଭୂପେନ୍ଦ୍ର ପଟେଲ ୧୨ ଡିସେମ୍ବର ୨୦୨୨ରେ ଗୁଜରାଟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ଗୁଜରାଟ ବିଧାନସଭା ନିର୍ବାଚନରେ ନିରଙ୍କୁଶ ଆସନ ଜିତି ୭ମ ଥର ପାଇଁ ରେକର୍ଡ ସୃଷ୍ଟି କରି କ୍ଷମତାସୀନ ହୋଇପାରିଛି। ଦୀର୍ଘ ବର୍ଷ ଧରି ଗୋଟିଏ ରାଜନୈତିକ ଦଳ ହାତରେ କ୍ଷମତା ରହିବା ସେଠାକାର ରାଜ୍ୟବାସୀଙ୍କୁ ବ୍ୟଥିତ କରିନାହିଁ ବୋଲି ସଦ୍ୟସମାପ୍ତ ଫଳାଫଳରୁ ସ୍ପଷ୍ଟ ହୋଇଛି। ୧୮୨ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ୧୫୬ ଆସନ ପାଇଥିବା ବେଳେ କଂଗ୍ରେସ ୧୭ ଓ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ୫ ସିଟ୍‌ ହାସଲ କରିଛନ୍ତି। ୨୦୧୭ରେ ଭାଜପା ୯୯ ଆସନ ପାଇଥିବା ବେଳେ କଂଗ୍ରେସ ୭୮ ସିଟ୍‌ ପାଇଥିଲା। ଚଳିତ ଥର ଦେଶବ୍ୟାପୀ ଲୋକେ ଅନାଇ ରହିଥିଲେ ଗୁଜରାଟ ନିର୍ବାଚନର ଫଳାଫଳ କ’ଣ ହେବ। ଅନେକ ରାଜନୈତିକ ବିଶେଷଜ୍ଞ ଆକଳନ କରିଥିଲେ ସରକାର ବିରୋଧୀ ପବନ ବହିବ ଓ ସେଥିରେ ଭାଜପା ଉଡ଼ିଯିବ। ଆଉ କିଛି ଭାବିଥିଲେ ପଞ୍ଜାବରେ ଏଏପି ଯେଭଳି ସମସ୍ତଙ୍କୁ ଆଚମ୍ବିତ କରି କ୍ଷମତାକୁ ଆସିଥିଲା, ସେହିଭଳି କିଛି ଗୋଟେ ହୋଇପାରେ। ଏଥିସହିତ କଂଗ୍ରେସ ପୂର୍ବାପେକ୍ଷା ଅଧିକ ଆସନ ପାଇପାରେ ବୋଲି ଗଣନା କରାଯାଉଥିଲା। ହେଲେ ଭାଜପା ସେହିସବୁ ଅନୁମାନ ସମୀକରଣକୁ ଭୁଲ୍‌ ପ୍ରମାଣିତ କରି ପୂର୍ବାପେକ୍ଷା ସେଠାରେ ଅଧିକ ଦୃଢ଼ ହୋଇଯାଇଛି। ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ଗୁଜରାଟ ନିର୍ବାଚନରେ ଭାଜପାର ଭୋଟ ପ୍ରତିଶତ ୫୨.୫୦ ରହିଥିବା ବେଳେ କଂଗ୍ରେସର ୨୭.୨୮ ପ୍ରତିଶତ ଓ ଏଏପି ଭାଗରେ ୧୨.୯୨ ପ୍ରତିଶତ ଭୋଟ ପଡ଼ିଛି। ଏଏପି ଓ କଂଗ୍ରେସର ଭୋଟ ପ୍ରତିଶତକୁ ମିଶାଇ ଦେଲେ ୪୦.୨୦ ପ୍ରତିଶତ ରହୁଥିବା ବେଳେ ତାହାଠାରୁ ଭାଜପା ୧୨.୩୦ ପ୍ରତିଶତ ଅଧିକ ରହୁଛି। କୁହାଯାଉଛି ଏଏପି ସେଠାରେ ନିର୍ବାଚନ ଲଢ଼ି ନ ଥିଲେ କଂଗ୍ରେସର ଭୋଟ ମାର୍ଜିନ୍‌ ବଢ଼ିଥାଆନ୍ତା। ଯାହା କୁହାଯାଉଥିଲା ଯେ ଏଏପିର ଗୁଜରାଟ ପ୍ରବେଶ ଭାଜପା ପାଇଁ କାଳ ହେବ, ବରଂ ତାହା ନ ହୋଇ ଗୈରିକ ଦଳ ସକାଶେ ଆଶୀର୍ବାଦ ପାଲଟିଲା। ଏଥିସହିତ ଆସାଦୁଦ୍ଦିନ୍‌ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ଗୁଜରାଟରୁ ଶୂନ ଦଶମିକ ୨୯ ପ୍ରତିଶତ ଭୋଟ ନେଇ କଂଗ୍ରେସ ଭୋଟକୁ ମଧ୍ୟ ମାଇନସ୍‌ କରିଥିବା ଜଣାପଡ଼ିଛି। ଅନୁମାନ କରାଯାଉଥିଲା ବିଲ୍‌କିସ୍‌ ବାନୋ ମାମଲାରେ ଯେଭଳି ଭାବେ ଅଭିଯୁକ୍ତମାନଙ୍କୁ ଛାଡ଼ି ଦିଆଯାଇଥିଲା, ତାହା ଏକ ପ୍ରସଙ୍ଗ ପାଲଟି ଭାଜପା ଭୋଟକୁ ଭାଗ କରିପାରେ। ତାହା ମଧ୍ୟ ବିଫଳ ହେଲା।
ଉପରଲିଖିତ ବିଷୟକୁ ଆଲୋଚନା କଲେ ପ୍ରଶ୍ନ ଉଠୁଛି ଭାଜପା କେଉଁ ରଣକୌଶଳ ପ୍ରୟୋଗ କରି ଏଭଳି ସଫଳତା ପାଇପାରିଛି। ଦଳୀୟ ନିର୍ବାଚନ ପରିଚାଳନାରେ ଅତି ସୂକ୍ଷ୍ମ ବୁଦ୍ଧି ଖଟାଇ ଭାଜପା ସୁବିଧା ହାତେଇଛିି। ଧର୍ମଭିତ୍ତିକ ରାଜନୀତି କରିବାରେ ଏହି ଦଳର ଅତୀତ ଅତ୍ୟନ୍ତ ଶକ୍ତିଶାଳୀ। ଏହାର ଦୃଷ୍ଟାନ୍ତ ଉତ୍ତରପ୍ରଦେଶଠାରୁ ଆରମ୍ଭକରି ଗୁଜରାଟ ଯାଏ ଦେଖିବାକୁ ମିଳିଛି। କିନ୍ତୁ ଯେଉଁଠାରେ ଜାତିଭିତ୍ତିକ ପ୍ରସଙ୍ଗକୁ ନେଇ ଲଢ଼େଇ ହୋଇଛି ସେଠାରେ ଭାଜପା ପଛରେ ରହିଛି। ବିହାର ଏହାର ପ୍ରକୃଷ୍ଟ ଦୃଷ୍ଟାନ୍ତ। ସେଥିପାଇଁ ବିହାରରେ ଦଳ ଆଶାନୁରୂପ ସଫଳତା ପାଇପାରୁ ନାହିଁ। ରାମ ମନ୍ଦିର ପ୍ରତିଷ୍ଠା କଥା କହି ଭାଜପା ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତ ରାଜ୍ୟଗୁଡ଼ିକରେ ନିର୍ବାଚନ ଜିତିବା ସହିତ ଦେଶବ୍ୟାପୀ ଏକ ହିନ୍ଦୁ ଧର୍ମୀୟ ଭାବନା ଜାଗରଣ କରିପାରିଥିବାରୁ ତାହାର ପ୍ରଭାବ ଗୁଜରାଟ ନିର୍ବାଚନ ଉପରେ ପଡ଼ିଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ ସର୍ବଦା ବ୍ୟତିକ୍ରମ ସୃଷ୍ଟି କରିଆସିଛି। ସେଠାକାର ଭୋଟର ଅତ୍ୟନ୍ତ ସଚେତନ ଓ କୌଣସି ନିର୍ଦ୍ଦିଷ୍ଟ ଦଳ ଉପରେ ସମ୍ପୂର୍ଣ୍ଣ ଭରସା ନ କରି ପ୍ରତି ୫ ବର୍ଷରେ ଥରେ ପଟ ପରିବର୍ତ୍ତନ କରିବାରେ ଲାଗିଛନ୍ତି। କର୍ନାଟକକୁ ଛାଡ଼ିଦେଲେ ଦକ୍ଷିଣ ଭାରତରେ ଲୋକଙ୍କ ପାଇଁ ସ୍ଥାନୀୟ ପ୍ରସଙ୍ଗ ମୁଖ୍ୟ ବିଷୟ ପାଲଟିଥାଏ। ସମ୍ଭବତଃ ସେଥିଲାଗି ଆଞ୍ଚଳିକ ଦଳଗୁଡ଼ିକ ଦକ୍ଷିଣ ଭାରତରେ ଶାସନ କରୁଛନ୍ତି। ଓଡ଼ିଶା କଥା ଦେଖିଲେ ଜାତୀୟ ଦଳ ଭାଜପା ଓ କଂଗ୍ରେସ ଅପେକ୍ଷା ବିଜୁ ଜନତା ଦଳ(ବିଜେଡି) ବହୁ ଆଗରେ ରହିଛି। ଯଦି ଏଠାରେ ଅନ୍ୟ କୌଣସି ଆଞ୍ଚଳିକ ଦଳର ଆବିର୍ଭାବ ଘଟେ, ହୁଏତ ତାହା ବିଜେଡି ପ୍ରତି ଆହ୍ବାନ ସୃଷ୍ଟି କରିପାରେ। ଅପରପକ୍ଷରେ ମଧ୍ୟପ୍ରଦେଶ ଭଳି କେନ୍ଦ୍ରୀୟ ଭାରତରେ ଭାଜପା ଧର୍ମକୁ ନେଇ ରାଜନୀତି କରିପାରୁଥିବା ବେଳେ ପଶ୍ଚିମ ଭାରତ ବିଶେଷକରି ମହାରାଷ୍ଟ୍ର ଓ ଗୋଆରେ ତାହାର ଉପସ୍ଥିତି କମୁଥିବା ଲକ୍ଷ୍ୟ କରାଯାଉଛି। ଏଥିରୁ ଏହା ମଧ୍ୟ ବୁଝାଯାଇପାରେ ଯେ, ଯେଉଁସବୁ ଜାଗାରେ ମୁସଲମାନ ସମ୍ପଦ୍ରାୟର ଜନସଂଖ୍ୟା ଅଧିକ ରହୁ ନାହିଁ, ସେଠାରେ ଧର୍ମଭିତ୍ତିକ ଉତ୍ତେଜନା ବୃଦ୍ଧି ପାଉନାହିଁ। ଯେଉଁଠାରେ ଉତ୍ତେଜନା ନାହିଁ ସେଠାରେ ଭାଜପାର ଭୋଟ କମିଯାଉଛି।
୨୦୨୪ ସାଧାରଣ ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ଏବେଠାରୁ ଅଙ୍କ କଷିବା ଆରମ୍ଭ କଲେଣି। କିନ୍ତୁ ଦେଖାଯାଉଛି ଭାଜପାର ନିର୍ବାଚନ ପରିଚାଳନା ରଣନୀତି ଆଗରେ ରହୁଛି। ଗୁଜରାଟ କଥା ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟୁ ସମାଲୋଚନା କରୁଥିବା ହାର୍ଦ୍ଦିକ୍‌ ପଟେଲ ଓ ଅଳ୍ପେଶ ଠାକୁରଙ୍କୁ ଭାଜପା ନିଜ ଆଡ଼କୁ ଆଣିବାରେ ସକ୍ଷମ ହୋଇଥିଲା। ଫଳରେ ଏହା ଦଳକୁ ଲାଭ ପହଞ୍ଚାଇଲା। କିନ୍ତୁ ସମାଲୋଚନାକାରୀଙ୍କ କଥାକୁ ଠିକ୍‌ ଭାବେ ତର୍ଜମା ନ କରି କଂଗ୍ରେସ ତତ୍‌କ୍ଷଣାତ୍‌ ତାହାର ନେତାଙ୍କୁ ତଡ଼ି ଦେଉଥିବାରୁ ଦଳ ପାଇଁ କ୍ଷତି ଘଟୁଛି। ଗତ କିଛି ବର୍ଷ ହେବ କଂଗ୍ରେସ ନେତାମାନେ ନରମ ହିନ୍ଦୁତ୍ୱ ପ୍ରଦର୍ଶନ କରି ମନ୍ଦିର ଯାଇ ପୂଜା କରୁଛନ୍ତି କିମ୍ବା ପଇତା ପ୍ରଦର୍ଶନ କରି ନିଜ ସକାଶେ ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି କରୁଛନ୍ତି। ଦିଲ୍ଲୀ ଓ ପଞ୍ଜାବକୁ ଛାଡ଼ିଦେଲେ ସମାନ ଅବସ୍ଥା ଏଏପି କ୍ଷେତ୍ରରେ ଦେଖିବାକୁ ମିଳୁଛି। ତେଣୁ ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥାରେ ଭୋଟ ହାସଲ କରି ଯିଏ ଶାସନ କ୍ଷମତାରେ ବସିପାରିଲେ ସେ ସର୍ବଶକ୍ତିଶାଳୀ ହୋଇପାରିଲେ। ଭାଜପା ପାଇଁ ନିର୍ବାଚନ ଭୋକ ପାଲଟି ଯାଇଥିବାରୁ ତାହାକୁ ମେଣ୍ଟାଇବା ସକାଶେ ତୃଣମୂଳ ସ୍ତରରୁ ଉଦ୍ୟମ ହେଉଛି। ୫ ବର୍ଷ ଅର୍ଥନୀତିକୁ ଜଗାଯାଉ ନାହିଁ କିମ୍ବା ପଡ଼ୋଶୀ ଦେଶ ସହ ସୁସମ୍ପର୍କ ସ୍ଥାପନ କରାଯାଇପାରୁ ନାହିଁ। ଯାହାଫଳରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ସହିତ ଚାଇନାର ଆକ୍ରମଣ ଅବ୍ୟାହତ ରହିଛି। ଏହାର ମୁଖ୍ୟ କାରଣ ହେଉଛି ଶାସକ ଭାଜପା କେବଳ ନିର୍ବାଚନ ପାଇଁ ସର୍ବଦା ପ୍ରସ୍ତୁତି ଚଳାଇଚାଲିଛି। ସମ୍ଭବତଃ ‘ଭୋଟ ପାଇଁ ଭୋକ’ ଆଭିମୁଖ୍ୟ ରଖି ଭାଜପା ଆଗଉଥିବାରୁ ଅନ୍ୟ ରାଜନୈତିକ ଦଳଗୁଡ଼ିକ ପଛରେ ପଡ଼ିଯାଉଛନ୍ତି। ଗଣତନ୍ତ୍ର ପାଇଁ ଏହାର ଦୀର୍ଘମିଆଦୀ କୁପ୍ରଭାବ ଥିଲେ ମଧ୍ୟ ବର୍ତ୍ତମାନ ସ୍ଥିତିରେ ଯିଏ ଜିତିଲେ ସେ ସିକନ୍ଦର ହୋଇ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri